ଘର ପଶି ନାବାଳିକାଙ୍କୁ କରିଥିଲେ ବଳାତ୍କାର: କୋର୍ଟରୁ ଆସିଲା ବଡ଼ ରାୟ

ବୌଦ୍ଧ,୧୬ା୧୦(ଅଜିତ କୁମାର ବାରିକ): ନାବାଳିକା ବଳାତ୍କାର ମାମଲାର ରାୟ ଗୁରୁବାର ପ୍ରକାଶ ପାଇଛି। ବୌଦ୍ଧ ଅତିରିକ୍ତ ଜିଲା ଦୌରାଜଜ୍‌ ତଥା ସ୍ପେଶାଲ ଜଜ୍‌ ଅଖିଲ କୁମାର ପଶ୍ଚିମକବାଟ ଏହି ମାମଲା ବିଚାର କରି ଅଭିଯୁକ୍ତ ସରୋଜ ରଣବିଡା(୨୩)କୁ ୨୦ ବର୍ଷ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ଏଥିସହିତ ୨୦ ହଜାର ଟଙ୍କା ଜରିମାନା ଦେବାକୁ ରାୟରେ ଉଲ୍ଲେଖ କରାଯାଇଛି। ଜରିମାନା ଅନାଦେୟ ହେଲେ ଅଧିକ ୬ ମାସ ଜେଲଦଣ୍ଡ ଭୋଗିବାକୁ ପଡ଼ିବ ବୋଲି ଶୁଣାଣି କରିଛନ୍ତି। ଅନ୍ୟପଟେ ଅଦାଲତ ପୀଡ଼ିତାକୁ କ୍ଷତିପୂରଣ ପାଇ ୫ ଲକ୍ଷ ଟଙ୍କା ପ୍ରଦାନ କରିବାକୁ ଜିଲା ଆଇନ ସେବା ପ୍ରାଧିକରଣଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ପ୍ରକଶ ଯେ, ୪ ଅଗଷ୍ଟ ୨୦୨୨ରେ ବୌଦ୍ଧ ଜିଲାର ବାଉଁଶୁଣୀ ଥାନା ଅଞ୍ଚଳରେ ମା, ବାପା ଚାଷ କରିବାକୁ ଜମିକୁ ଯାଇଥିଲେ। ସେହିଦିନ ତାଙ୍କର ୧୦ ବର୍ଷର ନାବାଳିକା ଝିଅ ବିଦ୍ୟାଳୟରୁ ଅପରାହ୍ନରେ ଘରକୁ ଆସିଥିଲେ। ଘରେ ନାବାଳିକା ଜଣକ ଏକୁଟିଆ ଥିବାବେଳେ ସେହି ଗଁାର ଅଭିଯୁକ୍ତ ସରୋଜ ଆସି ନାବାଳିକାଙ୍କୁ ଭଲପାଉଛି, ବାହା ହେବି ବୋଲି କହି ଜୋର ଜବରଦସ୍ତ ଶାରୀରିକ ସମ୍ପର୍କ ରଖିଥିଲେ।

ଏହି ସମୟରେ ସମ୍ପର୍କୀୟମାନେ ପହଞ୍ଚି ଯିବାରୁ ଅଭିଯୁକ୍ତ ଜଣକ ସେଠାରୁ ପଳାଇଥିଲେ। ସନ୍ଧ୍ୟାରେ ଜମିରୁ ଫେରିବା ପରେ ଝିଅଠାରୁ ସବୁ ଶୁଣି ନାବାଳିକାଙ୍କ ବାପା ୫ ଅଗଷ୍ଟ ୨୦୨୨ରେ ବାଉଁଶୁଣୀ ଥାନାରେ ଅଭିଯୋଗ କରିଥିଲେ। ପୋଲିସ ଏକ (ନଂ. ୬୫/୨୨) ମାମଲା ରୁଜୁ କରି ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ଏହି ମାମଲାରେ ସରକାରଙ୍କ ପକ୍ଷରୁ ୧୩ଜଣ ସାକ୍ଷୀଙ୍କ ବୟାନକୁ ଭିତ୍ତି କରି ବିଚାରପତି ଉପରୋକ୍ତ ଶୁଣାଣି କରିଛନ୍ତି। ଏହି ମାମଲାକୁ ସରକାରଙ୍କ ପକ୍ଷରୁ ସ୍ପେଶାଲ ପିପି ଧୁରୀଣ କୁମାର ଦେହୁରୀ ପରିଚାଳନା କରୁଥିଲେ।

Dharitri – Odisha’s No.1 Odia Daily