ସାଧାରଣତନ୍ତ୍ର ଦିବସ ଭାଷଣରେ ଆମ୍ବେଦକରଙ୍କୁ ଭୁଲିଗଲେ ମନ୍ତ୍ରୀ, ଅଭିଯୋଗ ଆଣି ମହିଳା କର୍ମଚାରୀ କହିଲେ…

ମୁମ୍ବାଇ,୨୬ା୧: ସୋମବାର ମହାରାଷ୍ଟ୍ରର ନାସିକରେ ସାଧାରଣତନ୍ତ୍ର ଦିବସ ପାଳନ ସମୟରେ ମହାରାଷ୍ଟ୍ର ଜଳସମ୍ପଦ ମନ୍ତ୍ରୀ ଗିରିଶ ମହାଜନ ଏକ ଲଜ୍ଜାଜନକ ପରିସ୍ଥିତିର ସମ୍ମୁଖୀନ ହୋଇଥିଲେ। ଯେତେବେଳେ ଜଣେ ବନ ବିଭାଗର କର୍ମଚାରୀ ତାଙ୍କ ଭାଷଣରେ ଡକ୍ଟର ଭୀମରାଓ ଆମ୍ବେଦକରଙ୍କୁ ବାଦ୍‌ ଦେବା ଉପରେ ଆପତ୍ତି କରିଥିଲେ। ମନ୍ତ୍ରୀଙ୍କୁ ସାଧାରଣରେ କ୍ଷମା ମାଗିବାକୁ ବାଧ୍ୟ କରାଯାଇଥିଲା।

ଜାତୀୟ ପତାକା ଉତ୍ତୋଳନ କରିବା ପରେ ମହାଜନ ସମାବେଶକୁ ସମ୍ବୋଧିତ କରୁଥିଲେ। ବନ ବିଭାଗର କର୍ମଚାରୀ ମାଧବୀ ଯାଦବ ହସ୍ତକ୍ଷେପ କରି ଯୁକ୍ତି ଦେଇଥିଲେ ଯେ, ଗଣତନ୍ତ୍ର ଦିବସ ହେଉଛି ସମ୍ବିଧାନର ଏକ ଉତ୍ସବ ଏବଂ ସମ୍ବିଧାନର ସ୍ଥପତି ଡକ୍ଟର ଆମ୍ବେଦକରଙ୍କ ନାମ ବାଦ୍‌ ଦେବା ଅନୁଚିତ। ତାଙ୍କ ପ୍ରତିବାଦ ପରେ ପୋଲିସ ହସ୍ତକ୍ଷେପ କରିଥିଲା ଏବଂ ଯାଦବଙ୍କୁ କିଛି ସମୟ ପାଇଁ ଅଟକ ରଖାଯାଇଥିଲା।

ମାଧବୀ ଅଭିଯୋଗ କରିଥିଲେ ଯେ, ମନ୍ତ୍ରୀ ତାଙ୍କ ଭାଷଣରେ ଗଣତନ୍ତ୍ର ଏବଂ ସମ୍ବିଧାନ ପାଇଁ ଦାୟୀ ନଥିବା ବ୍ୟକ୍ତିବିଶେଷଙ୍କ ନାମ ନେଇଥିଲେ, କିନ୍ତୁ ଡକ୍ଟର ଆମ୍ବେଦକରଙ୍କ ନାମ ମଧ୍ୟ ଉଲ୍ଲେଖ କରି ନ ଥିଲେ। ସେ କହିଥିଲେ, ବାବାସାହେବ ଆମ୍ବେଦକରଙ୍କ ଯୋଗୁ ସେ ସରକାରୀ ଚାକିରି ପାଇଥିଲେ ଏବଂ ପ୍ରଶାସନ ତାଙ୍କୁ ନିଲମ୍ବନ କଲେ ମଧ୍ୟ ସେ କ୍ଷମା ମାଗିବେ ନାହିଁ।

ଏହା ଉପରେ ପ୍ରତିକ୍ରିୟା ଦେଇ ମନ୍ତ୍ରୀ ଗିରୀଶ ମହାଜନ ପରେ କହିଥିଲେ, ଡକ୍ଟର ଆମ୍ବେଦକରଙ୍କ ନାମ ବାଦ ଦେବା ସମ୍ପୂର୍ଣ୍ଣ ଅନିଚ୍ଛାକୃତ ଅବହେଳା ଥିଲା। ସେ କହିଥିଲେ, ‘ମୁଁ ’ଭାରତ ମାତା କି ଜୟ’, ‘ବନ୍ଦେ ମାତରମ’ ଏବଂ ଛତ୍ରପତି ଶିବାଜୀ ମହାରାଜ କି ଜୟ’ ଭଳି ସ୍ଲୋଗାନ ଦେଇଥିଲି, କିନ୍ତୁ ମୁଁ ଡକ୍ଟର ଆମ୍ବେଦକରଙ୍କ ନାମ ଉଲ୍ଲେଖ କରି ନ ଥିଲି। ମୋର ଏପରି କୌଣସି ଉଦ୍ଦେଶ୍ୟ ନ ଥିଲା। ମୁଁ ସବୁବେଳେ ମୋର ଭାଷଣରେ ତାଙ୍କୁ ସମ୍ମାନ କରେ ଏବଂ ଏଥିପାଇଁ କ୍ଷମା ପ୍ରାର୍ଥନା କରୁଛି।

ଏହି ଘଟଣା ରାଜନୈତିକ ପ୍ରତିକ୍ରିୟା ମଧ୍ୟ ସୃଷ୍ଟି କରିଥିଲା। ମୁମ୍ବାଇ ଏମ୍‌ପି ଏବଂ ନଗର କଂଗ୍ରେସ ଅଧ୍ୟକ୍ଷା ବର୍ଷା ଗାୟକଓ୍ବାଡ ଭାଜପାକୁ ଟାର୍ଗେଟ କରି କହିଛନ୍ତି ଯେ, ଗଣତନ୍ତ୍ର ଦିବସ ହେଉଛି ସମ୍ବିଧାନର ଏକ ଉତ୍ସବ ଏବଂ ଏହାର ପ୍ରତିଷ୍ଠାତା ପୂର୍ବପୁରୁଷମାନଙ୍କୁ ଭୁଲିଯିବା ଭାଜପାର ମହାରାଷ୍ଟ୍ର ବିରୋଧୀ ମାନସିକତାକୁ ପ୍ରତିଫଳିତ କରେ।

ଗାୟକଓ୍ବାଡ କହିଛନ୍ତି, ଏହି କାର୍ଯ୍ୟକ୍ରମ ସମୟରେ ମାଧବୀଙ୍କ ଦ୍ୱାରା ଉଠାଯାଇଥିବା ଆପତ୍ତି ପ୍ରତ୍ୟେକ ସ୍ବାଭିମାନୀ ମରାଠୀ ନାଗରିକଙ୍କ ଭାବନାକୁ ପ୍ରତିଫଳିତ କରେ। ସେ ଅଭିଯୋଗ କରିଛନ୍ତି, ଶାସକ ଦଳ କେବଳ କ୍ଷମତା ଏବଂ ଟଙ୍କା ପାଇଁ ଚିନ୍ତିତ। ଦେଶ ଏବଂ ରାଜ୍ୟକୁ ଗଠନ କରିଥିବା ନେତାମାନଙ୍କ ପ୍ରତି ସେମାନଙ୍କର କୌଣସି ସମ୍ମାନ ନାହିଁ। ସେ କହିଛନ୍ତି, ମହାରାଷ୍ଟ୍ରର ଲୋକମାନେ ଏପରି କ୍ଷମତାଲୋଭୀ ମନ୍ତ୍ରୀମାନଙ୍କୁ କେବେ କ୍ଷମା କରିବେ ନାହିଁ।

Dharitri –Odisha’s No.1 Trusted Odia Daily

Share