‘ଭାଗ୍‌ ମିଲ୍‌ଖା ଭାଗ୍‌’ ପାଇଁ ଟଙ୍କାଏ ପାଉଣା ନେଇଥିଲେ ‘ଫ୍ଲାଇଂ ଶିଖ୍‌’

ବମ୍ବେ: ଭାରତର ମହାନ ଧାବକ ମିଲ୍‌ଖା ସିଂହଙ୍କ ପରଲୋକକୁ ନେଇ ଶୋକରେ ବୁଡ଼ିଛି ପୁରା ଦେଶ। ଚାରି ଚାରି ଥରେ ସ୍ବର୍ଣ୍ଣ ପଦକ ବିଜେତା ଥିବା ମିଲ୍‌ଖା ‘ଫ୍ଲାଇଂ ଶିଖ୍‌’ ନାମରେ ଥିଲେ ଖ୍ୟାତ। ତେବେ ପୂର୍ବରୁ ତାଙ୍କ ଉପରେ ନିର୍ମାଣ ହୋଇଥିଲା ଏକ ସିନେମା। ଏହି ବାୟୋପିକ୍‌ରେ ମିଲ୍‌ଖାଙ୍କ ଭୂମିକାରେ ନଜର ଆସିଥିଲେ ଅଭିନେତା ଫରହାନ ଅଖତର। ଫିଲ୍ମର କାହାଣୀ ଦର୍ଶକଙ୍କୁ ଭାବବିହ୍ବଳ କରିଥିଲା। ୨୦୧୩ରେ ନିର୍ଦ୍ଦେଶକ ରାକେଶ ଓମ୍‌ପ୍ରକାଶ ମେହେରା ଫରହାନଙ୍କ ସହ ‘ଭାଗ୍‌ ମିଲ୍‌ଖା ଭାଗ୍‌’ ନିର୍ମାଣ କରିଥିଲେ। ଫିଲ୍ମ ବକ୍ସ ଅଫିସରେ ସୁପରହିଟ୍‌ ହୋଇଥିଲା।

ଫିଲ୍ମକୁ ନେଇ ଆଉ ଏକ ସ୍ମରଣୀୟ କଥା ପାଉଣା। ଲୋକପ୍ରିୟ ବ୍ୟକ୍ତିବିଶେଷଙ୍କ ଉପରେ ଚଳଚ୍ଚିତ୍ର ନିର୍ମାଣ ସମୟରେ ଅନୁମତି ପାଇଁ ମୋଟା ଅଙ୍କର ପାଉଣା ଆଦାୟ କରାଯାଥାଏ। ହେଲେ ମିଲ୍‌ଖା ବାୟୋପିକ୍‌ ପାଇଁ ନିଜ ପାଉଣା ହିସାବରେ ଟଙ୍କାଟିଏ ନେଇଥିଲେ। ଏହା ନିର୍ଦ୍ଦେଶକଙ୍କ ମନକୁ ଛୁଇଁଥିଲା। ସେ ତାଙ୍କର ପ୍ରଶଂସା କରିବାକୁ ଯାଇ ସ୍ବତନ୍ତ୍ର ୧ ଟଙ୍କିଆ ନୋଟ ଖୋଜିଥିଲେ। ଶେଷରେ ୧୯୫୮ ଲେଖାଥିବା ନୋଟ୍‌ ତାଙ୍କୁ ମିଳିଥିଲା। ଏହା ମିଲ୍‌ଖାଙ୍କୁ ପ୍ରଦାନ କରାଯାଇଥିଲା।

୧୯୫୮ରେ ପ୍ରଥମ ସ୍ବର୍ଣ୍ଣ ପଦକ ଜିତିଥିଲେ ମିଲ୍‌ଖା। ଏହା ସ୍ବତନ୍ତ୍ର ଭାରତର ପ୍ରଥମ ସ୍ବର୍ଣ୍ଣ ପଦକ ମଧ୍ୟ ଥିଲା। ଏଣୁ ମିଲ୍‌ଖାଙ୍କ ପାଇଁ ଏହା ସ୍ମୃତି ପାଲଟିଥିଲା। ପରେ ମିଲ୍‌ଖାଙ୍କୁ ବାୟୋପିକ୍‌ ପାଇଁ ୪୫ କୋଟି ଟଙ୍କା ପ୍ରଦାନ କରାଯାଇଥିବା କୁହାଯାଏ। ହେଲେ ଆଧିକାରିକ ଭାବେ ଏନେଇ କୌଣସି ସୂଚନା ନାହିଁ।