ବନ୍ଧାହେଲେ କୋଟିପତି ବାବୁ: ୧ କୋଟି ୨୪ ଲକ୍ଷ ଟଙ୍କା ହେରଫେର ଅଭିଯୋଗ

କଟକ,୨୩।୮: ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ ମାମଲାରେ କଟକ ସିଟି ହସ୍ପିଟାଲର ବରିଷ୍ଠ ସହାୟକ କିଶୋର କୁମାର ସାହାଣୀଙ୍କୁ ଭିଜିଲାନ୍ସ ଗିରଫ କରିଛି। ୧ କୋଟି ୨୪ ଲକ୍ଷ ଟଙ୍କା ହେରଫେର ଅଭିଯୋଗରେ ଭିଜିଲାନ୍ସ ତାଙ୍କୁ ଗିରଫ କରିଥିବା ଜଣାପଡିଛି।

ଭିଜିଲାନ୍ସର ୫ଟି ଟିମ୍‌ ଶୁକ୍ରବାର ସକାଳୁ ଏକସଙ୍ଗେ ୫ଟି ଜାଗାରେ ଚଢ଼ାଉ କରିଥିଲା। ଚଢ଼ାଉ ସମୟରେ କୋଟିଏରୁ ଊର୍ଦ୍ଧ୍ୱ ଟଙ୍କାରୁ ଊର୍ଦ୍ଧ୍ୱ ଟଙ୍କା ମୂଲ୍ୟର ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ଠାବ ହୋଇଥିବା ଜଣାପଡ଼ିଛି। ତନ୍ମଧ୍ୟରେ କଟକ ଯୋବ୍ରା ନୂଆସାହିରେ ୨୫ ଶହ ବର୍ଗଫୁଟ୍‌ର ୩ ମହଲା କୋଠାଘର, ଚୌଦ୍ୱାର ପଳାସିଆରେ ୨.୫ ଏକର ଜମିରେ ବିଲଡିଂ ଓ କୁକୁଡ଼ା ଫାର୍ମ, ଖୋର୍ଦ୍ଧାର ଜଟଣୀ ଓ କଟକ ସହର ଆଖପାଖ ଅଞ୍ଚଳରେ ଥିବା ୧୮ଟି ମୂଲ୍ୟବାନ ପ୍ଲଟ, ନଗଦ ୩.୩୦,୮୦୦ ଟଙ୍କା, ବ୍ୟାଙ୍କ ଡିପୋଜିଟ୍‌ ୫୫,୪୮,୪୦୬ ଟଙ୍କା, ଗୋଟିଏ ୪ ଚକିଆ ଓ ୩ଟି ଦୁଇଚକିଆ ଯାନ, ୧୦.୫୭ ଲକ୍ଷ ଟଙ୍କାର ଗୃହସାମଗ୍ରୀ ରହିଛି। ଚଢ଼ାଉରେ ୯ଜଣ ଡିଏସ୍‌ପି, ୧୦ଜଣ ଇନସ୍‌ପେକ୍ଟର, ୭ଜଣ ଏଏସ୍‌ଆଇ ଓ ଅନ୍ୟମାନେ ସାମିଲ ହୋଇଥିଲେ। କଟକ ଭିଜିଲାନ୍ସ ସ୍ପେଶାଲ କୋର୍ଟର ସର୍ଚ୍ଚ ଓ୍ବାରେଣ୍ଟ ବଳରେ ଏହି ଚଢ଼ାଉ କରାଯାଉଛି। ସାହାଣି ୧୯୯୭ ଜାନୁଆରୀ ୭ରେ କନିଷ୍ଠ ସହାୟକ ଭାବେ ରିହାବିଲିଟେଶନ ସ୍କିମରେ ଚାକିରି ଆରମ୍ଭ କରିଥିଲେ। ତେବେ ତାଙ୍କ ଚାକିରି କାଳ ମଧ୍ୟରେ ୧.୨୪ କୋଟିରୁ ଊର୍ଦ୍ଧ୍ୱ ସରକାରୀ ଟଙ୍କା ଆତ୍ମସାତ୍‌ କରିଥିବା ନେଇ ଭିଜିଲାନ୍ସକୁ ସୁରାକ ମିଳିଥିଲା।