ଦିଗପହଣ୍ଡି,୭।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିର ଜଣେ ୧୪ ବର୍ଷୀୟା ନାବାଳିକାଙ୍କୁ ଅପହରଣ କରାଯାଇଥିବା ଅଭିଯୋଗ ହୋଇଛି। ନାବାଳିକାଙ୍କ ବାପା ଏନେଇ ଦିଗପହଣ୍ଡି ଥାନାରେ ଏତଲା ଦେବାପରେ ଆଇଆଇସି ତଥା ଡିଏସପି ପ୍ରଶାନ୍ତ ପାତ୍ର ମାମଲା ନଂ.୨୭୯/୨୫ ଦଫା – ୧୩୭(୨) (ଅପହରଣ) ମକଦ୍ଦମା ରୁଜୁ କରି ତଦନ୍ତ ଚଳାଇଛନ୍ତି।
ସୂଚନାନୁଯାୟୀ, ଗତ ରବିବାର ନାବାଳିକାଙ୍କ ମା’ବାପା କାମ ପାଇଁ ଯାଇଥିବା ବେଳେ ନାବାଳିକା ଜଣଙ୍କ ଘରେ ଏକୁଟିଆ ଥିଲେ। ଅପରାହ୍ନ ପ୍ରାୟ ସାଢେ ୪ ଟାରେ ଘରକୁ ଫେରିବା ପରେ ମା’ବାପା ଝିଅ ନ ଥିବା ଜାଣିବାକୁ ପାଇଥିଲେ। ନାବାଳିକାଙ୍କ ବାପା ଖୋଜା ଖୋଜି କରିବା ସତ୍ତ୍ୱେ ତାଙ୍କ ସନ୍ଧାନ ମିଳି ନ ଥିଲା। ପରେ ଜିଲାର କେ.ନୂଆଗାଁ ଥାନା ବାଇଗଣବାଡ଼ି ଗ୍ରାମର କାହ୍ନା ନାଇକ ତାଙ୍କ ଝିଅକୁ ଘରୁ ନେଇଯାଇଥିବା ନେଇ ତାଙ୍କ ସାହିର ଜଣେ ମହିଳା ସୂଚନା ଦେଇଥିଲେ ବୋଲି ଏତଲାରେ ସେ ଉଲ୍ଲେଖ ରହିଛି। ତଦନ୍ତକାରୀ ଅଧିକାରୀ ଏସ୍ଆଇ ସୋଫିଆ ମିଶ୍ର ବିଭିନ୍ନ ସନ୍ଦିଗ୍ଧ ଇଲାକାରେ ଚଢାଉ କରିଥିଲେ ମଧ୍ୟ ଅପହୃତା ନାବାଳିକାଙ୍କ ସନ୍ଧାନ ମିଳିପାରିନାହିଁ।