ବିଜୟ ଉତ୍ସବ ବେଳେ ବୋମା ଫୁଟି ନାବାଳିକା ମୃତ

କୋଲକାତା,୨୪ା୬(ପି.ଟି.): ପଶ୍ଚିମବଙ୍ଗର ନଦିଆ ଜିଲା ଅନ୍ତର୍ଗତ କାଳୀଗଞ୍ଜରେ ତୃଣମୂଳ କଂଗ୍ରେସର ବିଜୟ ଉତ୍ସବ ରାଲିରେ ବୋମା ଫୁଟି ଜଣେ ୧୩ ବର୍ଷୀୟା ବାଳିକାଙ୍କ ମୃତ୍ୟୁ ଘଟିଛି। କାଳୀଗଞ୍ଜ ଆସନ ପାଇଁ ଉପନିର୍ବାଚନରେ ଟିଏମ୍‌ସି ପ୍ରାର୍ଥୀ ଅଲିଫା ଅହମଦ ବିଜୟୀ ହୋଇଥିଲେ। ଫଳାଫଳ ଘୋଷଣା ପୂର୍ବରୁ ସୋମବାର ଅପରାହ୍ନରେ ଶାସକ ଦଳ ପକ୍ଷରୁ ଉତ୍ସବ ପାଳନ ହୋଇଥିଲା। ରାଲି ଯାଉଥିବାବେଳେ ବରୋଚାନ୍ଦଗରଠାରେ ବିସ୍ଫୋରଣ ଘଟିବାରୁ ୧୩ ବର୍ଷୀୟା ତମନ୍ନା ଖାତୁନ୍‌ ଗୁରୁତର ହୋଇଥିଲେ। ତାଙ୍କୁ ନିକଟସ୍ଥ ହସ୍ପିଟାଲକୁ ନିଆଯାଇଥିବାବେଳେ ଡାକ୍ତର ମୃତ ଘୋଷଣା କରିଛନ୍ତି। ବୋମା ଫିଙ୍ଗିବା ଅଭିଯୋଗରେ ଅଖତର ଶେଖ୍‌ ନାମକ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ଅଭିଯୁକ୍ତ ଟିଏମ୍‌ସି କର୍ମୀ ବୋଲି ସନ୍ଦେହ କରାଯାଉଛି। ଅପରାଧୀଙ୍କ ବିରୋଧରେ କଠୋର ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଛନ୍ତି। ପୋଲିସ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇ ତଦନ୍ତ ଆରମ୍ଭ କରିଛି।