ଦନ୍ତ କ୍ଷୟରୁ ରକ୍ଷା କରେ କ୍ଷୀର

କ୍ଷୀର ଆମ ଶରୀର ପାଇଁ କେତେ ଉପକାରୀ ତାହା ବର୍ଣ୍ଣନା କରିବା ଅନାବଶ୍ୟକ। କାରଣ ଆମେ ସମସ୍ତେ ପ୍ରାୟ ଜାଣିଛେ ଯେ ଏଥିରେ ଅନେକ ପ୍ରକାର ଉପକାରୀ ତତ୍ତ୍ୱ ରହିଛି। ତେବେ ଏହି ତାଲିକାରେ ଆଉ ଏକ କଥାକୁ ସାମିଲ କରାଯାଇଛି। ନିୟମିତ କ୍ଷୀର ପିଇଲେ ତାହା ଦନ୍ତକ୍ଷୟଜନିତ ସମସ୍ୟା ଆଶଙ୍କାକୁ କେତେକାଂଶରେ ଦୂରେଇ ରଖିଥାଏ।

ଟୋକିଓ ବିଶ୍ୱବିଦ୍ୟାଳୟର ବିଶେଷଜ୍ଞମାନେ ଏଭଳି ମତବ୍ୟକ୍ତ କରିଛନ୍ତି। ଦାନ୍ତଜନିତ ସମସ୍ୟା ସହ ଜଡ଼ିତ କେତେକ ବ୍ୟକ୍ତିଙ୍କର ଚିକିତ୍ସା କରିବା ସମୟରେ ସେମାନେ ଏହି ଉପାୟକୁ ଅନୁସରଣ କରିଥିଲେ। ସେମାନଙ୍କୁ ନିୟମିତ କ୍ଷୀର ପିଇବାକୁ ସେମାନେ ପରାମର୍ଶ ଦେଇଥିଲେ। ଅନ୍ୟପକ୍ଷରେ ନିୟମିତ ସମୟ ବ୍ୟବଧାନରେ ସର୍ଭେ ପରିସରଭୁକ୍ତ ବ୍ୟକ୍ତିମାନଙ୍କର ଦାନ୍ତ ପରୀକ୍ଷା କରି ସେମାନେ ଏକଥା ଜାଣିପାରିଥିଲେ। ନିୟମିତ କ୍ଷୀର ପିଇବା ଫଳରେ ଦାନ୍ତ ସନ୍ଧିରେ ଲୁଚି ରହିଥିବା ଜୀବାଣୁମାନଙ୍କୁ ଏହା ମାରିଦେଇଥାଏ ବୋଲି ସର୍ଭେ ରିପୋର୍ଟରେ ଉଲ୍ଲେଖ କରାଯାଇଛି।