ନୂଆପଡ଼ା,୨୪ା୧୦(ମକାରୁ ବେମାଲ): ନୂଆପଡ଼ା ବିଧାନସଭା ଉପନିର୍ବାଚନ ପରିପ୍ରେକ୍ଷୀରେ ଭାରତର ନିର୍ବାଚନ କମିଶନଙ୍କ ଦ୍ୱାରା ନିଯୁକ୍ତ ୩ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ଭାରତୀୟ ପ୍ରଶାସନିକ ସେବାର ଅଧିକାରୀ ପ୍ରକାଶ ବିନ୍ଦୁ, ଖର୍ଚ୍ଚ ପର୍ଯ୍ୟବେକ୍ଷକ ଅତୁଲ ପାଣ୍ଡେ, ଭାରତୀୟ ରାଜସ୍ବ ସେବା ଓ ପୋଲିସ ପର୍ଯ୍ୟବେକ୍ଷକ ବି. ଶଙ୍କର ଜୟସ୍ବାଲ ଶନିବାର ସମସ୍ତ ବିଧାୟକ ପ୍ରାର୍ଥୀଙ୍କ ସହ ଏକ ବୈଠକରେ ଜିଲାପାଳଙ୍କ ସମ୍ମିଳନୀ କକ୍ଷରେ ଯୋଗଦେଇଥିଲେ। ଜିଲାପାଳ ତଥା ଜିଲା ନିର୍ବାଚନ ଅଧିକାରୀ ମଧୁସୂଦନ ଦାଶ ସମସ୍ତଙ୍କୁ ସ୍ବାଗତକରି ବୈଠକର ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ। ପର୍ଯ୍ୟବେକ୍ଷକମାନେ ସମସ୍ତ ଦିଗକୁ ଧ୍ୟାନ ଦେଇ ପ୍ରାର୍ଥୀମାନଙ୍କୁ ଆବଶ୍ୟକ ପରାମର୍ଶ ଦେଇଥିଲେ। ଆଦର୍ଶ ଆଚରଣ ସଂହିତାର ଗୁରୁତ୍ୱପୂର୍ଣ୍ଣ ଦିଗ, ଖର୍ଚ୍ଚ ରିପୋର୍ଟିଂ ଫର୍ମାଟ, ଦର ତାଲିକା, ଯାନବାହନ, ଶୋଭାଯାତ୍ରା ଏବଂ ସାଧାରଣ ସଭା ପାଇଁ ଅନୁମତି ପ୍ରଦାନ ଉପରେ ଆଲୋଚନା ହୋଇଥିଲା। ସମସ୍ତ ପର୍ଯ୍ୟବେକ୍ଷକ ରାଜନୈତିକ ଦଳ, ପ୍ରାର୍ଥୀ ଓ ମତଦାତାଙ୍କ ପାଇଁ ସ୍ଥାନୀୟ ସର୍କିଟ ହାଉସରେ ଦିନ ୧୧ଟାରୁ ୧୨ଟା ଯାଏ ଉପଲବ୍ଧ ରହି ସେମାନଙ୍କ ଅଭିଯୋଗ ଓ ଅସୁବିଧା ସମାଧାନ କରିବେ ବୋଲି ସୂଚନା ଦିଆଯାଇଥିଲା।