ଗଞ୍ଜାମ,୩।୯(ବିଦ୍ୟାଧର ସାହୁ ): ଗଞ୍ଜାମ ହୁମା ମଧ୍ୟରେ ଥିବା କେନ୍ଦ୍ର ସରକାରଙ୍କ ୧୬୦୦ ଏକର ଲୁଣ ଚାଷ ଜମି ରହିଛି । ଏଠାରେ ଦଶ ବର୍ଷରୁ ଅଧିକ ହେବ ଲୁଣ ଚାଷ ବନ୍ଦ ରହିବା କାରଣରୁ ପ୍ରାୟ ତିନି ହଜାର ପରିବାର ନିଜର ଜୀବିକା ହରାଇ ବସିଛନ୍ତି । ଏଣୁ ଏଠାରେ ବିମାନ ବନ୍ଦର ନିର୍ମାଣ ହେଲେ ସ୍ଥାନୀୟ ଲୋକେ ଉପକୃତ ହେବା ସହ ବ୍ୟବସାୟ ପ୍ରତିଷ୍ଠାନ ହୋଇପାରିବ। ଏନେଇ ପୂର୍ବତନ ଉପବାଚସ୍ପତି ରାମଚନ୍ଦ୍ର ପଣ୍ଡା ମଙ୍ଗଳବାର ରାଜଭବନରେ ରାଜ୍ୟପାଳଙ୍କୁ ସାକ୍ଷାତ କରି ଏକ ସ୍ମାରକପତ୍ର ଦେଇଥିବା ଜଣାପଡ଼ିଛି । ଗଞ୍ଜାମ-ହୁମା ମଧ୍ୟରେ କେନ୍ଦ୍ର ଲବଣ ବିଭାଗର ୧୬୦୦ ଏକର ପଡ଼ିଆ ଜମି ଓ ଆଖପାଖ ଜମି ଅଧିକୃତ କରି ଏହି ବିମାନ ବନ୍ଦର ପ୍ରତିଷ୍ଠା କରାଯାଇପାରିବ ବୋଲି ଦର୍ଶାଇଛନ୍ତି। ବିମାନ ବନ୍ଦର ଏଠାରେ ନିର୍ମିିତ ହେଲେ ଚିଲିକା ନୌସେନା କେନ୍ଦ୍ର ଓ ଗୋପାଳପୁର ସେନା ତାଲିମ କେନ୍ଦ୍ର ପାଇଁ ଉପଯୋଗି ହେବା ସାଙ୍ଗକୁ ଜିଲାର ତ୍ୱରିତ ଗମନାଗମନ ସୁବିଧା ଦ୍ବାରା ଶିଳ୍ପ ଓ ବ୍ୟବସାୟ ବୃଦ୍ଧି ପାଇବ । ଯଦି ବିମାନ ବନ୍ଦର ପାଇଁ ଜିଲାରେ ଅନ୍ୟତ୍ର ସ୍ଥାନ ନିରୂପଣ ହୁଏ ତେବେ ଏହି ମୂଲ୍ୟବାନ ଲବଣ ବିଭାଗ ଜମିରେ ଟେକ୍ସଟାଇଲ ପାର୍କ ପ୍ରତିଷ୍ଠା କରାଯାଉ କିମ୍ବା ଆଧୁନିକ ଲବଣ ଶିଳ୍ପ ପ୍ରତିଷ୍ଠା କରାଯାଇ ନିଯୁକ୍ତି ସୁଯୋଗ ସୃଷ୍ଟି କରାଯାଉ। ଏଭଳି ହେଲେ ସମୁଦ୍ର ନିକଟବର୍ତୀ ଏହି ଅଞ୍ଚଳର ପର୍ଯ୍ୟଟନର ବିକାଶ ମଧ୍ୟ ସମ୍ଭବ ହେବ । ଶ୍ରୀ ପଣ୍ଡାଙ୍କ ସହିତ ଅନ୍ୟ ମାନଙ୍କ ମଧ୍ୟରେ ବାବା ବଟେଶ୍ୱର ଲବଣ ଶ୍ରମିକ ସଂଘରସଭାପତି ତଥା ପୂର୍ବତନ ଗଞ୍ଜାମ ବ୍ଲକ ଅଧକ୍ଷ ସୁରଥ ପ୍ରଧାନ, ଯୁବନେତା ରଞ୍ଜନ କୁମାର ତରାଇ, ଅମୁଲ୍ୟ କୁମାର ଦଳାଇ ପ୍ରମୁଖ ଉପସ୍ଥିତ ଥିଲେ । ରାଜ୍ୟପାଳ ମହୋଦୟ ଦୀର୍ଘସମୟ ଧରି ଏହି ଜମିର ଉପାଦେୟତା ସମ୍ପର୍କରେ ଆଲୋଚନା କରିଥିଲେ।
ଏ ସମ୍ପର୍କରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଅବଗତ କରାଇବା ପାଇଁ ପ୍ରତିଶ୍ରୁତି ଦେଇଥିବା ଜଣାପଡିଛି ।