ମନ୍ତ୍ରୀ ଦେଲେ ବଡ଼ ପ୍ରତିଶ୍ରୁତି: ଗୁରୁକୁଳ ଖୋଲିବା ସହ ଶୀତ ମହୋତ୍ସବ ହେବ ଆଡମ୍ବରପୂର୍ଣ୍ଣ

ଦାରିଙ୍ଗବାଡି, ୨୨।୧୨ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡିକୁ ସୋମବାର ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା ଗସ୍ତ କରିଛନ୍ତି। ସେ ସକାଳ ୧୦ ଟାରେ ଦାରିଙ୍ଗବାଡିରେ ପହଞ୍ଚି ପୂର୍ବତନ ମଣ୍ଡଳ ସଭାପତି ସନ୍ତୋଷ କୁମାର ସାହୁଙ୍କ ବାସ ଭବନରେ ପହଞ୍ଚିଥିଲେ। ସେଠାରେ ଦଳୀୟ କର୍ମୀଙ୍କ ସମେତ ସ୍ଥାନୀୟ ବ୍ଲକ ଅଧ୍ୟକ୍ଷ ସୁଶାନ୍ତ କୁମାର ପ୍ରଧାନ, ବିଡ଼ିଓ ପ୍ରୀତିରଞ୍ଜନ ରଥ, ତହସିଲଦାର ଧୀରୋଜ ପାତ୍ର ପ୍ରମୁଖ ଉପସ୍ଥିତ ରହିଥିଲେ। ଦାରିଙ୍ଗବାଡିର ବିକାଶ ପାଇଁ ବିଭିନ୍ନ ପ୍ରସଙ୍ଗରେ ବ୍ଲକ ଅଧ୍ୟକ୍ଷ ଏବଂ ବିଡ଼ିଓ ଙ୍କ ସହ ଆଲୋଚନା କରିଥିଲେ। ଦାରିଙ୍ଗବାଡିରେ ଏକ ଗୁରୁକୁଳ ଖୋଲାଯିବା ପାଇଁ ସ୍ଥାନୀୟ ବାସିନ୍ଦା ଦାବି କରିଥିଲେ। ଏଥିପାଇଁ ଜମି ଚି଼ହ୍ନଟ କରି ଯୋଗାଇଦେବାକୁ ମନ୍ତ୍ରୀ ସ୍ଥାନୀୟ ତହସିଲଦାରଙ୍କୁ ନିର୍ଦ୍ଦେଶ ଦେଇଥିଲେ। ସେହିପରି ଦାରିଙ୍ଗବାଡିରେ ଷ୍ଟ୍ରିଟ ଲାଇଟ ଦୀର୍ଘ ଦିନ ହେଲା ଅଚଳ ଅବସ୍ଥାରେ ରହିଥିବା ଓ ଠିକା ସଂସ୍ଥା ତାକୁ ମରାମତି କରୁନଥିବା ସ୍ଥାନୀୟ ଲୋକ ଦୃଷ୍ଟି ଆକର୍ଷଣ କରିଥିଲେ। ଏଥିରେ ମନ୍ତ୍ରୀ ସମ୍ପୃକ୍ତି ଠିକା ସଂସ୍ଥାର ମୁଖ୍ୟଙ୍କୁ ଶୀଘ୍ର ଷ୍ଟ୍ରିଟ ଲାଇଟ ମରାମତି କରି ତାକୁ ସ୍ବାଭାବିକ କରିବାକୁ ନିର୍ଦ୍ଦେଶ ଦେଇଥିଲେ।

ସେହିପରି ଦତିଙ୍ଗବାଡିରେ ଆସନ୍ତା ୮ ଠାରୁ ୧୧ ପର୍ଯ୍ୟନ୍ତ ଶୀତ ମହୋତ୍ସବ ପାଳନ ହେବାକୁ ରହିଛି ଏଥିପାଇଁ ସ୍ଥାନୀୟ ପ୍ରଶାସନ ପକ୍ଷରୁ ମନ୍ତ୍ରୀଙ୍କୁ ନିମନ୍ତ୍ରଣ କରାଯାଇଥିଲା ଓ ସେ ଗୋଟିଏ ଦିନ ପାଇଁ ଅତିଥି ଭାବେ ଆସିବାକୁ ପ୍ରତିଶ୍ରୁତି ଦେବା ସହ ଶୀତ ମହୋତ୍ସବ ପାଇଁ ପାଣ୍ଠି ପ୍ରଦାନ ପାଇଁ ପ୍ରତିଶ୍ରୁତି ଦେବା ସହ ବିଡ଼ିଓଙ୍କୁ ଚିଠି ଲେଖିବାକୁ ପରାମର୍ଶ ଦେଇଥିଲେ। ସେହିପରି ଦାରିଙ୍ଗବାଡି ଭାଜପାର କର୍ମକର୍ତ୍ତାଙ୍କ ସହ ସାଙ୍ଗଠନିକ ଆଲୋଚନା କରିବା ସହ ଦଳକୁ ଆହୁରି ଶକ୍ତିଶାଳୀ କରିବା ପାଇଁ ଦଳୀୟ କର୍ମୀଙ୍କୁ କର୍ଣ୍ଣମନ୍ତ୍ର ପ୍ରଦାନ କରିଥିଲେ। ମନ୍ତ୍ରୀଙ୍କ ଗସ୍ତ ସମୟରେ ଦାରିଙ୍ଗବାଡି ଭାଜପାର ପୂର୍ବତନ ମଣ୍ଡଳ ସଭାପତି ସନ୍ତୋଷ ସାହୁ, ଅରୁଣ ପ୍ରଧାନ, ଏବେକାର ମଣ୍ଡଳ ସଭାପତି ମିଟୁ ସାହୁ, ବରିଷ୍ଠ କାର୍ଯ୍ୟକର୍ତ୍ତା ଅଜିତ ସାହୁ ଏବଂ ପୂର୍ବତନ ଜିଲା ସଭାପତି ଜଗନ୍ନାଥ ସାହୁଙ୍କ ସମେତ ବହୁ କର୍ମୀ ଉପସ୍ଥିତ ଥିଲେ।

 

Dharitri – Odisha’s No.1 Odia Daily