ନୂଆଦିଲ୍ଲୀ, ୨୫ା୧: ହ୍ୱାଟ୍ସଆପ୍ ବ୍ୟବହାରକାରୀଙ୍କ ପାଇଁ ଏକ ଚିନ୍ତାଜନକ ଖବର ସାମ୍ନାକୁ ଆସିଛି। ହ୍ୱାଟ୍ସଆପ୍ର ମାଲିକାନା ସଂସ୍ଥା ‘ମେଟା’ ୟୁଜରମାନଙ୍କ ମେସେଜ ପଢ଼ୁଥିବା ସାଙ୍ଘାତିକ ଅଭିଯୋଗ ଲାଗିଛି। ଆମେରିକାର ଏକ କୋର୍ଟରେ ଏନେଇ ମାମଲା ରୁଜୁ ହୋଇଛି।
ସାନ୍ ଫ୍ରାନ୍ସିସ୍କୋର ଏକ କୋର୍ଟରେ ଭାରତ, ଅଷ୍ଟ୍ରେଲିଆ, ବ୍ରାଜିଲ୍, ମେକ୍ସିକୋ ଏବଂ ଦକ୍ଷିଣ ଆଫ୍ରିକାର ୟୁଜରମାନଙ୍କ ଏକ ସମୂହ ଏହି ମାମଲା ଦାୟର କରିଛନ୍ତି।
ଏଥିରେ କୁହାଯାଇଛି ହ୍ୱାଟ୍ସଆପ୍ ‘ଏଣ୍ଡ-ଟୁ-ଏଣ୍ଡ ଏନକ୍ରିପ୍ସନ୍’ ନାମରେ ବ୍ୟବହାରକାରୀଙ୍କୁ ଭୁଆଁ ବୁଲାଉଛି। କମ୍ପାନୀ ଦାବି କରେ ଯେ କେବଳ ମେସେଜ ପଠାଇବା ଲୋକେ ଏବଂ ଗ୍ରହଣକାରୀ ହିଁ ମେସେଜ୍ ପଢ଼ିପାରିବେ। କିନ୍ତୁ ବାସ୍ତବରେ ମେଟା ଏହି ଚାଟ୍ଗୁଡ଼ିକୁ ସଂରକ୍ଷିତ କରିବା ସହ ବିଶ୍ଳେଷଣ ମଧ୍ୟ କରିପାରୁଛି।
ମାମଲାରେ ଅଭିଯୋଗ କରାଯାଇଛି ଯେ ମେଟା ଗୁପ୍ତରେ ବ୍ୟବହାରକାରୀଙ୍କ ବ୍ୟକ୍ତିଗତ ବାର୍ତ୍ତାଳାପକୁ ଦେଖିପାରୁଛି। ଏହାର କର୍ମଚାରୀମାନେ ଚାହିଁଲେ ଏହି ତଥ୍ୟ ପାଇପାରିବେ। କେତେକ ପୂର୍ବତନ କର୍ମଚାରୀ ବା ହ୍ୱିସଲ୍ବ୍ଲୋଅର୍ଙ୍କ ସୂଚନାକୁ ଆଧାର କରି ଏହି ଅଭିଯୋଗ କରାଯାଇଛି। ଯେଉଁଥିରେ କୁହାଯାଇଛି ଯେ ଗୋପନୀୟତା ରକ୍ଷା କରାଯାଉନାହିଁ।
ତେବେ ମେଟା ଏହି ଅଭିଯୋଗକୁ ସମ୍ପୂର୍ଣ୍ଣ ଭାବେ ପ୍ରତ୍ୟାଖ୍ୟାନ କରିଛି। କମ୍ପାନୀର ଜଣେ ପ୍ରବକ୍ତା କହିଛନ୍ତି, “ଏହି ମାମଲା ଭିତ୍ତିହୀନ। ହ୍ୱାଟ୍ସଆପ୍ର ‘ଏଣ୍ଡ-ଟୁ-ଏଣ୍ଡ ଏନକ୍ରିପ୍ସନ୍’ ବ୍ୟବସ୍ଥା କମ୍ପାନୀକୁ ମେସେଜ୍ ପଢ଼ିବାକୁ ଅନୁମତି ଦିଏ ନାହିଁ। ଆମେ କୋର୍ଟରେ ନିଜର ପକ୍ଷ ଦୃଢ଼ ଭାବରେ ରଖିବୁ।”