ରେଳ ଧାରଣା ପାର୍‌ ହୋଉଥିବା ବେଳେ ନାବାଳକଙ୍କୁ ଟାଣିନେଲା ଟ୍ରେନ୍‌, ଗୋଡ଼ରୁ ପାଦ ସଂପୂର୍ଣ୍ଣ ଅଲଗା

ଲାଞ୍ଜିଗଡ, ୨୪।୧୧(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ଚମ୍ପାଦେଇପୁର ପଞ୍ଚାୟତ ହରେକୃଷ୍ଣପୁର ନିକଟସ୍ଥ ଆମ୍ବାଦଳାରୁ ଲାଞ୍ଜିଗଡ କାରଖାନାକୁ ଯାଉଥିବା ମାଲବାହୀ ରେଳଗାଡ଼ି ଧକ୍କାରେ ଜଣେ ନାବାଳକର ଗୋଡ଼ କଟିଯାଇଛି। ସୂଚନାନୁସାରେ ସୋମବାର ଅପରାହ୍ନ ୪ ଟା ସମୟରେ କଳାହାଣ୍ଡି ଜିଲା ଲାଞ୍ଜିଗଡ ନିକଟସ୍ଥ ହରେକୃଷ୍ଣପୁର ଗ୍ରାମ ନିକଟସ୍ଥ କାରଖାନାକୁ ସଂଯୋଗ ରେଳ ଧାରଣାରେ ଘଟିଛି ଏକ ଅଘଟଣ। ରେଳ ଧାରଣା ପାର୍‌ ହୋଇ ଯାଉଥିବା ହରେକୃଷ୍ଣପୁର ଗ୍ରାମର କାନ୍ତ ମାଝୀର ନାବାଳକ ପୁଅ ଥବିର ମାଝୀ (୧୧) ନାମକ ଜଣେ ଯୁବକଙ୍କ ବାମ ଗୋଡ଼ ସଂପୂର୍ଣ୍ଣ ଭାବେ କଟିଯାଇଛି। ସୋମବାର ଅପରାହ୍ନରେ ସେ ରେଳ ଧାରଣା ପାର୍‌ ହେଉଥିବାବେଳେ କାରଖାନାକୁ ଯାଉଥିବା ଏକ ଟ୍ରେନ୍‌ ବଗିରେ ଓହଳିଥିବା ଦଉଡି ଥବିର ଗୋଡରେ ଲାଗିଯାଇଥିଲା ଏବଂ ତାକୁ ଟାଣି ନେଇଥିଲା । ତାକୁ ଟାଣି ଦେଇ ଘୋଷାଡି ନେବାରୁ ଡାହାଣ ଗୋଡ଼ର ପାଦ ସଂପୂର୍ଣ୍ଣ ଭାବେ ଛିଣ୍ଡି ଅଲଗା ହୋଇଯାଇଛି। ଦୁର୍ଘଟଣା ପରେ ପ୍ରଚୁର ରକ୍ତସ୍ରାବ ଯୋଗୁ ସେ ଗୁରୁତର ହୋଇପଡିଥିବା ବେଳେ ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ଲାଞ୍ଜିଗଡ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ପଠାଇଥିଲେ। ଲାଞ୍ଜିଗଡ ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା କଲାପରେ ଅତ୍ୟଧିକ ଗୁରୁତର ହେବା ଏବଂ ପାଦ ଛିଣ୍ଡି ଯାଇଥିବା ହେତୁ ତାଙ୍କୁ ଭବାନୀପାଟଣା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଥିଲା । କିନ୍ତୁ ପରିବାର ଲୋକେ ଭୁବନେଶ୍ୱର ଚିକିତ୍ସା ପାଇଁ ନେଇଥିବା ପରିବାର ପକ୍ଷରୁ ସୂଚନା ମିଳିଛି । ଏହାକୁ ନେଇ ହରେକୃଷ୍ଣପୁର ଗାଁରେ ପ୍ରବଳ ଜନ ଅସନ୍ତୋଷ ଦେଖିବାକୁ ମିଳିଥିବାବେଳେ ଉତ୍ତ୍ୟକ୍ତ ଲୋକେ ରେଳରୋକୋ କରିଥିଲେ। ଏପରିକି ଦୁର୍ଘଟଣାର ଶିକାର ହୋଇଥିବା ଥବିରଙ୍କ ଚିକିତ୍ସା ଖର୍ଚ୍ଚ ବହନ କରିବା ସହିତ ତାଙ୍କ ପରିବାରକୁ କ୍ଷତିପୂରଣ ଯୋଗାଇଦେବାକୁ ଅଡ଼ି ବସିଥିଲେ। ଘଟଣା ସମ୍ପର୍କରେ ଖବରପାଇ ଲାଞ୍ଜିଗଡ଼ ଥାନାଧିକାରୀ ଯଶବନ୍ତ ହିଆଲଙ୍କ ନେତୃତ୍ୱରେ ଏଏସଆଇ ବଳଭଦ୍ର ଗୌଡ଼ ଓ ଏଏସଆଇ ସଞ୍ଜୟ କୁମାର ବୈଠାରୁ ପୋଲିସ ଦଳ ସହିତ ଘଟଣା ସ୍ଥଳରେ ପହଞ୍ଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା ପରେ ଧାରଣ ପ୍ରତ୍ୟାହୃତ ହୋଇଥିବା ଲାଞ୍ଜିଗଡ ଏଏସଆଇ ବଳଭଦ୍ର ଗୌଡ଼ ପ୍ରକାଶ କରିଛନ୍ତି ।

 

Dharitri – The Largest & Most Trusted Odia Daily