Categories: Home Leftଖେଳ

ଏମ୍‌ଜିଏମ୍‌ ମହିଳା ଟି୨୦ ଲିଗ୍‌: ଓଡ଼ିଶା ରେଡ୍‌ର ପ୍ରଥମ ବିଜୟ

ଭୁବନେଶ୍ୱର, ୨୬।୧(କ୍ରୀଡ଼ା ପ୍ରତିନିଧି)-ଓଡ଼ିଶା କ୍ରିକେଟ ଆସୋସିଏଶନ (ଓସିଏ) ଆନୁକୂଲ୍ୟରେ କିଟ୍‌ ଷ୍ଟାଡିୟମରେ ଚାଲିଥିବା ଏମ୍‌ଜିଏମ୍‌ ମହିଳା ଟି୨୦ ଲିଗ୍‌ କ୍ରିକେଟ ଟୁର୍ନାମେଣ୍ଟର ରବିବାର ଅନୁଷ୍ଠିତ ପ୍ରଥମ ମ୍ୟାଚରେ ଓଡ଼ିଶା ରେଡ୍‌ ୮ ଉଇକେଟରେ ୟେଲୋକୁ ପରାସ୍ତ କରିଛି। ପୂର୍ବରୁ ୨ଟି ମ୍ୟାଚରେ ହାରିଥିବା ରେଡ୍‌ର ୩ ମ୍ୟାଚରୁ ଏହା ପ୍ରଥମ ବିଜୟ।
ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିଥିବା ୟେଲୋ ୨୦ ଓଭରରେ ୭ ଉଇକେଟ ହରାଇ ୯୭ ରନ କରି ପାରିଥିଲା। ଦଳ ପକ୍ଷରୁ ସଙ୍ଗୀତା ଖାଡ଼ିଆ ସର୍ବାଧିକ ୩୧ ଓ କୁସୁମ ତିରିୟା ୨୮ ରନ କରିଥିଲେ। ପ୍ରତିପକ୍ଷ ଦଳର ସୋନାଲି ହେମ୍ବ୍ରମ, ସ୍ବର୍ଣ୍ଣଲତା ନାୟକ, ଏସ୍‌.ବି.ଲରେନ୍ସ, ପ୍ରୀତି ପ୍ରିୟଦର୍ଶିନୀ ଗୋଟିଏ ଲେଖାଏ ଉଇକେଟ ନେଇଥିଲେ। ୩ ଜଣ ବ୍ୟାଟ୍ସଓମ୍ୟାନ ରନ୍‌ଆଉଟ ହୋଇଥିଲେ। ୯୮ ରନର ବିଜୟ ଲକ୍ଷ୍ୟକୁ ରେଡ୍‌ ୧୭.୪ ଓଭରରେ ମାତ୍ର ୨ ଉଇକେଟ ହରାଇ ହାସଲ କରି ନେଇଥିଲା। ଅଧିନାୟିକା ମାଧୁରୀ ମେହେଟା ୩୮ ବଲ୍‌ରୁ ୪୨(୪ ଚୌକା) ରନ କରି ଦଳର ବିଜୟରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲେ। କାଜଲ ଜେନା ୩୫ ରନ କରିଥିଲେ। ପରାଜିତ ଦଳର ବୋଲରଙ୍କ ମଧ୍ୟରେ ଲକ୍ଷ୍ମୀପ୍ରିୟା ନାଏକ ଓ ସଙ୍ଗୀତା ଗୋଟିଏ ଲେଖାଏ ଉଇକେଟ ପାଇଥିଲେ। ମ୍ୟାଚ ବିଜୟୀ ଇନିଂସ ପାଇଁ ମାଧୁରୀ ଓମ୍ୟାନ ଅଫ୍‌ ଦି ମ୍ୟାଚ ପୁରସ୍କାର ପାଇଥିଲେ। ଓସିଏର ଆପେକ୍ସ କାଉନ୍‌ସିଲ ସଦସ୍ୟ ରଶ୍ମିତା ମହାନ୍ତି ଅତିଥିଭାବେ ଯୋଗଦେଇ ପୁରସ୍କାର ପ୍ରଦାନ କରିଥିଲେ। ରେଡ୍‌ ଏହାର ପ୍ରଥମ ମ୍ୟାଚରେ ପର୍ପଲଠାରୁ ୫୭ ରନରେ ଏବଂ ଦ୍ୱିତୀୟ ମ୍ୟାଚରେ ଭାଓଲେଟଠାରୁ ୩୪ ରନରେ ପରାଜିତ ହୋଇଥିଲା।