ମହିଳାମାନଙ୍କ ଅପେକ୍ଷା ପୁରୁଷଙ୍କୁ ଅଧିକ ହୋଇଥାଏ ସ୍କିଜୋଫ୍ରେନିୟା, ଜାଣନ୍ତୁ କାହିଁକି…

ସ୍କିଜୋଫ୍ରେନିୟା ରୋଗ ମୁଖ୍ୟତଃ ୧୫-୩୫ ବର୍ଷ ଭିତରେ ଆରମ୍ଭ ହୋଇଥାଏ। ମହିଳାମାନଙ୍କ ଅପେକ୍ଷା ପୁରୁଷମାନଙ୍କଠାରେ ଏହା ଅଧିକ ଦେଖାଯାଇଥାଏ। ମସ୍ତିଷ୍କରେ ମୁଖ୍ୟତଃ ଡୋପାମିନ ନାମକ ରାସାୟନିକ ପଦାର୍ଥ (ନ୍ୟୁରୋଟ୍ରାନ୍ସମିଟର)ର ମାତ୍ରା ବୃଦ୍ଧି ଯୋଗୁ ଏହି ରୋଗ ହୋଇଥାଏ। ଏହା ଜିନ୍‌ଗତ କାରଣ କିମ୍ବା ପାରିପାର୍ଶ୍ୱିକ ଚାପ କାରଣରୁ ହୋଇପାରେ। ଏହି ରୋଗ ଅନେକାଂଶରେ ବଂଶାନୁଗତିକ ହୋଇଥାଏ। ଅନୁସନ୍ଧାନରୁ ଜଣାପଡିଛି ଯଦି ପରିବାରରେ ମାତାପିତାଙ୍କ ମଧ୍ୟରୁ ଜଣେ କାହାକୁ ସ୍କିଜୋଫ୍ରେନିୟା ହୋଇ ଥାଏ, ତେବେ ତାଙ୍କ ପିଲାଙ୍କୁ ଏହି ରୋଗ ହେବାର ପ୍ରାୟତଃ ୧୦ ପ୍ରତିଶତ ଆଶଙ୍କା ଥାଏ। ଏହି ରୋଗ ଦ୍ୱାରା ବ୍ୟକ୍ତିର ବ୍ୟବହାର, ଭାବନା, ଆବେଗ ଓ କାର୍ଯ୍ୟଦକ୍ଷତା ବିଶେଷ ଭାବରେ ପ୍ରଭାବିତ ହୋଇଥାଏ। ପ୍ରାରମ୍ଭିକ ଅବସ୍ଥାରେ ରୋଗୀ ଏକୁଟିଆ ରହିବାକୁ ପସନ୍ଦ କରେ। ଅନ୍ୟମାନଙ୍କ ସହ ମିଳାମିଶା କରେ ନାହିଁ। ନିଜର ଦୈନନ୍ଦିନ କାର୍ଯ୍ୟକୁ ଠିକ୍‌ ଭାବେ କରିପାରେ ନାହିଁ ଏବଂ ନିଦ କମିଯାଏ। ରୋଗୀ କିଛି କାରଣ ନ ଥାଇ କଥା ଶୁଣାଯାଉଛି ଓ ଶୂନ୍ୟବାଣୀ ହେଉଛି ବୋଲି କହିଥାଏ। କେତେକ ରୋଗୀ ନ ଥିବା ବସ୍ତୁ ବା ବ୍ୟକ୍ତିମାନଙ୍କୁ ଦେଖି ପାରୁଛନ୍ତି ବୋଲି ମଧ୍ୟ କହିଥାନ୍ତି। ରୋଗୀମାନେ ବେଳେ ବେଳେ ଏ ସବୁ ଅନୁଭବ ପ୍ରତି ପ୍ରତିକ୍ରିୟା ପ୍ରକାଶ କରନ୍ତି। ଏହି ପ୍ରତିକ୍ରିୟାରେ ସେମାନେ ନିଜେ ମନେ ମନେ କଥା ହୁଅନ୍ତି। ଛୋଟ ଛୋଟ କଥାରେ ଚିଡ଼ିଚିଡ଼ା ଓ ଉତ୍ତେଜିତ ହୋଇପଡ଼ନ୍ତି। ସେମାନେ ଘରୋଇ ଦାୟିତ୍ୱ ନେବା, କର୍ମ କ୍ଷେତ୍ରରେ କାର୍ଯ୍ୟ ଭାର ନେବା ଓ ବିଭିନ୍ନ ସାମାଜିକ ପରିସ୍ଥିତିରେ ନିଜକୁ ଖାପ ଖୁଆଇ ଚଳାଇବାରେ ଅସମର୍ଥ ହୁଅନ୍ତି। କିଛି ରୋଗୀ ଆତ୍ମହତ୍ୟା କରିବାକୁ ଉଦ୍ୟମ ମଧ୍ୟ କରିଥାନ୍ତି। ସ୍କିଜୋଫ୍ରେନିୟା ଏକ ଜଟିଳ ରୋଗ ହେଲେ ମଧ୍ୟ ଏହାର ଚିକିତ୍ସା ଅତି ସହଜରେ କରିହେବ। ଏଭଳି ସ୍ବାସ୍ଥ୍ୟ ସମସ୍ୟାର ଲକ୍ଷଣ ଦେଖାଯିବା ମାତ୍ରେ ତୁରନ୍ତ ମାନସିକ ରୋଗ ବିଶେଷଜ୍ଞଙ୍କ ସହିତ ପରାମର୍ଶ ନିହାତି ଜରୁରୀ।