ଛତ୍ରପୁର, ୪।୯ (ଦିଲ୍ଲୀପ ସାମଲ): ଚମାଖଣ୍ଡି ଥାନା ଅନ୍ତର୍ଗତ ଡୁବୁଲି ଛକ ସ୍ଥିତ ତଟରକ୍ଷୀବାହିନୀ କାର୍ଯ୍ୟାଳୟ ସମ୍ମୁଖ ରାସ୍ତାରେ ମାଇନିଂ ଟ୍ରକ ଚପାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତ ଜଣକ ହେଲେ ମାଟିଖାଲ ଗ୍ରାମର ନାରାୟଣ ପ୍ରଧାନ (୩୩) । ଏହା ସହିତ ତାଙ୍କର ପତ୍ନୀ ଏବଂ ଆଉ ଜଣେ ବାଇକ ଆରୋହୀ ଆହାତ ହୋଇଛନ୍ତ। ଗ୍ରାମବାସୀଙ୍କ କହିବାନୁସାରେ, ନାରାୟଣ ପ୍ରଧାନ ଏବଂ ତାଙ୍କ ପତ୍ନୀ ଏକ ବାଇକ ଯୋଗେ ଛତ୍ରପୁରରୁ ମାଟିଖାଲ ଅଭିମୁଖେ ଯାଉଥିବା ବେଳେ ଧରମପୁର ଗ୍ରାମର ଏମ. ୱାସୁ ନାମକ ଯୁବକ ଆଉ ଏକ ବାଇକ ଯୋଗେ ଛତ୍ରପୁର ଅଭିମୁଖେ ଯାଉଥିବା ବେଳେ ତଟରକ୍ଷୀବାହିନୀ କାର୍ଯ୍ୟାଳୟ ସମ୍ମୁଖ ରାସ୍ତାରେ ଦୁଇଟି ବାଇକ ମୁହାଁମୁହିଁ ଧକ୍କା ହୋଇଥିଲା। ଯାହାଫଳରେ ନାରାୟଣ ପ୍ରଧାନ ଏବଂ ତାଙ୍କ ପତ୍ନୀ ଝିଟିକି ହୋଇ ରାସ୍ତାରେ ପଡିଯାଇଥିବା ବେଳେ ଏକ ମାଇନିଂ ଟ୍ରକ ନାରାୟଣଙ୍କୁ ଚାପି ଦେଇ ସେଠାରୁ ଚମ୍ପଟ ମାରିଥିଲା। ରକ୍ତାକ୍ତ ଅବସ୍ଥାରେ ଉଭୟଙ୍କୁ ସ୍ଥାନୀୟ ବାସିନ୍ଦାମାନେ ଏକ ଗାଡି ଯୋଗେ ଛତ୍ରପୁର ଉପଖଣ୍ଡଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ସେଠାରେ ନାରାୟଣଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ଘଟଣାର ସୂଚନା ପାଇ ମେଡିକାଲରେ ଛତ୍ରପୁର ବିଧାୟକ କୃଷ୍ଣ ଚନ୍ଦ୍ର ନାୟକ ପହଁଚି ଆହାତ ମାନଙ୍କୁ ଦେଖିବା ସହ ମାଟିଖାଲ ଗ୍ରାମବାସୀଙ୍କ ସହ ଦୁର୍ଘଟଣା ବିଷୟରେ ପଚାରି ବୁଝିଥିଲେ। ଅନ୍ୟପଟେ ଚମ୍ପଟ ମାରିଥିବା ମାଇନିଂ ଟ୍ରକଟି କାହାର କୁଆଡେ ଗଲା ସେ ସମ୍ପର୍କରେ ପୋଲିସ ତଦନ୍ତ କରି ଉପଯୁକ୍ତ ନ୍ୟାୟ ପ୍ରଦାନ ନିମନ୍ତେ ଦାବି ହୋଇଛି ।