ପାଣିପାଗ ବିଶେଷଜ୍ଞ ଡ.ମୃତ୍ୟୁଞ୍ଜୟ ମହାପାତ୍ରଙ୍କୁ ପ୍ରାଣନାଥ ସମ୍ମାନ

ଖୋର୍ଦ୍ଧା,୨୮।୧(ପ୍ରଭାତ ପାଣିଗ୍ରାହୀ): ଖୋର୍ଦ୍ଧା ପ୍ରାଣନାଥ ସ୍ବୟଂଶାସିତ ମହାବିଦ୍ୟାଳୟର ୬୬ତମ ସାମ୍ବତ୍ସରିକ ଉତ୍ସବ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ମହାବିଦ୍ୟାଳୟ ଅଧ୍ୟକ୍ଷା ଡ.ବିନୋଦିନୀ ମିଶ୍ରଙ୍କ ସଭାପତିତ୍ୱରେ ଆୟୋଜିତ ଉତ୍ସବରେ ପ୍ରାକ୍ତନ ରାଜ୍ୟମୁଖ୍ୟ ପ୍ରଶାସକ ଗୋକୁଳ ଚନ୍ଦ୍ର ପତି ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ବରିଷ୍ଠ ସାମ୍ବାଦିକ ପ୍ରଦୋଷ ପଟ୍ଟନାୟକ ସମ୍ମାନିତ ବକ୍ତା ଭାବେ ଯୋଗ ଦେଇଥିବା ବେଳେ ଭାରତୀୟ ପାଣିପାଗ ବିଜ୍ଞାନ କେନ୍ଦ୍ର ମହାନିର୍ଦ୍ଦେଶକ ଡ.ମୃତ୍ୟୁଞ୍ଜୟ ମହାପାତ୍ର, କବି ତଥା ସମାଲୋଚକ ଡ.ଶତ୍ରୁଘ୍ନ ପାଣ୍ଡବ, ମେଜର କ୍ଷୀରୋଦ ପ୍ରସାଦ ମହାନ୍ତି ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ।

ଅଧ୍ୟକ୍ଷା ମିଶ୍ର ସ୍ବାଗତ ଭାଷଣ ଦେବା ସହ ବିବରଣୀ ପାଠ କରିଥିଲେ। ଡ.ଶୁଭେନ୍ଦ୍ରୁ ମହାନ୍ତି ମଞ୍ଚ ସଂଯୋଜନା କରିଥିବା ବେଳେ ମହାବିଦ୍ୟାଳୟ ଉପାଧ୍ୟକ୍ଷ ଡ.ପ୍ରଣବ କିଶୋର ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ।

ଏହି ଅବସରରେ ପାଣିପାଗ ବିଶେଷଜ୍ଞ ଡ.ମୃତ୍ୟୁଞ୍ଜୟ ମହାପାତ୍ରଙ୍କୁ ପ୍ରାଣନାଥ ସମ୍ମାନ ଏବଂ ଡ.ପାଣ୍ଡବଙ୍କୁ ମଞ୍ଜରୀ ଦେବୀ ସାହିତ୍ୟ ସମ୍ମାନରେ ସମ୍ବର୍ଦ୍ଧିତ କରାଯାଇଥିଲା। ଏଥିସହିତ ପୂର୍ବତନ ଅଧ୍ୟକ୍ଷା ଏବଂ ଅନ୍ୟ ଅବସରପ୍ରାପ୍ତ ଅଧ୍ୟାପିକା, ଅଧ୍ୟାପକଙ୍କୁ ମଧ୍ୟ ସମ୍ମାନିତ କରାଯାଇଥିଲା। ଏଥିସହିତ ଚଳିତ ବର୍ଷ ଶ୍ରେଷ୍ଠ ଛାତ୍ରୀଛାତ୍ର, ବିଭାଗୀୟ ଟପ୍ପରଙ୍କୁ ପୁରସ୍କୃତ କରାଯାଇଛି। ଇଲେକ୍ଟ୍ରୋନିକ୍ସ ବିଭାଗ ଶେଷ ବର୍ଷ ଛାତ୍ର ସୋମନାଥ ପରିଡାଙ୍କ ବିୟୋଗରେ ଦୁଇ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା।

ଡ. ମହାପାତ୍ର କହିଥିଲେ, ନିପଟ ମଫସଲ ଗ୍ରାମରୁ ଦିଲ୍ଲୀ ପୁଣି ଜେନେଭା ପର୍ଯ୍ୟନ୍ତ ନିଜ ଯାତ୍ରା ଉପରେ ମତବ୍ୟକ୍ତ କରିଥିଲେ। ଏପରିକି ନିରନ୍ତର ପ୍ରଚେଷ୍ଟା, ଉଦ୍ୟମ ଏବଂ ସମସ୍ତଙ୍କ ଭଲପାଇବା ଦ୍ୱାରା ଏହା ସମ୍ଭବ ହୋଇପାରିଥିବା ସେ କହିଥିଲେ। ଏପରିକି ଛାତ୍ରୀଛାତ୍ରଙ୍କ ପ୍ରଥମ କର୍ତ୍ତବ୍ୟ ପାଠପଢା ବୋଲି କହିବା ସହ ଉଚିତ କର୍ମ କରିବାକୁ ପରାମର୍ଶ ଦେଇଥିଲେ।

ଡ. ପାଣ୍ଡବ କହିଥିଲେ, ଖୋର୍ଦ୍ଧାର ସ୍ବତନ୍ତ୍ରତା ରହିଛି। ସମରକଳା, ଐତିହ୍ୟ କଳା ସଂସ୍କୃତି ପ୍ରାଣବନ୍ଧୁ ହେଉଛି ଖୋର୍ଦ୍ଧା। ସାମ୍ୟବାଦ ଚିନ୍ତାଧାରାର ମହାନ ବ୍ୟକ୍ତିତ୍ୱ ପ୍ରାଣନାଥଙ୍କ ନାମରେ ଏହି ମହାବିଦ୍ୟାଳୟ ନାମିତ ହେବା ସାର୍ଥକତା ରହିଛି ବୋଲି ସେ କହିଥିଲେ। ମୁଖ୍ୟ ଅତିଥି ପତି କହିଥିଲେ, ପରୀକ୍ଷାରେ ଭଲ ନମ୍ବର ପାଇଁ ନୁହେଁ, ସବୁ କ୍ଷେତ୍ରରେ ସଫଳତା ପାଇଁ ଉଦ୍ୟମ ରଖିବାକୁ ଛାତ୍ରୀଛାତ୍ରଙ୍କୁ ପରାମର୍ଶ ଦେଇଥିଲେ।