ଦିଗପହଣ୍ଡି,୧୫।୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଅଧୀନ ଏକ ଗାଁରୁ ଅପହରଣ କରାଯାଇଥିବା ଜଣେ ୧୭ ବର୍ଷୀୟା ନାବାଳିକାଙ୍କୁ ତଦନ୍ତକାରୀ ଅଧିକାରୀ ଏସ୍ଆଇ ଜ୍ୟୋତି ରଞ୍ଜନ ବେହେରା ଚେନ୍ନାଇରୁ ଉଦ୍ଧାର କରିଛନ୍ତି। ଗତ ମେ ୧୮ ତାରିଖ ରାତିରେ ନାବାଳିକା ଜଣକ ଘରେ ଶୋଇଥିବା ବେଳେ ନିଖୋଜ ହୋଇଯାଇଥିଲେ। ଏନେଇ ନାବାଳିକାଙ୍କ ବାପା ଦିଗପହଣ୍ଡି ଥାନାରେ ଏତଲା ଦେଇଥିଲେ। ତାଙ୍କ ଗାଁର ସନିଆ ନାୟକ ତାଙ୍କ ଝିଅକୁ ଅପହରଣ କରି ନେଇଥିବା ସେ ଏତଲାରେ ଉଲ୍ଲେଖ କରିଥିଲେ। ଭାରପ୍ରାପ୍ତ ଆଇଆଇସି ତଥା ଡିଏସପି ପ୍ରଶାନ୍ତ କୁମାର ପାତ୍ର ଥାନା ମାମଲା ନଂ.୧୯୮/୨୫ ଅନୁଯାୟୀ ଅଭିଯୁକ୍ତଙ୍କ ବିରୋଧରେ ମକଦ୍ଦମା ରୁଜୁ କରି ତଦନ୍ତ ଚଳାଇଥିଲେ। ଅଭିଯୁକ୍ତଜଣଙ୍କ ନାବାଳିକାଙ୍କୁ ଚେନ୍ନାଇ ନେଇଯାଇଥିବା ଜଣାପଡିଥିଲା।
ଅଭିଯୁକ୍ତଙ୍କ ମୋବାଇଲ ଫୋନ ଚେନ୍ନାଇ ଲୋକେସନରେ ଥିବା ଜଣାପଡିବା ପରେ ତଦନ୍ତକାରୀ ଅଧିକାରୀ ସଦଳବଳେ ଚେନ୍ନାଇରେ ପହଞ୍ଚି ତାଙ୍କ ମୋବାଇଲ ଟ୍ରାକିଂ କରି ସେଠାକାର ପୋଲିସ ସହାୟତାରେ ନାବାଳିକାଙ୍କୁ ଉଦ୍ଧାର କରିବାସହ ଅଭିଯୁକ୍ତ ସନିଆଙ୍କୁ କାବୁ କରିବାରେ ସଫଳ ହୋଇଥିଲେ। ପୀଡ଼ିତା ଓ ଅଭିଯୁକ୍ତଙ୍କୁ ବ୍ରହ୍ମପୁର ବଡ ଡାକ୍ତରଖାନାରେ ଡାକ୍ତରୀ ମାଇନା କରାଯିବାପରେ ମାଜିଷ୍ଟ୍ରେଟଙ୍କ ସମ୍ମୁଖରେ ପୀଡ଼ିତାଙ୍କ ବୟାନ ରେକର୍ଡ କରାଯାଇଥିଲା। ଗିରଫ ଅଭିଯୁକ୍ତଙ୍କୁ ମଙ୍ଗଳବାର ବ୍ରହ୍ମପୁର ପୋକ୍ସ କୋର୍ଟକୁ ଚାଲାଣ କରାଯାଇଥିଲା। ସେଠାରେ ଜାମିନ ଆବେଦନ ନାମଞ୍ଜୁର ହେବାରୁ ଅଭିଯୁକ୍ତଙ୍କୁ ବ୍ରହ୍ମପୁର ଜେଲ ହାଜତକୁ ପଠାଇ ଦିଆଯାଇଛି। ଗାଁ ରେ ପରିବାରଲୋକେ କେହି ନଥିବାରୁ କୋର୍ଟଙ୍କ ଆଦେଶକ୍ରମେ ଉଦ୍ଧାର ନାବାଳିକାଙ୍କୁ ବ୍ରହ୍ମପୁର ସ୍ଥିତ ଉତ୍କଳ ବାଳାଶ୍ରମରେ ଛଡ଼ା ଯାଇଥିବା ତଦନ୍ତକାରୀ ଅଧିକାରୀ କହିଛନ୍ତି।