ପଶୁ ଜଗତର ବୁଦ୍ଧିମତାକୁ ନେଇ ଏକ ଆଶ୍ଚର୍ଯ୍ୟଜନକ ତଥ୍ୟ ସାମ୍ନାକୁ ଆସିଛି। ଅଷ୍ଟ୍ରିଆର ‘ଭେରୋନିକା’ ନାମକ ଏକ ଗାଈ ନିଜର ଚତୁରତା ପାଇଁ ଏବେ ସାରା ବିଶ୍ୱରେ ଚର୍ଚ୍ଚାର ବିଷୟ ପାଲଟିଛି। ମଣିଷ ପରି ବିଭିନ୍ନ ଉପକରଣ ବା ‘ଟୁଲ୍’ ବ୍ୟବହାର କରିବାରେ ସେ ହେଉଛି ପୃଥିବୀର ପ୍ରଥମ ଗାଈ।
ଭେରୋନିକା ନିଜ ଶରୀରର କୁଣ୍ଡେଇ ହେଉଥିବା ସ୍ଥାନରେ ପହଞ୍ଚିବା ପାଇଁ ବାଡ଼ି, ଝାଡ଼ୁ ଏବଂ କଣ୍ଟା ବ୍ୟବହାର କରୁଥିବାର ଏକ ଭିଡିଓ ଭାଇରାଲ ହୋଇଥିଲା। ଏହାକୁ ନେଇ ଭିଏନା ସ୍ଥିତ ‘ୟୁନିଭରସିଟି ଅଫ୍ ଭେଟେରିନାରୀ ମେଡିସିନ୍’ର ଗବେଷକମାନେ ଏକ ଅନୁଧ୍ୟାନ କରିଥିଲେ, ଯାହା ପ୍ରସିଦ୍ଧ ପତ୍ରିକା ‘କରେଣ୍ଟ ବାୟୋଲୋଜି’ରେ ପ୍ରକାଶ ପାଇଛି।
ଭେରୋନିକା କେବଳ ଝାଡ଼ୁ ଧରିବା ଜାଣିନାହିଁ, ବରଂ ଆବଶ୍ୟକତା ଅନୁସାରେ ଏହାର ଦୁଇ ପାର୍ଶ୍ୱକୁ ବ୍ୟବହାର କରେ। କଠିନ ସ୍ଥାନ ପାଇଁ ଖଦଖଦିଆ ପାର୍ଶ୍ୱ ଏବଂ ନରମ ସ୍ଥାନ ପାଇଁ ବାଡ଼ି ପାର୍ଶ୍ୱକୁ ସେ ବ୍ୟବହାର କରୁଛି।
ଯଦି ଝାଡ଼ୁଟି ସଠିକ୍ କୋଣରେ ନଥାଏ, ସେ ନିଜ ଜିଭ ସାହାଯ୍ୟରେ ତାକୁ ସଜାଡ଼ି ଦାନ୍ତରେ ଚାପି ଧରି ବ୍ୟବହାର କରେ। ପରୀକ୍ଷଣ ସମୟରେ ୭୦ଟି ପ୍ରୟାସ ମଧ୍ୟରୁ ପ୍ରାୟ ୭୬ ଥର ସେ ସଫଳତାର ସହ ଉପକରଣ ବ୍ୟବହାର କରିଥିବା ଦେଖାଯାଇଛି।
ଇଟାଲୀ ସୀମାନ୍ତ କାରିନ୍ଥିଆ ସହରର ଜୈବିକ ଚାଷୀ ତଥା ଭେରୋନିକାର ମାଲିକ ୱିଟ୍ଗାର୍ ୱିଗେଲ୍ କୁହନ୍ତି ଯେ, କିଛି ବର୍ଷ ପୂର୍ବେ ସେ କାଠି ଖଣ୍ଡ ସହ ଖେଳୁଥିବା ଦେଖିବାକୁ ମିଳିଥିଲା। ଧୀରେ ଧୀରେ ସେ ନିଜେ ହିଁ ଏହି କୌଶଳ ଶିଖିଗଲା। ପଶୁମାନଙ୍କ ପାଖରୁ ଧୈର୍ଯ୍ୟ ଓ ଶାନ୍ତି ଶିଖିବାର ଅଛି ବୋଲି ସେ ପ୍ରକାଶ କରିଛନ୍ତି।
ପୂର୍ବରୁ ହାତୀ, ମାଙ୍କଡ଼ ଓ ଓରାଙ୍ଗୁଟାନଙ୍କ କ୍ଷେତ୍ରରେ ଏପରି ବୁଦ୍ଧିମତା ଦେଖାଯାଇଥିବା ବେଳେ, ପ୍ରାୟ ୧୦,୦୦୦ ବର୍ଷର ଗୃହପାଳିତ ପଶୁ ଇତିହାସରେ ଗାଈ କ୍ଷେତ୍ରରେ ଏହା ପ୍ରଥମ ପ୍ରମାଣ। ଏହି ଆବିଷ୍କାର ଗୃହପାଳିତ ପଶୁଙ୍କ ବୌଦ୍ଧିକ କ୍ଷମତା ଉପରେ ପୁନର୍ବାର ଚିନ୍ତା କରିବାକୁ ବୈଜ୍ଞାନିକମାନଙ୍କୁ ବାଧ୍ୟ କରିଛି।