ଗଞ୍ଜାମ,୧।୪(ଅନାଥ ତରାଇ): ଗଞ୍ଜାମ ଥାନା ଅନ୍ତର୍ଗତ ବିଞ୍ଚଣାପଲି ଛକ ୧୬ ନମ୍ବର ଜାତୀୟ ରାଜପଥଠାରେ ଗତକାଲି ବିଳମ୍ବିତ ରାତି ପ୍ରାୟ ୧୨ଟା ୩୦ ମିନିଟ ସମୟରେ ଏକ ବଡ଼ ଧରଣର ସଡ଼କ ଦୁର୍ଘଟଣା ଘଟିଛି। ଖୋର୍ଦ୍ଧା ଅଭିମୁଖେ ଯାଉଥିବା ଏକ ମାଛ ବୋଝେଇ ମିନି ଟ୍ରକ (ନଂ ଓଡି୦୨ସିଭି୨୬୭୦) ଭାରସାମ୍ୟ ହରାଇ ରାସ୍ତା ଉପରେ ଓଲଟି ପଡ଼ିଥିଲା। ଖବର ପାଇ ଗଞ୍ଜାମ ପୋଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିସ୍ଥିତିକୁ ନିୟନ୍ତ୍ରଣ କରିବା ସହ ଯାନବାହନ ଚଳାଚଳ ସ୍ବାଭାବିକ କରିଥିଲା। ସୌଭାଗ୍ୟବଶତଃ ଏହି ଦୁର୍ଘଟଣାରେ କୌଣସି ପ୍ରାଣହାନି ଘଟିନାହିଁ। ଟ୍ରକ ଚାଳକଙ୍କୁ ସାମାନ୍ୟ ଆଘାତ ଲାଗିଥିଲା। ଦୁର୍ଘଟଣାଗ୍ରସ୍ତ ମିନି ଟ୍ରକରୁ ମାଛଗୁଡ଼ିକୁ ଅନ୍ୟ ଏକ ଟ୍ରକକୁ ସ୍ଥାନାନ୍ତର କରାଯାଉଛି। ଏକ କ୍ରେନ ସାହାଯ୍ୟରେ ରାସ୍ତା ମଝିରେ ପଡ଼ିଥିବା ଟ୍ରକଟିକୁ ରାସ୍ତା ପାଶର୍ବକୁ ହଟାଯାଇଥିଲା। ଏହି ସମ୍ପୂର୍ଣ୍ଣ କାର୍ଯ୍ୟରେ ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କ କର୍ମଚାରୀମାନେ ପୋଲିସକୁ ସହଯୋଗ କରିଥିଲେ। ଦୁର୍ଘଟଣା ପରେ କିଛି ସମୟ ପାଇଁ ରାଜପଥରେ ଯାତାୟାତ ବାଧାପ୍ରାପ୍ତ ହୋଇଥିଲେ ସୁଦ୍ଧା ବର୍ତ୍ତମାନ ପରିସ୍ଥିତି ସମ୍ପୂର୍ଣ୍ଣ ସ୍ବାଭାବିକ ରହିଛି।