ବାରାକ ଓବାମାଙ୍କ ସହ ଛାଡ଼ପତ୍ର ଚର୍ଚ୍ଚା ମଧ୍ୟରେ ମୁହଁ ଖୋଲିଲେ ମିଶେଲ ଓବାମା: କହିଲେ ଏମିତି କଥା…

ଓ୍ବାଶିଂସନ୍‌,୧୦।୪: ପୂର୍ବତନ ଆମେରିକାର ପ୍ରଥମ ମହିଳା ମିଶେଲ ଓବାମା ତାଙ୍କ ଏବଂ ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମାଙ୍କ ମଧ୍ୟରେ ଛାଡପତ୍ରକୁ ନେଇ ସମସ୍ତ କଳ୍ପନାଜଳ୍ପନାର ଅନ୍ତ ଘଟାଇଛନ୍ତି। ଅନେକ ସାର୍ବଜନୀନ କାର୍ଯ୍ୟକ୍ରମରେ ମିଶେଲଙ୍କ ଅନୁପସ୍ଥିତି ଏବଂ ବାରାକ ଓବାମାଙ୍କୁ ଏକା ଦେଖାଯିବା ଗୁଜବକୁ ନେଇ ସେ ମୁହଁ ଖୋଲିଛନ୍ତି।

ମିଶେଲ ସ୍ପଷ୍ଟ କରିଛନ୍ତି, ଏସବୁ ତାଙ୍କର ବ୍ୟକ୍ତିଗତ ପ୍ରାଥମିକତାର ଏକ ଅଂଶ ଥିଲା ଏବଂ ତାଙ୍କ ବୈବାହିକ ଜୀବନରେ କୌଣସି ସମସ୍ୟା ନୁହେଁ। ସୋଫିଆ ବୁଶଙ୍କ ପୋଡକାଷ୍ଟ ‘ୱାର୍କ ଇନ ପ୍ରୋଗ୍ରେସ’ରେ ଏକ ଆଲୋଚନା ସମୟରେ, ମିଶେଲ କିପରି ନିଜ ପାଇଁ ସମୟ ବାହାର କରିପାରିବା ପାଇଁ ଜାଣିଶୁଣି କିଛି କାର୍ଯ୍ୟକ୍ରମରୁ ଦୂରେଇ ରହିଥିଲେ ସେ ବିଷୟରେ ଖୋଲାଖୋଲି କହିଥିଲେ।

ମିଶେଲ କହିଥିଲେ, ଯେତେବେଳେ ମୁଁ ନା କହେ, ଅଧିକାଂଶ ଲୋକ ବୁଝିପାରନ୍ତି। କିନ୍ତୁ ବେଳେବେଳେ ବିଶେଷକରି ମହିଳାମାନଙ୍କ ପାଇଁ, ଲୋକଙ୍କୁ ନିରାଶ କରିବା ଏକ ଅପରାଧ ପରି ମନେହୁଏ। ମୋର ନିଷ୍ପତ୍ତି ବୁଝିବା ପରିବର୍ତ୍ତେ, ଲୋକମାନେ ଭାବି ନେଇଥିଲେ ଯେ ବାରାକ ଏବଂ ମୋର ଛାଡପତ୍ର ହେଉଛି। ମିଶେଲ ଏହି କଳ୍ପନାଜଳ୍ପନାକୁ ସମ୍ପୂର୍ଣ୍ଣ ଖଣ୍ଡନ କରିଥିଲେ ଏବଂ କହିଥିଲେ, ସେ ଏବେ ଜଣେ ପରିପକ୍ୱ ମହିଳା ଏବଂ ନିଜ ପାଇଁ ନିଷ୍ପତ୍ତି ନେବାକୁ ସକ୍ଷମ।

ଏବେ ସ୍ବାଇଟ ହାଉସ ଦାୟିତ୍ୱ ସରିଗଲାଣି ଏବଂ ଆମର ଝିଅମାନେ ବଡ଼ ହୋଇଗଲେଣି, ମୁଁ କ’ଣ କରିବାକୁ ଚାହୁଁଛି ତାହା ନିଜେ ନିଷ୍ପତ୍ତି ନେବା ପାଇଁ ମୋ ପାଖରେ ସମୟ ଅଛି। ତେଣୁ ମୁଁ କିଛି କାର୍ଯ୍ୟକ୍ରମରେ ନ ଯିବାକୁ ମନସ୍ଥ କରିଥିଲି।

ଏହା ବିଶ୍ୱାସ କରାଯାଉଛି ଯେ, ମିଶେଲଙ୍କ ମନ୍ତବ୍ୟ ସମ୍ଭବତଃ ଡୋନାଲ୍ଡ ଟ୍ରମ୍ପଙ୍କ ଶପଥ ଗ୍ରହଣ ଉତ୍ସବ ଏବଂ ପୂର୍ବତନ ରାଷ୍ଟ୍ରପତି ଜିମି କାର୍ଟରଙ୍କ ଅନ୍ତିମ ସଂସ୍କାର ଭଳି ଘଟଣା ସମ୍ପର୍କରେ ଥିଲା। ଏହି ୨ କାର୍ଯ୍ୟକ୍ରମରେ ବାରାକ ଓବାମାଙ୍କୁ ଏକା ଦେଖାଯାଇଥିଲା। ଏହାପରେ କୁହାଯାଇଥିଲା ଉଭୟଙ୍କ ମଧ୍ୟ ଛାଡପତ୍ର ହେବାକୁ ଯାଉଛି।

Share