ଭଞ୍ଜନଗର,୧୫ା୧୦(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ସମ୍ମିଳନୀ କକ୍ଷରେ ବୁଧବାର ଅଷ୍ଟମ ରାଷ୍ଟ୍ରୀୟ ପୋଷଣ ମାସ ପାଳିତ ହୋଇଯାଇଛି। ଏଥିରେ ସିଡିପିଓ ମିଲୀମା କୁମାରୀ ପଣ୍ଡା ଅଧ୍ୟକ୍ଷତା କରିଥିଲେ।
ବିଡିଓ ଭାରତୀ ଦେବୀ ମୁଖ୍ୟ ଅତିଥି ଏବଂ ତହସିଲଦାର ଅଭୀପ୍ସା ପଟ୍ଟନାୟକ, ଏବିଇଓ ଚରଣ ବେହେରା, ଉପଖଣ୍ଡ ସାମାଜିକ ସୁରକ୍ଷା ଅଧିକାରୀ ଏସିଓ ଶବର, ଉପେନ୍ଦ୍ର ଭଞ୍ଜ ଉଚ୍ଚ ବିଦ୍ୟାଳୟ ପ୍ରଧାନଶିକ୍ଷକ ମଦନ ରଥ, କାଳଞ୍ଜି କୂଳ ସଭାପତି ବିଭୂତି ଜେନା, ଏନ୍ଏସି ଉପାଧ୍ୟକ୍ଷା, ଅଧ୍ୟାପକ ହରିଶ କୁମାର, ବିଦେଶୀ ରାଉତ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ଅଷ୍ଟମ ବ୍ଲକସ୍ତରୀୟ ରାଷ୍ଟ୍ରୀୟ ପୋଷଣ ମାସ ପାଳନ ଅବସରରେ ମେଦବହୁଳତାର କାରଣ ଓ ତାହାର ପ୍ରତିକାର, ମା’ ଓ ଶିଶୁ ଖାଦ୍ୟ ଏବଂ ଶିଶୁର ଲାଳନପାଳନରେ ପୁରୁଷଙ୍କ ସହଭାଗିତା ଉପରେ ଆଲୋଚନା ହୋଇଥିଲା। ମସଲା ଖାଦ୍ୟ, ବ୍ୟାୟାମ ନ କରିବା, ରୋଷେଇ ଖାଦ୍ୟରେ ଅତ୍ୟଧିକ ତେଲ ବ୍ୟବହାର, ଚାପ ପ୍ରମୁଖ କାରଣ ଯୋଗୁ ମେଦ ବହୁଳତା ବଢୁଛି। ଏଥିପାଇଁ ସଚେତନତା ଲୋଡ଼ା। ଏଥିସହ ସୁଷମ ଖାଦ୍ୟ ଖାଇବାକୁ ପଡ଼ିବ। ମେଦବହୁଳତା ଯୋଗୁ ଅନେକ ରୋଗ ହେଉଛି। ଲୋକେ ସଚେତନ ହେଲେ ଏହାକୁ ରୋକା ଯାଇପାରିବ। ଗର୍ଭବତୀ, ପ୍ରସୂତି ଏବଂ ଶିଶୁମାନଙ୍କ ମଧ୍ୟ ଯତ୍ନ ନେବା ଉପରେ ଆଲୋଚନା ହୋଇଥିଲା।
ସେହିଭଳି ମଙ୍ଗଳବାର ବ୍ଲକ ସମ୍ମିଳନୀ କକ୍ଷରେ ଜନ୍ମରୁ ୬ ବର୍ଷ ପର୍ଯ୍ୟନ୍ତ ଅସମର୍ଥ ଶିଶୁ (ଦିବ୍ୟାଙ୍ଗ)ମାନଙ୍କ ସର୍ବେକ୍ଷଣ ଉଦ୍ଦେଶ୍ୟରେ ଆୟୋଜିତ ଅଙ୍ଗନଓ୍ବାଡି କାର୍ଯ୍ୟକର୍ତ୍ତା ଶିକ୍ଷାଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଆସନ୍ତା ୧୬ ତାରିଖରେ ଅଙ୍ଗନଓ୍ବାଡ଼ି କର୍ମୀମାନେ ଘରକୁ ଘର ବୁଲି ସମୀକ୍ଷା କରିବେ। ଏହାପରେ ସେମାନଙ୍କ ନାମକୁ ଅନ୍ଲାଇନରେ ଯୋଡ଼ିବେ। ସିଡିପିଓ ମିଲିମା କୁମାରୀ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଶିବିରରେ ବିଡିଓ ଭାରତୀ ଦେବୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସମସ୍ତ ଦିବ୍ୟାଙ୍ଗ ଶିଶୁଙ୍କ ନାମ ସଂଗ୍ରହ କରି ଅନଲାଇନରେ ଅପ୍ଲୋଡ୍ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ଏଥିସହ ଆସନ୍ତା ୨୮ ତାରିଖରେ ସ୍ଥାନୀୟ ଉପେନ୍ଦ୍ର ଭଞ୍ଜ ଉଚ୍ଚ ବିଦ୍ୟାଳୟ ପରିସରରେ ଦିବ୍ୟାଙ୍ଗ ମେଳା ହେବ। ଏଥିରେ ଡାକ୍ତରମାନେ ଯୋଗଦେଇ ଦିବ୍ୟାଙ୍ଗ ପ୍ରମାଣପତ୍ର ପାଇଁ ଦିବ୍ୟାଙ୍ଗମାନଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରିବେ। ଏଥିସହ ଉକ୍ତ ଦିନ ଦିବ୍ୟାଙ୍ଗମାନଙ୍କୁ ବିଭିନ୍ନ ଉପକରଣ ପ୍ରଦାନ କରାଯିବ। ତେଣୁ ସରକାରଙ୍କ ଯୋଜନାର ସୁଫଳ ସମସ୍ତ ଦିବ୍ୟାଙ୍ଗ କିଭଳି ପାଇବେ ସେଥିପ୍ରତି ସମସ୍ତେ ଦୃଷ୍ଟି ଦେବାକୁ ବିଡିିଓ ଭାରତୀ ଦେବୀ କହିଥିଲେ। ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଏବିଡିଓ ପୂର୍ଣ୍ଣଚନ୍ଦ୍ର ପାଢ଼ୀ, ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ସନୋଜ ନାୟକ ପ୍ରମୁଖ ଉପସ୍ଥିତ ଥିଲେ।