ପାଟଣା, ୩ା୪(ବୀରକିଶୋର ଦାଶ): କେନ୍ଦୁଝର ଜିଲା ତୁରୁମୁଙ୍ଗା ଥାନା ଅଞ୍ଚଳରେ ଜଣେ ୧୭ ବର୍ଷୀୟା ନାବାଳିକାଙ୍କୁ ଅପହରଣ ଓ ବଳାତ୍କାର କରାଯାଇଥିବା ଅଭିଯୋଗ ହୋଇଛି। ତୁରୁମୁଙ୍ଗା ପୋଲିସ ଗୁରୁବାର ସାରେ ଜଣେ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଅଭିଯୁକ୍ତ ଯୁବକ ଉକ୍ତ ଥାନା ଅଧୀନ ଜାମୁଦା ଗ୍ରାମର ସୁନୀଲ ନାଏକ(୨୨)।
ଅଭିଯୋଗ ଅନୁଯାୟୀ, ଯୁବକ ଜଣେ ନାବାଳିକାଙ୍କୁ ବିବାହ ପ୍ରତିଶ୍ରୁତି ଦେଇ ଅପହରଣ କରିନେଇଥିଲେ। ପରେ ୩ ଦିନ ଧରି ବିଭିନ୍ନ ସ୍ଥାନରେ ରଖି ବଳାତ୍କାର କରିଥିଲେ। ଏ ନେଇ ପରିବାର ଲୋକଙ୍କ ଅଭିଯୋଗ ପରେ ପୋଲିସ ନାବାଳିକାଙ୍କୁ ଯୁବକଙ୍କ ସମ୍ପର୍କୀୟଙ୍କ ଘରୁ ଉଦ୍ଧାର କରିଥିଲା।
ନାବାଳିକା ମାର୍ଚ୍ଚ ୨୨ରେ ବଳାତ୍କାର ଅଭିଯୋଗ କରିଥିଲେ। ପରେ ପୋଲିସ ଯୁବକଙ୍କୁ ଗିରଫ କରି ଉଭୟଙ୍କ ଡାକ୍ତରୀ ପରୀକ୍ଷା କରିଥିଲା। ଏ ନେଇ ତୁରୁମୁଙ୍ଗା ଥାନାରେ ଏକ ମାମଲା(ନଂ. ୬୧/୨୫) ରୁଜୁହୋଇ ତଦନ୍ତ ଜାରି ରହିଥିବା ଏସ୍ଆଇ ସୁରେଶ ସାହୁ ସୂଚନା ଦେଇଛନ୍ତି।