କେନ୍ଦ୍ରମନ୍ତ୍ରୀଙ୍କ ପୁଅଙ୍କୁ ପୋଲିସର ସମନ

ଲକ୍ଷ୍ନୌ,୭।୧୦: ଉତ୍ତରପ୍ରଦେଶର ଲଖିମପୁର ଖେରି ଅଞ୍ଚଳରେ ଘଟିଥିବା ହଂସାକାଣ୍ଡ ସମ୍ପର୍କରେ ପଚରାଉଚୁରା କରିବା ପାଇଁ କେନ୍ଦ୍ରମନ୍ତ୍ରୀଙ୍କ ପୁଅ ଆଶିଷ ମିଶ୍ରାଙ୍କୁ ଗୁରୁବାର ସମନ ଜାରି କରିଛି ପୋଲିସ। ହିଂସାକାଣ୍ଡର ମୁଖ୍ୟ ଅଭିଯୁକ୍ତଙ୍କୁ ଗିରଫ କରିବା ପାଇଁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେବା ପରେ ୟୁପି ପୋଲିସ ଏଭଳି କାର୍ଯ୍ୟାନୁଷ୍ଠାନ ନେଇଛି।

ଜୁନିୟର ସ୍ବରାଷ୍ଟ୍ର ମନ୍ତ୍ରୀ ଅଜୟ ମିଶ୍ରାଙ୍କ ପୁଅ ଆଶିଷ ମିଶ୍ରାଙ୍କୁ ପ୍ରଥମ ଥର ପାଇଁ ପୋଲିସ ପଚରାଉଚୁରା କରିବାକୁ ଯାଉଛି। ଗତ ସୋମବାର ଆଶିଷଙ୍କ ନାମରେ ହତ୍ୟା ମାମଲା ରୁଜୁ ହୋଇଥିଲା। କେନ୍ଦ୍ରମନ୍ତ୍ରୀଙ୍କ ବାସଭବନ ବାହାରେ ପୋଲିସ ନୋଟିସ ଲଗାଇଛି। ଆଶିଷଙ୍କୁ ଶୁକ୍ରବାର ସକାଳ ୧୦ଟାରେ ଥାନାରେ ହାଜର ହେବାକୁ କୁହାଯାଇଛି। ହିଂସାରେ ୪ ଚାଷୀଙ୍କ ସମେତ ୮ ଜଣଙ୍କ ମୃତ୍ୟୁ ପରେ ମୁଖ୍ୟ ଅଭିଯୁକ୍ତଙ୍କ ବିରୋଧରେ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରିବାରୁ ବିରୋଧୀ ଦଳର ନେତାମାନେ ଭାଜପା ସରକାରଙ୍କୁ ର୍ଟାଗେଟ କରିଛନ୍ତି।

ଆମେ କାହାକୁ ଘଉଡାଉ ନାହୁଁ। ଆଇନ ସମସ୍ତଙ୍କ ପାଇଁ ସମାନ। ଆମେ ନିଶ୍ଚିତ କରୁଛୁ ଯେ, ଦୋଷୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୋଲିସ ଅଧିକାରୀ କହିଛନ୍ତି। ଲଖିମପୁର ଖେରି ହିଂସା ଘଟଣାରେ ପୋଲିସ ୧୩ ଜଣଙ୍କ ନାମରେ ମାମଲା ରୁଜୁ କରିବା ସହ ଦୁଇ ଜଣଙ୍କୁ ଗିରଫ କରିଛି।