ଗଞ୍ଜାମ,୨୮ା୩ (ବିଦ୍ୟାଧର ସାହୁ): ଗଞ୍ଜାମ ଜିଲା ରମ୍ଭା ଥାନା ହୁମା ଫାଣ୍ଡି ଅଞ୍ଚଳରେ ଜଣେ ମାନସିକ ବିକୃତ ଯୁବତୀ ଗର୍ଭବତୀ ହେବା ଘଟଣାରେ ଜଣେ ଶିକ୍ଷକ ଗିରଫ ହୋଇଥିବା ବେଳେ ଶନିବାର ଘଟଣାରେ ସମ୍ପୃକ୍ତ ଅନ୍ୟଜଣେ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ସେ ହେଲେ ନିଳାଦ୍ରୀପୁର ଗ୍ରାମର ଚିତ୍ରସେନ ପ୍ରଧାନ(୫୬)। ତାଙ୍କୁ ଗିରଫ ପରେ କୋର୍ଟ ଚାଲାଣ କରାଯାଇଥିବା ହୁମା ଫାଣ୍ଡି ଅଧିକାରୀ ସତ୍ୟଜିତ ବେଣିଆ କହିଛନ୍ତି।
ପୂର୍ବରୁ ନିଳାଦ୍ରୀପୁର ଲବଣ ଶ୍ରମିକ ହାଇସ୍କୁଲ ଶିକ୍ଷକ ଶେଷଦେବ ପ୍ରଧାନ ଏହି ମାମଲାରେ ଗିରଫ ହୋଇ ବର୍ତ୍ତମାନ ଜେଲରେ ଅଛନ୍ତି l ରମ୍ଭା ପୋଲିସ ଦ୍ୱାରା ଚିତ୍ରସେନଙ୍କ ଗିରଫ ପରେ ଏହି ଘଟଣାରେ ଗିରଫ ସଂଖ୍ୟା ଦୁଇରେ ପହଞ୍ଚିଛି।
ଏତଲାରେ ଏହି ଦୁଇଜଣଙ୍କ ନାମ ପୀଡିତାଙ୍କ ଦାଦା ପୁଅ ଭାଇ ଉଲ୍ଲେଖ କରିଥିଲେ। ଏହାକୁ ଭିତ୍ତିକରି ପୃଥକ ପୃଥକ ଦୁଇଟି ମାମଲା ନଂ. ୧୯୩/୨୬ ଏବଂ ୧୯୪/୨୬ ରୁଜୁ ହୋଇ ତଦନ୍ତ ଚାଲିଥିଲା ବୋଲି ଫାଣ୍ଡି ଅଧିକାରୀ ବେଣିଆ ସୂଚନା ଦେଇଛନ୍ତି।