ତେଲ ଅଭିଭ,୧୪।୬: ଇରାନ ଉପରେ ଆକ୍ରମଣ ପରେ, ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଫୋନ ଯୋଗେ କଥା ହୋଇଥିଲେ ଏବଂ ତାଙ୍କୁ ସମଗ୍ର ପରିସ୍ଥିତି ବିଷୟରେ ଅବଗତ କରିଥିଲେ। ପ୍ରଧାନମନ୍ତ୍ରୀ ମୋଦି ନିଜେ ନେତାନ୍ୟାହୁଙ୍କ ଫୋନ କଲ ବିଷୟରେ ମଧ୍ୟ ସୂଚନା ଦେଇଛନ୍ତି। ସେ କହିଛନ୍ତି, ଇସ୍ରାଏଲ ପ୍ରଧାନମନ୍ତ୍ରୀ ନେତାନ୍ୟାହୁ ମୋତେ ଫୋନ କରିଥିଲେ। ସେ ମୋତେ ବର୍ତ୍ତମାନର ପରିସ୍ଥିତି ବିଷୟରେ ଅବଗତ କରାଇଥିଲେ। ମୁଁ ଭାରତର ଚିନ୍ତାଧାରା ବାଣ୍ଟିଥିଲି ଏବଂ ଏହି ଅଞ୍ଚଳରେ ଶାନ୍ତି ଏବଂ ସ୍ଥିରତାର ଶୀଘ୍ର ପୁନଃସ୍ଥାପନ ପାଇଁ ଗୁରୁତ୍ୱାରୋପ କରିଥିଲି।
ଇସ୍ରାଏଲ ପ୍ରଧାନମନ୍ତ୍ରୀ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ ମଧ୍ୟ କଥାବାର୍ତ୍ତା କରିବାକୁ ଯୋଜନା କରୁଛନ୍ତି। ପୂର୍ବରୁ, ଭାରତ କହିଥିଲା ଯେ, ଏହା ଇରାନ ଏବଂ ଇସ୍ରାଏଲ ମଧ୍ୟରେ ସାମ୍ପ୍ରତିକ ଘଟଣାବଳୀ ବିଷୟରେ ‘ଅତ୍ୟନ୍ତ ଚିନ୍ତିତ’ ଏବଂ ପରିସ୍ଥିତି ଉପରେ ନଜର ରଖିଛି। ନୂଆଦିଲ୍ଲୀ ଉଭୟ ଦେଶକୁ କୌଣସି ଆକ୍ରମଣାତ୍ମକ ପଦକ୍ଷେପ ଏଡାଇବାକୁ ଅନୁରୋଧ କରିଥିଲା।
ଇସ୍ରାଏଲୀ ସେନା ଶୁକ୍ରବାର ଇରାନ ରାଜଧାନୀ ସମେତ ବିଭିନ୍ନ ସ୍ଥାନରେ ପ୍ରଚଣ୍ଡ ଆକ୍ରମଣ କରିଛି। ଇରାନର ଆଣବିକ କାର୍ଯ୍ୟକ୍ରମକୁ ଟାର୍ଗେଟ କରାଯାଇ ଏହି ଆକ୍ରମଣ ହୋଇଥିବାବେଳେ ଏଥିରେ ଇରାନ ରିଭଲ୍ୟୁଶନାରି ଗାର୍ଡସ୍ର ସୁପ୍ରିମ କମାଣ୍ଡର ହୋସେଇନ୍ ସଲାମି, ସଶସ୍ତ୍ର ବଳର ଚିଫ୍ ଅଫ୍ ଷ୍ଟାଫ୍ ଜେନେରାଲ ମହମ୍ମଦ ବଘେରି, ବରିଷ୍ଠ ଅଧିକାରୀ ଘୋଲାମାଲି ରଶିଦ ଓ ଆଣବିକ ବୈଜ୍ଞାନିକ ଫେରେୟଦୋଉନ୍ ଅବ୍ବାସି ଏବଂ ମହମ୍ମଦ- ମହଦି ଟରାଞ୍ଚତ୍ ନିହତ ହୋଇଥିବା ଇରାନ ଟେଲିଭିଜନ ପକ୍ଷରୁ ସ୍ପଷ୍ଟ କରାଯାଇଛି। ଶୀର୍ଷ ସେନା ଅଫିସରଙ୍କ ମୃତ୍ୟୁ ଇରାନ ପାଇଁ ଶକ୍ତ ଝଟକା ହୋଇଛି। ଏହି ଆକ୍ରମଣ ଫଳରେ ମଧ୍ୟପ୍ରାଚ୍ୟର ଦୁଇ ବିରୋଧୀ ରାଷ୍ଟ୍ର ମଧ୍ୟରେ ଜୋର୍ଦାର ଯୁଦ୍ଧ ସମ୍ଭାବନା ସୃଷ୍ଟି ହୋଇଛି। ୮୦ ଦଶକରେ ଇରାକ ସହ ଯୁଦ୍ଧ ପରେ ଏହା ଇରାନ ଉପରେ ସବୁଠୁ ବଡ଼ ଆକ୍ରମଣ ବୋଲି କୁହାଯାଉଛି। ଯୁଦ୍ଧ ହେଲେ ଅନ୍ତର୍ଜାତୀୟ ବଜାରରେ ତୈଳ ସଙ୍କଟ ସୃଷ୍ଟି ହେବା ଆଶଙ୍କା କରାଯାଉଛି।