ମାନସିକ ରୋଗ: କିଛି କଥା

ମାନସିକ ରୋଗଗୁଡ଼ିକ ସମ୍ପର୍କରେ ଲୋକମାନଙ୍କ ମଧ୍ୟରେ ଅନେକ ଭୁଲ୍‌ ଧାରଣା ରହିଛି। ଲୋକମାନେ ଭାବନ୍ତି ମାନସିକ ରୋଗର ଚିକିତ୍ସା ସମ୍ଭବ ନୁହେଁ ଏବଂ ଏହା କେବେ ଭଲ ହୋଇପାରିବ ନାହିଁ। ଔଷଧ ସାରା ଜୀବନ ଖାଇବାକୁ ପଡ଼େ ଏବଂ ଶରୀରର ବିଭିନ୍ନ ଅଙ୍ଗପ୍ରତ୍ୟଙ୍ଗ ଉପରେ ଖରାପ ପ୍ରଭାବ ପଡ଼ିଥାଏ। ମାତ୍ର ଏ ସବୁ ଭୁଲ୍‌ ଧାରଣା। ସମସ୍ତ ମାନସିକ ରୋଗର ଚିକିତ୍ସା ସମ୍ପୂର୍ଣ୍ଣ ସମ୍ଭବ। ଏଥି ନିମନ୍ତେ ମାନସିକ ରୋଗ ବିଶେଷଜ୍ଞଙ୍କୁ ପରାମର୍ଶକରି ଚିକିତ୍ସା କରିବା ଜରୁରୀ। କେତେକ ନିର୍ବ୍ଦିଷ୍ଟ ମାନସିକ ରୋଗ ଛଡ଼ା ଅନ୍ୟ କୌଣସି ରୋଗରେ ସାରା ଜୀବନ ଔଷଧ ଖାଇବାକୁ ପଡ଼େ ନାହିଁ। ପ୍ରାରମ୍ଭିକ ଅବସ୍ଥାରେ ଲୋକେ ମାନସିକ ରୋଗଗୁଡ଼ିକର ଲକ୍ଷଣକୁ ଚିହ୍ନିବାରେ ସାଧାରଣତଃ ବିଳମ୍ବ କରିଥାଆନ୍ତି। କେତେଜଣ ଲୋକ ମାନସିକ ସମସ୍ୟାଗୁଡ଼ିକୁ କୌଣସି ରୋଗର ଲକ୍ଷଣ ବୋଲି ନ ମାନି, ଆମ ସମାଜରେ ପ୍ରଚଳିତ ଅନ୍ଧବିଶ୍ୱାସ ଯୋଗୁ ରୋଗୀକୁ ଗୁଣିଆ ପାଖକୁ ନେଇ ଅଯଥା ସମୟ ନଷ୍ଟ କରାଯାଇଥାଏ। ଏସବୁ ଦ୍ୱାରା ରୋଗର ପ୍ରକୋପ ବଢ଼େ ଓ ଡେରିରେ ଚିକିତ୍ସା ଆରମ୍ଭ କଲେ ବେଶି ଦିନ ଔଷଧ ସେବନ କରିବାକୁ ପଡ଼ିଥାଏ କୋର୍ସ ଅନୁସାରେ ଔଷଧ ଖାଇଲେ ଆଉ ରୋଗର ଲକ୍ଷଣ ଦେଖାଯାଇ ନ ଥାଏ। ରୋଗର ତୀବ୍ରତା କମିଲେ ଔଷଧଗୁଡ଼ିକର ମାତ୍ରା ମଧ୍ୟ ଧୀରେ ଧୀରେ କମାଇ ଦିଆଯାଏ। ମାନସିକ ରୋଗ ବିଶେଷଜ୍ଞଙ୍କ ବିନା ପରାମର୍ଶରେ ଔଷଧ ବନ୍ଦ କରିଦେଲେ ରୋଗ ପୁନର୍ବାର ଦେଖାଯିବା ଆଶଙ୍କା ରହିଥାଏ। ବର୍ତ୍ତମାନର ଆଧୁନିକ ଚିକିତ୍ସା ଯୁଗରେ ମାନସିକ ରୋଗଗୁଡ଼ିକର ଚିକିତ୍ସା ପାଇଁ ବ୍ୟବହାର କରାଯାଉଥିବା ଔଷଧଗୁଡ଼ିକ ସମ୍ପୂର୍ଣ୍ଣ ରୂପେ ସୁରକ୍ଷିତ ଓ ଏଗୁଡ଼ିକର କୌଣସି ବଡ଼ ପାର୍ଶ୍ୱ ପ୍ରତିକ୍ରିୟା ନାହିଁ। ଆମ ସମାଜରେ ଲୋକମାନଙ୍କ ମଧ୍ୟରେ ଧାରଣା ଅଛି ଯେ ବିବାହ ଦ୍ୱାରା ବିଭିନ୍ନ ମାନସିକ ରୋଗ ଠିକ୍‌ ହୋଇଯାଏ। ମାତ୍ର ଏହି ଧାରଣା ସମ୍ପୂର୍ଣ୍ଣ ଭୁଲ୍‌। ବିବାହ ପୂର୍ବରୁ ରୋଗର ଅବସ୍ଥା ତଥା ଔଷଧ ପ୍ରକ୍ରିୟା ସମ୍ପର୍କରେ ରୋଗୀ ଓ ତା’ର ଜୀବନସାଥୀ ଡାକ୍ତରଙ୍କଠାରୁ ପରାମର୍ଶ ନେବା ଉଚିତ।

Dharitri – Odisha’s No.1 Odia Daily