ଅନ୍ତର୍ଜାତୀୟ ସହାୟତା ଲୋଡ଼ିଲେ ସାମରିକ ସରକାର: ଟ୍ରମ୍ପ କହିଲେ…

ନାପିଦାଉ/ବ୍ୟାଙ୍କକ୍‌,୨୯ା୩ମ୍ୟାନ୍‌ମାରରେ ଭୂକମ୍ପ ପରବର୍ତ୍ତୀ ଉଦ୍ଧାର କାର୍ଯ୍ୟ ଏବଂ ବିପନ୍ନଙ୍କୁ ଅତ୍ୟାବଶ୍ୟକ ରିଲିଫ୍‌ ସହାୟତା ଯୋଗାଇବା ବଡ଼ ଚ୍ୟାଲେଞ୍ଜ ପାଲଟିଛି। ଏହାକୁ ଦୃଷ୍ଟିରେ ରଖି ଆମ୍‌ନେଷ୍ଟି ଇଣ୍ଟରନ୍ୟାଶନାଲ ଏବଂ ହ୍ୟୁମାନ୍‌ ରାଇଟ୍ସ ଓ୍ବାଚ୍‌ ପକ୍ଷରୁ ପ୍ରଭାବିତ ଲୋକଙ୍କୁ ତୁରନ୍ତ ମାନବୀୟ ସହାୟତା ଯୋଗାଇଦେବା ପାଇଁ ମ୍ୟାନ୍‌ମାରର ସାମରିକ ସରକାରଙ୍କୁ ଅନୁରୋଧ କରାଯାଇଛି। ସେନା ସରକାର ୬ ଅଞ୍ଚଳରେ ଏମର୍ଜେନ୍ସି ଘୋଷଣା କରିବା ସହ ଅନ୍ତର୍ଜାତୀୟ ସହାୟତା ଲୋଡ଼ିଛନ୍ତି। ଉଜୁଡ଼ା ଭିତ୍ତିଭୂମି ଓ ଧ୍ୱଂସଚିତ୍ରକୁ ଦେଖି ରେଡ୍‌ କ୍ରସ୍‌ ମଧ୍ୟ ଚିନ୍ତାବ୍ୟକ୍ତ କରିଛି। ରେଡ୍‌ କ୍ରସ୍‌ର ଅନ୍ତର୍ଜାତୀୟ ମହାସଂଘ ପ୍ରୋଗ୍ରାମ୍‌ କୋ-ଅର୍ଡିନେଟର ମାରିଏ ମାନ୍‌ରିକ୍‌ ଜେନେଭାରେ ଆୟୋଜିତ ଏକ ଖବରଦାତା ସମ୍ମିଳନୀକୁ ସମ୍ବୋଧିତ କରିବାବେଳେ ୟାଙ୍ଗୋନ୍‌ର ଏକ ଭିଡିଓ ଲିଙ୍କ୍‌ ଜାରି କରିଛନ୍ତି। ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ (ଡବ୍ଲ୍ୟୁଏଚ୍‌ଓ) ଯୁଦ୍ଧକାଳୀନ ଭିତ୍ତିରେ ମେଡିକାଲ ସହାୟତା ପଠାଇବା ପାଇଁ ପ୍ରସ୍ତୁତି ଆରମ୍ଭ କରିଛି। ଦୁବାଇ ଦେଇ ଔଷଧୀୟ ସାମଗ୍ରୀ ପ୍ରେରଣ ଉଦ୍ୟମ ଚାଲିଥିବା ଡବ୍ଲ୍ୟୁଏଚ୍‌ଓ କହିଛି। ସେହିପରି ୟୁରୋପୀୟ ସଂଘ ମୁଖ୍ୟ ଉର୍ସୁଲା ଭନ୍‌ ଡେର୍‌ କହିଛନ୍ତି, ୨୭ ସଦସ୍ୟ ବିଶିଷ୍ଟ ଏହି ବ୍ଲକ୍‌ ଭୂକମ୍ପ ପ୍ରଭାବିତଙ୍କୁ ସବୁ ପ୍ରକାର ସହଯୋଗ କରିବା ପାଇଁ ପ୍ରସ୍ତୁତ ରହିଛି। ଫ୍ରାନ୍ସ ମଧ୍ୟ ସହଯୋଗର ହାତ ବଢ଼ାଇଛି।

ଭୂକମ୍ପରେ ମ୍ୟାନ୍‌ମାରର ପ୍ରଭୁତ କ୍ଷତିସାଧିତ ହୋଇଛି। ମ୍ୟାନ୍‌ମାର ଅର୍ଥନୀତିକୁ ଏହା ୭୦%ରୁ ଅଧିକ ପ୍ରଭାବିତ କରିବ ବୋଲି ଆଶଙ୍କା କରାଯାଉଛି। କୋଠା ଓ ବ୍ରିଜ୍‌ଗୁଡ଼ିକ ଭୁଶୁଡ଼ିପଡ଼ୁଥିବାର ଦୃଶ୍ୟ ଦେଖି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ କହିଛନ୍ତି, ଏହି ଅସମୟରେ ମ୍ୟାନ୍‌ମାରକୁ ଆମେ ସାହାଯ୍ୟ କରିବୁ। ତେବେ ମ୍ୟାନ୍‌ମାର ଓ ଥାଇଲାଣ୍ଡକୁ ଆମେରିକା ନିର୍ଦ୍ଦିଷ୍ଟ ଭାବେ କେତେ ପରିମାଣର ସହାୟତା ଯୋଗାଇ ଦେବ ସେନେଇ ଟ୍ରମ୍ପ୍‌ କିଛି କହିନାହାନ୍ତି।