ଭଞ୍ଜନଗର,୫ା୧୦(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ତାରସିଂ ଥାନା ଅନ୍ତର୍ଗତ ବାଲିସାହିର ବର୍ଷା ପରିଜା (୧୩) ଶନିବାର ସର୍ପ ଦଂଶନରେ ମୃତ୍ୟୁବରଣ କରିଥିଲେ। ପୋଲିସ ଏନେଇ ୧୮/୨୫ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ଭଞ୍ଜନଗର ହସ୍ପିଟାଲକୁ ପଠାଇଥିଲା। ମୃତ ନାବାଳିକାଙ୍କ ବାପା-ମା’ ପାଗଳ। ମୃତ ନାବାଳିକାଙ୍କ ଆଉ ଦୁଇ ଭାଇ ଓ ତିନି ଭଉଣୀ ଅଛନ୍ତି। ଏତେବଡ଼ ପରିବାରକୁ ତା’ର ବୃଦ୍ଧ ଜେଜେ ମା’ ବାଉଁଶ ତିଆରି ଜିନିଷ ବିକ୍ରି କରି ପରିବାର ଚଳାଉଛନ୍ତି। ଏନେଇ ଥାନା ଅଧିକାରୀ ଶୁଭଲକ୍ଷ୍ମୀ ପୂଜାରୀ ଜାଣିବା ପରେ ରବିବାର ତାଙ୍କ ବାସଭବନରେ ପହଞ୍ଚି ଡାଲି, ଚାଉଳ ସମେତ ଅନ୍ୟାନ୍ୟ ଜିନିଷ କ୍ରିୟା କର୍ମ ପାଇଁ ସହାୟତା ପ୍ରଦାନ କରିଥିଲେ। ପୋଲିସ ପ୍ରତି ବିଭିନ୍ନ ସମୟରେ ଲୋକଙ୍କ ଧାରଣା କିଛି ଅଲଗା ରହୁଛି। କିନ୍ତୁ ଏବେବି ଅନେକ ପୋଲିସ କର୍ମଚାରୀଙ୍କ ପାଖରେ ମାନବିକତା ବଞ୍ଚି ରହିଛି। ତେଣୁ ସାହାଯ୍ୟର ହାତ ବଢ଼ାଇ ଥିଲେ ଶୁଭଲକ୍ଷ୍ମୀ।