କନ୍ୟା ସନ୍ତାନ ଜନ୍ମ ଦେଲେ ‘ନୀଳ ଡ୍ରମ’ ହତ୍ୟାକାଣ୍ଡ ଅଭିଯୁକ୍ତ ମୁସକାନ

ନୂଆଦିଲ୍ଲୀ,୨୪ା୧୧: ସ୍ୱାମୀ ସୌରଭ ରାଜପୁତଙ୍କୁ ବିଭତ୍ସ ଭାବେ ହତ୍ୟା କରି ତାଙ୍କ ମୃତଦେହକୁ ଏକ ନୀଳ ଡ୍ରମରେ ଲୁଚାଇ ରଖିଥିବା ମାମଲାରେ ମୀରଟ ଜେଲରେ ଥିବା ଅଭିଯୁକ୍ତ ମୁସକାନ ସୋମବାର ସନ୍ଧ୍ୟାରେ ସ୍ଥାନୀୟ ମେଡିକାଲ କଲେଜ ହସ୍ପିଟାଲରେ ଏକ ଶିଶୁ କନ୍ୟାକୁ ଜନ୍ମ ଦେଇଛନ୍ତି ବୋଲି ଜେଲ ଅଧିକାରୀମାନେ ସୂଚନା ଦେଇଛନ୍ତି।

ବରିଷ୍ଠ ଜେଲ ଅଧୀକ୍ଷକ ଡ. ବିରେଶ ରାଜ ଶର୍ମା କହିଛନ୍ତି ଯେ ପ୍ରସବ ଯନ୍ତ୍ରଣା ବଢ଼ିବାରୁ ମୁସକାନଙ୍କୁ ରବିବାର ରାତି ପ୍ରାୟ ୧୧:୩୦ରେ ଲାଲା ଲଜପତ ରାୟ ସ୍ମାରକୀ ମେଡିକାଲ କଲେଜକୁ ଅଣାଯାଇଥିଲା। ପ୍ରସୂତି ବିଭାଗର ମୁଖ୍ୟ ଡ. ଶକୁନ ସିଂହ କହିଛନ୍ତି ଯେ ନବଜାତକର ଓଜନ ୨.୪ କିଲୋଗ୍ରାମ ଏବଂ ଡାକ୍ତରମାନେ ସଫଳତାର ସହ ସ୍ୱାଭାବିକ ପ୍ରସବ କରାଇଛନ୍ତି। ମାଆ ଓ ଶିଶୁ ଉଭୟ ସୁସ୍ଥ ଅଛନ୍ତି।

ଜେଲ ଅଧୀକ୍ଷକ କହିଛନ୍ତି ଯେ ମୁସକାନଙ୍କ ପରିବାର ଲୋକଙ୍କୁ ଖବର ଦିଆଯାଇଛି, କିନ୍ତୁ କେହିବି ଡାକ୍ତରଖାନାକୁ ଆସିନାହାଁନ୍ତି। ମାମଲାର ସମ୍ବେଦନଶୀଳତାକୁ ଦୃଷ୍ଟିରେ ରଖି ଡାକ୍ତରଖାନାର ମୁଖ୍ୟ ଫାଟକ ଓ ୱାର୍ଡ ଚାରିପଟେ ପୋଲିସ ମୁତୟନ ବୃଦ୍ଧି କରାଯାଇଛି।

ମୀରଟର ଇନ୍ଦିରାନଗର ସ୍ଥିତ ସୌରଭଙ୍କ ଘରେ ମାର୍ଚ୍ଚ ୪ ତାରିଖ ରାତିରେ ଏହି ହତ୍ୟାକାଣ୍ଡ ଘଟିଥିଲା। ମୁସକାନ ଏବଂ ତାଙ୍କ କଥିତ ପ୍ରେମିକ ସାହିଲ ଶୁକ୍ଳା ନିଶା ଦେଇ ସୌରଭଙ୍କୁ ଛୁରୀ ଭୁସି ହତ୍ୟା କରିଥିବା ଅଭିଯୋଗ ହୋଇଛି।

ଅଭିଯୋଗ ଅନୁଯାୟୀ, ସେମାନେ ସୌରଭଙ୍କ ମୃତଦେହକୁ ଖଣ୍ଡ ଖଣ୍ଡ କରି, ମୁଣ୍ଡ ଓ ହାତକୁ କାଟି, ସିମେଣ୍ଟ ଭର୍ତ୍ତି ଏକ ନୀଳ ଡ୍ରମରେ ଲୁଚାଇ ଦେଇଥିଲେ। ପୋଲିସର କହିବାନୁଯାୟୀ, ପ୍ରେମ ସମ୍ପର୍କରେ ସୌରଭ ବାଧା ସୃଷ୍ଟି କରୁଥିବାରୁ ଏହି ହତ୍ୟାକାଣ୍ଡ ଘଟିଥିଲା। ମୁସକାନ ଏବଂ ସାହିଲ ମାର୍ଚ୍ଚ ୧୮ ତାରିଖରେ ଗିରଫ ହୋଇଥିଲେ।