ବରଗଡ଼, ୫।୮(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ପୁଣି ଚାଷୀ ଅସନ୍ତୋଷ ତେଜି ଉଠିଛି। ଖରିଫ ଧାନବିକ୍ରି ପଞ୍ଜୀକରଣ ବ୍ୟବସ୍ଥାରେ ଜଟିଳତା, ଅଦିନିଆ ବର୍ଷାରେ କ୍ଷତିଗ୍ରସ୍ତ ଚାଷୀମାନଙ୍କୁ ଇନ୍ପୁଟ ସବ୍ସିଡି ନ ମିଳିବା, ବୀମା କ୍ଷତିପୂରଣ ଅପହଞ୍ଚ ଆଦି ସମସ୍ୟାକୁ ନେଇ ଜିଲାର ଚାଷୀମାନେ ତାତି ଉଠିଛନ୍ତି। ସୋମବାର ଜିଲାର ଭେଡେନ କୃଷକ ସଙ୍ଗଠନର ଏକ ପ୍ରତିନିଧି ଦଳ ଜିଲାପାଳ ଆଦିତ୍ୟ ଗୋୟଲଙ୍କୁ ଭେଟି ଉପରୋକ୍ତ ସମସ୍ୟା ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଏହା ସହିତ ୩ଦଫା ସମ୍ବଳିତ ଦାବିପତ୍ର ପ୍ରଦାନ କରିଛନ୍ତି। ଦାବି ପୂରଣ ନ ହେଲେ ଆଗକୁ ଆନ୍ଦୋଳନ ତୀବ୍ର କରାଯିବ ବୋଲି କୃଷକ ସଙ୍ଗଠନ ପକ୍ଷରୁ ଚେତାବନୀ ଦିଆଯାଇଛି। ଧାନବିକ୍ରି ପଞ୍ଜୀକରଣ ବ୍ୟବସ୍ଥାକୁ ନେଇ ବିଭାଗୀୟ ମନ୍ତ୍ରୀ ଏବଂ ଅଧିକାରୀମାନଙ୍କ କଥାରେ ତାଳମେଳ ରହୁ ନାହିଁ ଏବଂ ଅଯଥାରେ ଚାଷୀମାନେ ପ୍ରାଥମିକ କୃଷି ସମବାୟ ସମିତି (ପାକ୍ସ)କୁ ଧାଁ ଧପଡ଼ ହୋଇ ହଇରାଣ ହରକତ ହେଉଥିବା ଚାଷୀମାନେ ଅଭିଯୋଗ କରିଛନ୍ତି।
କୃଷକ ସଙ୍ଗଠନ ନେତୃବୃନ୍ଦ ଅଭିଯୋଗ କରି ପ୍ରକାଶ କରିଛନ୍ତି, ଧାନବିକ୍ରି ପଞ୍ଜୀକରଣ ବ୍ୟବସ୍ଥାକୁ ସରଳୀକରଣ କରାଯାଇଛି ବୋଲି ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଗଣମାଧ୍ୟମ ସମ୍ମୁଖରେ କହି ଚାଲିଛନ୍ତି। ମନ୍ତ୍ରୀଙ୍କ କହିବା ଅନୁସାରେ, ଜମି ରେକର୍ଡଧାରୀଙ୍କ ମୃତ୍ୟୁ କ୍ଷେତ୍ରରେ କେବଳ ସ୍ବ ଘୋଷଣାନାମା ଦେଇ ଧାନବିକ୍ରି ପଞ୍ଜୀକରଣ କରି ହେବ। କିନ୍ତୁ କୌଣସି ପାକ୍ସ କର୍ତ୍ତୃପକ୍ଷ ତାକୁ କାର୍ଯ୍ୟକାରୀ କରୁନାହାନ୍ତି ଏବଂ ପୂର୍ବ ଘୋଷିତ ବଂଶାବଳୀ ଏବଂ ସହମତିପତ୍ର ନ ଦେଲେ ଧାନବିକ୍ରି ପଞ୍ଜୀକରଣ କରୁ ନାହାନ୍ତି ବୋଲି ଅଭିଯୋଗ ହୋଇଛି। ଏଭଳି ସ୍ଥିତିରେ ମନ୍ତ୍ରୀ ମିଛ କହୁଛନ୍ତି ନା ଅଧିକାରୀ ମନ୍ତ୍ରୀଙ୍କ କଥା ମାନୁ ନାହାନ୍ତି ବୋଲି ସଂଗଠନ ପ୍ରଶ୍ନ କରିଛି।
ସେହିପରି ରବି ଧାନ ଅମଳ ଓ ସଂଗ୍ରହ ପ୍ରକ୍ରିୟା ଚାଲିଥିବା ସମୟରେ ଜିଲାରେ ଅଦିନିଆ ବର୍ଷା ହୋଇଥିଲା। ଏଥିରେ ଜିଲାର ଅନେକ ଚାଷୀଙ୍କ ଅମଳ ଏବଂ ଅମଳ ଅପେକ୍ଷାରେ ରହିଥିବା ଧାନ ନଷ୍ଟ ହୋଇଥିଲା। ତେବେ ଚାଷୀଙ୍କ ଦୃଢ଼ ଦାବି ପରେ କ୍ଷତିଗ୍ରସ୍ତ ଚାଷୀଙ୍କୁ ଅଦିନିଆ ବର୍ଷାଜନିତ ଇନ୍ପୁଟ ସବ୍ସିଡି ପ୍ରଦାନ ନେଇ ରାଜ୍ୟ ସରକାର ଘୋଷଣା କରିଥିଲେ। ଏଥିପାଇଁ ବରଗଡ଼ ଜିଲାକୁ ୭କୋଟି ୫୫ଲକ୍ଷ ୪୪ହଜାର ଟଙ୍କା ଇନ୍ପୁଟ ସବ୍ସିଡି ମିଳିଥିବା ନେଇ ରାଜସ୍ବ ଓ ପ୍ରାକୃତିକ ବିପର୍ଯ୍ୟୟ ମନ୍ତ୍ରୀ ସୁରେଶ ପୂଜାରୀ ଘୋଷଣା କରିଥିଲେ। କିନ୍ତୁ ଘୋଷଣାକୁ ଏକ ମାସରୁ ଊର୍ଦ୍ଧ୍ୱ ସମୟ ବିତି ଯାଇଥିଲେ ସୁଦ୍ଧା ଏପର୍ଯ୍ୟନ୍ତ କ୍ଷତିଗ୍ରସ୍ତ ଚାଷୀଙ୍କୁ ଇନ୍ପୁଟ ସବ୍ସିଡି ମିଳି ନାହିଁ ଏବଂ ରାଜସ୍ବ ମନ୍ତ୍ରୀଙ୍କ ଘୋଷଣା ଘୋଷଣାରେ ସୀମିତ ରହି ଯାଇଛି ବୋଲି କୃଷକ ସଂଗଠନ ଅଭିଯୋଗ କରିଛି। ଫସଲ ବୀମା କ୍ଷତିପୂରଣ ପ୍ରଦାନ କ୍ଷେତ୍ରରେ ମଧ୍ୟ ଅନୁରୂପ ସମସ୍ୟା ରହିଛି। ଧାନପେଟା କୁହା କ୍ଷତିପୂରଣ ପାଇଁ ଆବେଦନର ୧୦ଦିନ ମଧ୍ୟରେ ସର୍ଭେ ହେବ ଏବଂ ୧୫ଦିନରେ କ୍ଷତିପୂରଣ ଦେବା ନିୟମ ରହିଛି, କିନ୍ତୁ ଏପର୍ଯ୍ୟନ୍ତ କାହିଁକି ବୀମା କ୍ଷତିପୂରଣ କ୍ଷତିଗ୍ରସ୍ତ ଚାଷୀମାନଙ୍କୁ ପ୍ରଦାନ କରାଯାଇ ନାହିଁ ବୋଲି କୃଷକ ସଙ୍ଗଠନର ନେତୃବୃନ୍ଦ ପ୍ରଶ୍ନ କରିଛନ୍ତି।
ତେବେ ଉକ୍ତ ସମସ୍ୟା ସମୂହର ସମାଧାନ ଶୀଘ୍ର କରା ନ ଗଲେ ଯେକୌଣସି ମୁହୂର୍ତ୍ତରେ ରାଜରାସ୍ତାକୁ ଓହ୍ଲାଇବା ପାଇଁ କୃଷକ ସଙ୍ଗଠନ ଚେତାବନୀ ଦେଇଛି। ସଂଗଠନର ଉତ୍ପନ୍ନ କୁମାର ଭୋଇ, ସୁଦାମ ପାତ୍ର, ବିକାଶ ମାଝୀ, ମୋତିଲାଲ ମହାକୁଡ଼, ଭିଜନ ପାଢ଼ୀ, ସୁଧାଂଶୁ ଦୀପ, ଚୂଡ଼ାମଣି ଛନ୍ଦ, ଦଶମାଇଲ କୃଷକ ସଙ୍ଗଠନର ରବିଶଙ୍କର ପଧାନ, ଡୋଳାମଣି ମେହେର, ରମେଶ ମହାପାତ୍ର ଏବଂ ନିମାଇଁ ପଧାନ ପ୍ରମୁଖ ଜିଲାପାଳଙ୍କୁ ଦାବିପତ୍ର ପ୍ରଦାନ ସମୟରେ ଉପସ୍ଥିତ ଥିଲେ। ପ୍ରକାଶଥାଉ କି, ଧାନବିକ୍ରି ପଞ୍ଜୀକରଣରେ ଜଟିଳତା ପ୍ରସଙ୍ଗ ସମାଧାନ ପାଇଁ କୃଷକ ସଙ୍ଗଠନ ମୁଖ୍ୟମନ୍ତ୍ରୀ, କୃଷିମନ୍ତ୍ରୀ, ଯୋଗାଣ ମନ୍ତ୍ରୀ, ସମବାୟ ମନ୍ତ୍ରୀ, ଜିଲାପାଳ, ଏସ୍ପିଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ। ଏହା ସହିତ ଜିଲାର ୪୫ପାକ୍ସ ସମ୍ପାଦକଙ୍କୁ ମଧ୍ୟ ଦାବିପତ୍ର ପ୍ରଦାନ କରାଯାଇଥିଲା। ମାତ୍ର କିଛି ସୁଫଳ ମିଳି ନ ଥିବା ଅଭିଯୋଗ କରି କୃଷକ ସଙ୍ଗଠନ ପୁଣି ଆନ୍ଦୋଳନକୁ ଓହ୍ଲାଇବା ପାଇଁ ପ୍ରସ୍ତୁତି ଚଳାଇଥିବା ସୂଚନା ମିଳିଛି।