ନାବାଳିକାଙ୍କ ଆତ୍ମାହୁତି ଘଟଣା: କାମଦେଲାନି ସରକାରୀ କଟକଣା

ବରଗଡ଼,୧୨।୮(ପ୍ରେମାନନ୍ଦ ଖମାରୀ):ବାଲେଶ୍ୱର ଏଫ୍‌.ଏମ୍‌ ସ୍ବୟଂସାଶିତ କଲେଜ ଛାତ୍ରୀ ସୌମ୍ୟାଶ୍ରୀ ଆତ୍ମାହୁତି ଘଟଣା ପରେ ରାଜ୍ୟ ସରକାର ପ୍ଲାଷ୍ଟିକ ବୋତଲରେ ପେଟ୍ରୋଲ ବିକ୍ରି ଉପରେ କଟକଣା ଜାରି କରିଥିଲେ। ମାତ୍ର ସରକାରଙ୍କ ଏହି କଟକଣା ସଠିକ୍‌ଭାବେ କାର୍ଯ୍ୟକାରୀ ହୋଇପାରି ନାହିଁ। ସୋମବାର ବରଗଡ଼ ଜିଲା ପଦ୍ମପୁର ଉପଖଣ୍ଡ ଫିରିଙ୍ଗିମାଳ ଗ୍ରାମରେ ନାବାଳିକାଙ୍କ ଆତ୍ମାହୁତି ଘଟଣାରୁ ଏହା ସ୍ପଷ୍ଟ ହୋଇଛି। ନାବାଳିକା ଜଣକ ଶରୀରରେ ପେଟ୍ରୋଲ ଢାଲିବା ପରେ ନିଆଁ ଲଗାଇ ଆତ୍ମାହୁତି କରିଥିବା ସ୍ଥାନୀୟ ଲୋକେ କହୁଛନ୍ତି। ସେହିପରି ଘଟଣାସ୍ଥଳରୁ ପୋଲିସ ଏକ ପ୍ଲାଷ୍ଟିକ ବୋତଲ, ଦିଆସିଲି ସହିତ ନାବାଳିକାଙ୍କ ଜୋତା ଜବତ କରିଛି। ନାବାଳିକା ଜଣକ ଜବତ ପ୍ଲାଷ୍ଟିକ ବୋତଲରୁ ହିଁ ଗ୍ରାମର କୌଣସି ପେଟ୍ରୋଲ ପମ୍ପ କିମ୍ବା ଖୁଚୁରା ଦୋକାନୀଙ୍କଠାରୁ ପେଟ୍ରୋଲ କିଣି ନେଇଥିବା ଅନୁମାନ କରାଯାଉଛି। ପୋଲିସ ମଧ୍ୟ ଗ୍ରାମର ୨ଦୋକାନୀଙ୍କୁ ଉଠାଇ ନେଇ ତଦନ୍ତ ଜାରି ରଖିଛି।
ବଲାଙ୍ଗିର ଜିଲାରୁ ଆସିଲା ଆମ୍ବୁଲାନ୍ସ
ବରଗଡ଼ ଜିଲା ପଦ୍ମପୁର ଉପଖଣ୍ଡ ଗାଇସିଲେଟ ବ୍ଲକ ଫିରିଙ୍ଗିମାଳରେ ନାବାଳିକାଙ୍କ ଆତ୍ମାହୁତି ଘଟଣା ଘଟିଥିଲା। ତେବେ ନାବାଳିକା ଜଣକ ଜଳୁଥିବାବେଳେ ସ୍ଥାନୀୟ ଲୋକେ ୧୦୮ ଆମ୍ବୁଲାନ୍ସକୁ ଫୋନ କରିଥିଲେ। ମାତ୍ର ସେତେବେଳେ ଜିଲାର ପଦ୍ମପୁର, ବିଜେପୁର କିମ୍ବା ଗାଇସିଲେଟ୍‌ରେ ୧୦୮ ଆମ୍ବୁଲାନ୍ସ ଉପଲବ୍ଧ ନଥିବା କୁହାଯାଇଥିଲା। ଶେଷରେ ବଲାଙ୍ଗିର ଜିଲା ଲୋଇସିଂହାରୁ ଏକ ଆମ୍ବୁଲାନ୍ସ ଘଟଣାସ୍ଥଳକୁ ପହଞ୍ଚିଥିଲା। ତେବେ ଘଟଣାଟି ପାଖାପାଖି ସାଢ଼େ ୭ଟାରେ ଘଟିଥିବାବେଳେ ପ୍ରାୟ ଦେଢ଼ଘଣ୍ଟାରୁ ୨ଘଣ୍ଟା ବିଳମ୍ବରେ ଆମ୍ବୁଲାନ୍ସ ଆସିଥିବା ସ୍ଥାନୀୟ ଲୋକେ କହିଛନ୍ତି।
ଡାଳପତ୍ର, ଧୂଳିରେ ନିଆଁ ଆୟତ୍ତ
ନାବାଳିକା ଜଣକ ଘର ପଛପଟ ଏକ ଖେଳ ପଡ଼ିଆରେ ପେଟ୍ରୋଲ ଢାଳି ଆତ୍ମାହୁତି କରିଥିଲେ। ତେବେ ନାବାଳିକା ଝିଅ ଜଳୁଥିବା ଦେଖି ତାଙ୍କ ମା’ ପ୍ରଥମେ ଚିତ୍କାର କରିଥିଲେ। ଚିତ୍କାର ଶୁଣି କିଛି ବୁଝିବା ପୂର୍ବରୁ ପରିବାର ଏବଂ ପଡ଼ୋଶୀ ଲୋକେ ସେଠାକୁ ହଠାତ୍‌ ଧାଇଁ ଆସିଥିଲେ। ହେଲେ ନିଆଁକୁ ଆୟତ୍ତ କରିବା ପାଇଁ ସେତେବେଳେ କାହାରି ପାଖରେ କିଛି ସାଧନ ନଥିଲା। ଫଳରେ ପାଖରେ ରହିଥିବା ଗଛ ଡାଳପତ୍ର ଏବଂ ପଡ଼ିଆରେ ପଡ଼ିଥିବା ଧୂଳି ମାରି ଲୋକେ ନିଆଁକୁ ଆୟତ୍ତ କରିଥିଲେ। ନିଆଁ ଲିଭି ଯାଇଥିଲା। ହେଲେ ଡାକ୍ତରଖାନାରେ ସବୁଦିନ ପାଇଁ ନାବାଳିକା ଆଖି ବୁଜି ଦେଇଥିଲେ।
ଆଉ ଏକ ଦାଦନ ଦୁଃଖ
ବାପା ତାମିଲନାଡୁରେ ଦାଦନ ଖଟୁଛନ୍ତି। ମା’ ଏବଂ ବଡ଼ଭାଇଙ୍କ ସହିତ ମୃତ ନାବାଳିକା ମାମୁଁଘରେ ରହୁଥିଲେ। ତେବେ ସପ୍ତମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହେବା ପରେ ଚଳିତବର୍ଷ ନାବାଳିକା ଜଣକ ପାଇକମାଳ ବ୍ଲକ ସାପଲହର ସେବାଶ୍ରମ ଛାତ୍ରୀ ନିବାସରେ ରହି ପଢ଼ୁଥିଲେ। ସେଠାରେ ଅସୁସ୍ଥ ହେବା ପରେ ପୁଣି ମାମୁଁଘରକୁ ଛୁଟିରେ ଆସିଥିଲେ ଏବଂ ସେବାଶ୍ରମକୁ ସୋମବାର ଫେରିବା କାର୍ଯ୍ୟକ୍ରମ ଥିବାବେଳେ ଏହି ଦିନ ହିଁ ସେ ଆତ୍ମାହୁତି କଲେ। ଏଭଳି ଘଟଣା ମୃତ ନାବାଳିକାଙ୍କ ପରିବାର ପାଇଁ କେତେ ଯେ ଦୁଃଖଦ, ସହଜରେ ଅନୁମେୟ। ଦାଦନ ଖଟିବାକୁ ଯାଇଥିବା ବାପା ଘରକୁ ଫେରି ଝିଅର ଶେଷ ଦର୍ଶନ କରି ପାରିବେ କି ନାହିଁ, ସେଥିରେ ଅନିଶ୍ଚିତତା ରହିଛି। ଫଳରେ ଜିଲାରେ ଏହା ମଧ୍ୟ ଆଉ ଏକ ଦାଦନ ଦୁଃଖ ବୋଲି ସଭିଁଏ କହୁଛନ୍ତି।