ସୌରଜଗତର ମଙ୍ଗଳ ଏବଂ ବୃହସ୍ପତି ଗ୍ରହ କକ୍ଷ ମଝିରେ ଅନେକ କ୍ଷୁଦ୍ର ବସ୍ତୁପିଣ୍ଡ ସୂର୍ଯ୍ୟକୁ ପରିକ୍ରମଣ କରୁଛି। ଏଗୁଡ଼ିକୁ ଗ୍ରହାଣୁ ବା ଗୌଣ ଗ୍ରହ କୁହାଯାଏ ଏବଂ ଯେଉଁ ଅଞ୍ଚଳରେ ଏଗୁଡ଼ିକ ସୂର୍ଯ୍ୟକୁ ପରିକ୍ରମଣ କରିଥାଆନ୍ତି, ତାକୁ ଗ୍ରହାଣୁ ବଳୟ କୁହାଯାଏ। ଯେଉଁ ଆଦିବସ୍ତୁରୁ ସୂର୍ଯ୍ୟ, ଗ୍ରହ, ଉପଗ୍ରହଗୁଡିକ ସୃଷ୍ଟି ହୋଇଛି, ସେଥିରୁ ଗ୍ରହାଣୁଗୁଡିକୁ ସୃଷ୍ଟି ହୋଇଥିବାର ବିଶ୍ୱାସ କରାଯାଏ। କେତେକ ଜ୍ୟୋତିର୍ବିଦ ମତ ଦେଇଥାଆନ୍ତି ଯେ ପୂର୍ବରୁ ଏହି ଅଞ୍ଚଳରେ ଗୋଟିଏ ଗ୍ରହ ଥିଲା ଏବଂ କୌଣସି କାରଣରୁ ଏହା ଭାଙ୍ଗି ଯାଇ ଅନେକ ଖଣ୍ଡରେ ପରିଣତ ହୋଇଛି। ଏଗୁଡିକର ସଂଖ୍ୟା ହେଉଛି ଅନେକ ଏବଂ ଏକ କିମି ବ୍ୟାସରୁ ବଡ଼ ଗ୍ରହାଣୁ ସଂଖ୍ୟା ଦଶ ଲକ୍ଷରୁ ଅଧିକ ହେବ।
ଗ୍ରହାଣୁଗୁଡ଼ିକ ବର୍ତ୍ତମାନ ବୈଜ୍ଞାନିକମାନଙ୍କର ଦୃଷ୍ଟି ଆକର୍ଷଣ କରିବାର ଏକ ମୁଖ୍ୟ କାରଣ ହେଉଛି ଏଥିରେ ଥିବା ଖଣିଜ ସମ୍ପଦ। ବର୍ଣ୍ଣାଳି ଅଭିଲକ୍ଷଣରୁ ଗ୍ରହାଣୁଗୁଡିକୁ ତିନୋଟି ଶ୍ରେଣୀରେ ବର୍ଗୀକରଣ କରାଯାଇଛି। ଅଧିକ କାର୍ବନ ଥିବା ଗ୍ରହାଣୁକୁ ‘ସି’ (କାର୍ବନ), ଅଧିକ ଧାତୁ ଥିବା ଗ୍ରହାଣୁକୁ ‘ଏମ୍’ (ମେଟାଲ୍) ଏବଂ ଅଧିକ ଧାତୁ ଥିବା ଗ୍ରହାଣୁକୁ ‘ଏସ୍’ (ସିଲକା) କୁହାଯାଏ। ଗ୍ରହାଣୁଗୁଡ଼ିକରୁ ଆସି ପୃଥିବୀରେ ପଡ଼ିଥିବା କେତେକ ଉଲ୍କାପିଣ୍ଡକୁ ପରୀକ୍ଷା କରି ବୈଜ୍ଞାନିକମାନେ ସେଥିରେ କେତେକ ମୂଲ୍ୟବାନ ଖଣିଜ ପଦାର୍ଥ ଥିବାର ଜାଣି ପାରିଛନ୍ତି। ପୁନଶ୍ଚ ବୈଜ୍ଞାନିକମାନେ ଟେଲିସ୍କୋପିକ୍ ସ୍ପେକ୍ଟ୍ରୋସ୍କୋପି ବା ଦୂରବୀକ୍ଷଣୀୟ ବର୍ଣ୍ଣାଳୀ ବିଜ୍ଞାନ ପଦ୍ଧତି ସାହାଯ୍ୟରେ ଗ୍ରହାଣୁପୃଷ୍ଠରୁ ପ୍ରତିଫଳିତ ଆଲୋକର ବିଶ୍ଳେଷଣ କରି ସେଠାରେ ଥିବା ଧାତବ ଉପାଦାନଗୁଡିକୁ ଚିହ୍ନଟ କରିଛନ୍ତି। ଖଣିଜ ମଧ୍ୟରେ ଲୌହ, ନିକେଲ, ମ୍ୟାଗ୍ନେସିୟମ ଏବଂ ଏପରିକି ସୁନା ଓ ପ୍ଲାଟିନମ୍ ଭଳି ଅତ୍ୟନ୍ତ ମୂଲ୍ୟବାନ ଧାତୁ ଅନ୍ତର୍ଗତ।
ଭବିଷ୍ୟତରେ ଅନେକ ଗଭୀର ମହାକାଶ ଅଭିଯାନ ଯୋଜନା କରାଯାଇଛି। ମହାକାଶଚାରୀମାନେ ମଙ୍ଗଳ ଓ କେତୋଟି ଉପଗ୍ରହରେ ଅବତରଣ କରିବା ପାଇଁ ଯୋଜନା କରିଛନ୍ତି। ଏହିସବୁ ଅଭିଯାନ ପାଇଁ ପୃଥିବୀପୃଷ୍ଠରୁ ବିଭିନ୍ନ ବସ୍ତୁ ଉତ୍ତୋଳନ କରିବାରେ ଅନେକ ଜଟିଳତା ଅଛି। ଏଣୁ ଗ୍ରହାଣୁରୁ ଖଣିଜ ଉତ୍ତୋଳନ କରି ତାକୁ ମହାକାଶ ଅଭିଯାନରେ ବ୍ୟବହାର କରିବା ପାଇଁ ବୈଜ୍ଞାନିକମାନେ ଚିନ୍ତା କରିଛନ୍ତି। ପୁନଶ୍ଚ ସୁନା ଓ ପ୍ଲାଟିନମ୍ ଧାତୁକୁ ପୃଥିବୀକୁ ଆଣିବା ଅର୍ଥନୈତିକ ଦୃଷ୍ଟିରୁ ଲାଭଜନକ ହେବ।
ଗ୍ରହାଣୁରୁ ଖଣିଜ ଉତ୍ତୋଳନ କରିବା ପାଇଁ ମହାକାଶ ବିଜ୍ଞାନ କେତେଗୁଡ଼ିଏ ପ୍ରଯୁକ୍ତି ବିଦ୍ୟାକୁ ପ୍ରମାଣ କରିସାରିଛି। ଅନେକ ଅଭିଯାନରେ କେତୋଟି ଗ୍ରହାଣୁରେ ମହାକାଶଯାନ ଅବତରଣ କରିଛି। ଆମେରିକାର ମହାକାଶ ସଂସ୍ଥା ‘ନାସା’ ପଠାଇଥିବା ନିୟର-ସୁମେକେର ଯାନ ଇରୋସ ଗ୍ରହାଣୁ କକ୍ଷରେ ପରିକ୍ରମଣ କରିବା ପରେ ୨୦୦୧ ମସିହାରେ ଏହା ପୃଷ୍ଠରେ ଅବତରଣ କରିଥିଲା। ଜାପାନର ହୟାବୁସା ଯାନ ୨୦୦୫ ମସିହାରେ ଇତୋକାଓ୍ବା ନାମକ ଗ୍ରହାଣୁରେ ଅବତରଣ କରି ସେଥିରୁ ନମୁନା ସଂଗ୍ରହ କରିଥିଲା ଏବଂ ୨୦୧୦ ମସିହାରେ ଏହାକୁ ନେଇ ପୃଥିବୀକୁ ପ୍ରତ୍ୟାବର୍ତ୍ତନ କରିଥିଲା। ୟୁରୋପୀୟ ମହାକାଶ ସଂସ୍ଥାର ଫିଲେ ଯାନ ୨୦୧୪ ମସିହାରେ ଚୁର୍ୟୁମୋଭ-ଗେରାସିମଙ୍କୋ ଧୂମକେତୁରେ ଅବତରଣ କରିଥିଲା। ଜାପାନର ହୟାବୁସା-୨ଯାନ ଚ୍ୟୁଗୁ ଗ୍ରହାଣୁ ପୃଷ୍ଠରେ ଦୁଇଟି ପ୍ରୋବ୍ ଅବତରଣ କରାଇଥିଲା ଏବଂ ସେଠାରୁ ନମୁନା ନେଇ ୨୦୨୦ ମସିହାରେ ଫେରିଥିଲା। ‘ନାସା’ର ଓସିରିସ୍-ରେକ୍ସ ଯାନ ୨୦୨୦ ମସିହାରେ ବେନୁ ଗ୍ରହାଣୁରେ ଅବତରଣ କରି ସେଠାରୁ ୨୦୨୩ ମସିହାରେ ପୃଥିବୀକୁ ନମୁନା ଆଣିଥିଲା ଏବଂ ଏହାପରେ ଏହା ଅନ୍ୟ ଏକ ଗ୍ରହାଣୁ ଆପୋଫିସ୍ ଅଭିମୁଖେ ବର୍ତ୍ତମାନ ଗତି କରୁଛି। ଚାଇନାର ତିଆନଓ୍ବେନ୍ -୨ ଯାନକୁ କାମୁଏଲଓ୍ବୋ ଗ୍ରହାଣୁ ଅଭିମୁଖେ ୨୦୨୫ ମସିହା ମେ’ ମାସରେ ଉତ୍କ୍ଷେପଣ କରାଯାଇଛି। ଏହା ୨୦୨୭ ମସିହାରେ ସେଠାରୁ ନମୁନା ନେଇ ଫେରିବ। ପୃଥିବୀପୃଷ୍ଠରେ ନମୁନାକୁ ପକାଇ ଏହା ପୁନଶ୍ଚ ଧୁମକେତୁ ପାନ୍ଷ୍ଟାର୍ସ ଅଭିମୁଖେ ଗତି କରିବ।
‘ନାସା’ର ଡାର୍ଟ ଅଭିଯାନରେ ୨୦୨୨ ମସିହାରେ ଏକ ଯାନକୁ ଉଦ୍ଦେଶ୍ୟମୂଳକ ଭାବରେ ଡିମୋଫୋର୍ସ୍ ଗ୍ରହାଣୁ ସହିତ ସଂଘର୍ଷ କରାଯାଇଥିଲା। ପୃଥିବୀ ସହିତ ଗୋଟିଏ ଗ୍ରହାଣୁ ସଂଘର୍ଷ କରିବାକୁ ଆସିଲେ ତାକୁ କିପରି ପଥଚ୍ୟୁତ କରାଯାଇପାରିବ, ତାହାର ଏକ ପରୀକ୍ଷା ଡାର୍ଟ ଅଭିଯାନ ଥିଲା। ଖଣିଜ ସମ୍ପଦ ଉତ୍ତୋଳନର ଅନ୍ୟ ଏକ ପ୍ରୟୋଗ ହେଉଛି ପୃଥିବୀକୁ ସୁରକ୍ଷା ଦେବା ପାଇଁ ପ୍ରଯୁକ୍ତିବିଦ୍ୟାର ବିକାଶ କରିବା। ଏହାଫଳରେ ପୃଥିବୀ ଆଡକୁ ଆସୁଥିବା ଗ୍ରହାଣୁକୁ ଧରି ତାକୁ ଚନ୍ଦ୍ର କକ୍ଷରେ ଅବସ୍ଥାପନ କରି ଅଧ୍ୟୟନ କରିହେବ।
ନିକଟରେ ସ୍ପେନର ବାର୍ସିଲୋନା ବିଶ୍ୱବିଦ୍ୟାଳୟର ଏକ ଗବେଷଣା ଦଳ କେତୋଟି ଉଲ୍କାପିଣ୍ଡରୁ କାର୍ବୋନିୟସ୍ କୋଣ୍ଡ୍ରାଇଟ୍ସ ନମୁନା ଆବିଷ୍କାର କରି ଅଧ୍ୟୟନରୁ ଜାଣିପାରିଛନ୍ତି ଯେ, ଏଗୁଡିକ ‘ସି’ ପ୍ରକାର ଗ୍ରହାଣୁରୁ ଆସିଛି। ଏଥିରୁ ସେମାନେ ଅନୁମାନ କରିଛନ୍ତି ଯେ, ଏହି ପ୍ରକାର ଗ୍ରହାଣୁରେ ବିଭିନ୍ନ ପ୍ରକାର ଖଣିଜ ସମ୍ପଦ ଅଛି। ସେମାନେ ସେମାନଙ୍କର ନିଷ୍କର୍ଷକୁ ରୟାଲ ଆଷ୍ଟ୍ରୋନୋମିକାଲ ସୋସାଇଟିର ପତ୍ରିକାରେ ପ୍ରକାଶ କରିଛନ୍ତି। ସୂଚନାଯୋଗ୍ୟ ଯେ ପ୍ରାୟ ୭୫ ପ୍ରତିଶତ ଗ୍ରହାଣୁ ହେଉଛି ‘ସି’ ଶ୍ରେଣୀର।
ଖଣିଜ ସମ୍ପଦ ସନ୍ଧାନ ଓ ଉତ୍ତୋଳନ ପାଇଁ ଉପଯୁକ୍ତ ଗ୍ରହାଣୁ ଚୟନ ହେଉଛି ଜରୁରୀ। କାରଣ ପ୍ରତ୍ୟେକ ଗ୍ରହାଣୁରେ ଆମର ବାଞ୍ଛିତ ଖଣିଜ ନାହିଁ। ଏଥିପାଇଁ ଯାନ ସାହାଯ୍ୟରେ ପ୍ରଥମେ ସେଠାରୁ ନମୁନା ଆଣି ପରୀକ୍ଷା କରାଯିବା ସହିତ ଦୂରବୀକ୍ଷଣୀୟ ବର୍ଣ୍ଣାଳୀ ପଦ୍ଧତି ବ୍ୟବହାର କରି ରାସାୟନିକ ବିଶ୍ଳେଷଣ କରାଯିବା ଆବଶ୍ୟକ। ପୁନଶ୍ଚ ଗ୍ରହାଣରୁ ଖଣିଜ ଉତ୍ତୋଳନ କରିବା ଓ ସଂଗ୍ରହ କରି ଆଣିବାର କାରିଗରି ବିଦ୍ୟାର ବିକାଶ ଜରୁରୀ। ଖଣିଜ ପଦାର୍ଥର ପ୍ରକ୍ରିୟାକରଣ ମଧ୍ୟ ଏକ ମୁଖ୍ୟ ବିଷୟ। ଗ୍ରହାଣୁ ପୃଷ୍ଠରେ ସେଥିରୁ ଧାତୁକୁ ନିଷ୍କାସନ କରି କେବଳ ଧାତୁକୁ ଆଣିବା ଏବଂ ଅବଶେଷକୁ ସେଠାରେ ଛାଡିଦେଇ ଆସିବା ସୁବିଧାଜନକ ହେବ। ଗ୍ରହାଣୁରୁ ଖଣିଜ ସମ୍ପଦ ଆଣିବାରେ ମହାକାଶ ଅଭିଯାନର ଖର୍ଚ୍ଚ ବହୁଳତା, ଖଣିଜ ସମ୍ପଦ ଥିବା ଗ୍ରହାଣୁର ଠିକ୍ ଚୟନ ଏବଂ ମହାକାଶୀୟ ପରିବେଶରେ ଖଣିଜ ଉତ୍ତୋଳନ ଆଦି ଅନେକ ଆହ୍ବାନମୂଳକ ସମସ୍ୟା ରହିଛି।
ଗ୍ରହାଣୁରୁ ଖଣିଜ ଉତ୍ତୋଳନ ଯୋଜନା ବର୍ତ୍ତମାନ ପ୍ରାରମ୍ଭିକ ସ୍ତରରେ ଅଛି। ଯଦିଓ ଅନେକ ବର୍ଷ ପୂର୍ବରୁ ଏହା ଚିନ୍ତା କରାଯାଇଛି ଏବଂ କେତୋଟି ମହାକାଶ ଅଭିଯାନରେ ଏସବୁ ସଂଶ୍ଳିଷ୍ଟ କରାଯାଇଛି, ଏହାକୁ ସଫଳ ଭାବେ କାର୍ଯ୍ୟକାରୀ କରିବା ପାଇଁ ଆହୁରି ଅନେକ ବର୍ଷ ଲାଗିଯାଇପାରେ।
ଇଂ.ମାୟାଧର ସ୍ବାଇଁ
-ସମ୍ପାଦକ, ସାଇନ୍ସ ହୋରିଜନ୍
୭୦, ଲକ୍ଷ୍ମୀବିହାର, ଫେଜ୍-୧, ଭୁବନେଶ୍ୱର
ମୋ : ୯୪୩୮୬୯୩୭୨୪