ନାବାଳିକାଙ୍କୁ ଅସଦାଚରଣ ପ୍ରତିବାଦରେ ଆକ୍ରମଣ ଘଟଣା: ଜେଲ ଗଲେ ଅଭିଯୁକ୍ତ

ଦିଗପହଣ୍ଡି,୪।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ତାଳପଡ଼ା ଗ୍ରାମର ନୀଳମଣି ପାଇକଙ୍କୁ ପୋଲିସ ଗିରଫ କରି ଗୁରୁବାର କୋର୍ଟ ଚାଲାଣ କରିଛନ୍ତି। ଥାନା ମାମଲା ନଂ.୪୧୧/୨୫ ଅନୁଯାୟୀ, ଜାମିନ ଆବେଦନ ନାମଞ୍ଜୁର ହେବାରୁ ଅଭିଯୁକ୍ତଙ୍କୁ ଦିଗପହଣ୍ଡି ସବ ଜେଲ ହାଜତକୁ ପଠାଇ ଦିଆଯାଇଛି। ଗତ ନଭେମ୍ବର ୧୦ ତାରିଖ ସନ୍ଧ୍ୟା ୭ ଟାରେ ଗ୍ରାମର ଜଣେ ନାବାଳିକା ଘର ବାରିପଟକୁ ଶୌଚ ପାଇଁ ଯାଇଥିବାବେଳେ ଗ୍ରାମର ରଞ୍ଜିତ କୁମାର ପାଇକ ତାଙ୍କୁ ଟଣାଓଟରା କରିବା ସହ ଅସଦାଚରଣ କରିଥିଲେ। ନାବାଳିକାଙ୍କ ପାଟି ଶୁଣି ତାଙ୍କ ମା’ ଘଟଣାସ୍ଥଳକୁ ଦୌଡ଼ି ଯାଇ ଝିଅକୁ ଉଦ୍ଧାର କରିଥିଲେ। ରଞ୍ଜିତ ସେଠାରୁ ଦୌଡ଼ି ପଳାଇଥିଲେ।
ନାବାଳିକାଙ୍କ ଘରେ କେହି ପୁରୁଷ ଲୋକ ନଥିବାରୁ ତାଙ୍କ ମା’ ଅନ୍ୟଘରେ ରହୁଥିବା ସମ୍ପର୍କୀୟ ଶ୍ବଶୁର ହରିଶ୍ଚନ୍ଦ୍ର ପାଇକ ଓ ଦିଅର ନୀଳମଣିଙ୍କୁ ସମସ୍ତ ଘଟଣା କହିଥିଲେ। ସେମାନେ ଯାଇ ରଞ୍ଜିତଙ୍କୁ ପଚାରିବାରୁ ସେ ଉଭୟଙ୍କୁ ଆପତ୍ତିଜନକ ଭାଷାରେ ଗାଳି କରିଥିଲେ। ଏଥିରେ ଉତ୍ତେଜିତ ହୋଇ ଅଭିଯୁକ୍ତ ନୀଳମଣି ଓ ହରିଶ୍ଚନ୍ଦ୍ରତାଙ୍କୁ ଠେଙ୍ଗାରେ ଆକ୍ରମଣ କରିଥିଲେ।

ଅପରପକ୍ଷରେ ଘଟଣାର ପରଦିନ ନାବାଳିକାଙ୍କ ମା’ ଦିଗପହଣ୍ଡି ଥାନାରେ ଏତଲା ଦେଇଥିଲେ। ଏତଲାକୁ ଭିତ୍ତିକରି ଭାରପ୍ରାପ୍ତ ଆଇଆଇସି ତଥା ଡିଏସପି ପ୍ରଶାନ୍ତ କୁମାର ପାତ୍ର ଥାନା ମାମଲା ନଂ.୪୦୯/୨୫ ଅନୁଯାୟୀ ଅଭିଯୁକ୍ତ ରଞ୍ଜିତଙ୍କ ବିରୋଧରେ ମକଦ୍ଦମା ରୁଜୁ କରିବା ସହ ବ୍ରହ୍ମପୁର ବଡ ଡାକ୍ତରଖାନାରେ ପୀଡ଼ିତା ନାବାଳିକାଙ୍କ ଡାକ୍ତରୀ ମାଇନା କରାଯିବା ସହ ମାଜିଷ୍ଟ୍ରେଟଙ୍କ ସମ୍ମୁଖରେ ବୟାନ ରେକର୍ଡ କରାଯାଇଥିଲା। ଘଟଣାର ଦୁଇଦିନ ପରେ ଆକ୍ରମଣରେ ଗୁରୁତର ଆହତ ରଞ୍ଜିତଙ୍କ ଭାଇ ବିଚିତ୍ରାନନ୍ଦ ପାଇକ ଥାନାରେ ଏତଲା ଦେଇଥିଲେ।ଏତଲାକୁ ଭିତ୍ତିକରି ଅଭିଯୁକ୍ତ ହରିଶ୍ଚନ୍ଦ୍ର ଏବଂ ନୀଳମଣି ବାପ ପୁଅ ଦ୍ବୟଙ୍କ ବିରୋଧରେ ପୋଲିସ ମକଦ୍ଦମା ରୁଜୁ କରି ତଦନ୍ତ ଚଳାଇଥିଲେ। ଆକ୍ରମଣ ମାମଲାରେ ଅଭିଯୁକ୍ତ ନୀଳମଣି ଙ୍କୁ ତଦନ୍ତକାରୀ ଅଧିକାରୀ ଏସ.ଆଇ ସୋଫିଆ ମିଶ୍ର ଗୁରୁବାର
ଗିରଫ କରି କୋର୍ଟ ଚାଲାଣ କରିଛନ୍ତି। ନାବାଳିକାଙ୍କୁ ଅସଦାଚରଣ ମାମଲାରେ ଅଭିଯୁକ୍ତ ରଞ୍ଜିତ ବ୍ରହ୍ମପୁର ବଡ଼ ଡାକ୍ତରଖାନା ରେ ଚିକିତ୍ସାଧୀନ ଥିବା ତଦନ୍ତକାରୀ ଅଧିକାରୀ କହିଛନ୍ତି।

 

Dharitri – Odisha’s No.1 Odia Daily