ଗଣମାଧ୍ୟମ ପ୍ରତିନିଧିଙ୍କୁ ନିସ୍ତୁକ ମାଡ, ଭିଡିଓ ଭାଇରାଲ: ମୁଖ୍ୟ ଅଭିଯୁକ୍ତ ଠିକାଦାର ଗଜେନ୍ଦ୍ର ଦଲେଇଙ୍କ ସହ ୪ ଅଭିଯୁକ୍ତଙ୍କୁ ମିଳିଲା ଜାମିନ

ବଲାଙ୍ଗୀର,୩୧।୫(ସୁନୀଲ, ବଲାଙ୍ଗୀର): ରାସ୍ତା ଗାର୍ଡୱାଲ କାମରେ ଦୁର୍ନୀତି ହୋଇଥିବା ଖବର ପରିବେଷଣ କରିବାରୁ ପୁଇଁତଲା ଥାନା ଅନ୍ତର୍ଗତ କୁଲଥିପାଲି ଗାଁରେ ସର୍ବସାଧାରଣ ସମ୍ମୁଖରେ ଗଣମାଧ୍ୟମ ପ୍ରତିନିଧି ବିଜୟ ପ୍ରଧାନଙ୍କୁ ନିସ୍ତୁକ ମାଡ଼ ମାରିବା ଓ ମାଡ ମରାଯିବା ଦୃଶ୍ୟକୁ ସାମାଜିକ ଗଣମାଧ୍ୟମରେ ଭାଇରାଲ କରାଯାଇଥିଲା। ଏହି ଘଟଣାରେ ଗିରଫ ହୋଇଥିବା ୪ ଅଭିଯୁକ୍ତଙ୍କୁ ଜିଲା କୋର୍ଟରୁ ସର୍ତମୂଳକ ଜାମିନ ମିଳିଥିବା ଜଣାପଡିଛି । ଉକ୍ତ ଜାମିନ ବଳରେ ଅଭିଯୁକ୍ତ ମାନେ ଜିଲା କାରାଗାରରୁ ଶନିବାର ବାହାରି ଥିବା ଜଣାପଡିଛି। ଏହି ମାମଲାରେ ପୁଇଁତଲା ଥାନା ଅନ୍ତର୍ଗତ କୁଲଥିପାଲି ଗାଁର ଠିକାଦାର ଗଜେନ୍ଦ୍ର ଦଳେଇଙ୍କ ସହ ୪ ଅଭିଯୁକ୍ତଙ୍କୁ କାବୁ କରିଥିଲା । ଅନ୍ୟ ଗିରଫ ଅଭିଯୁକ୍ତ ହେଲେ କୁଲଥିପାଲି ଗାଁର ଅବିନାଶ ଦଳେଇ (୨୫), ବଲାଙ୍ଗୀର ସହର ବରପାଲିପଡାର ଆଦିତ୍ୟ କୁମାର ଜେନା (୩୧) ଓ କୁଲଥିପାଲିର ଗୁମର ନାଏକ (୪୦)। ଜଣେ ୧୬ ବର୍ଷିୟ ନାବାଳକ ଅଭିଯୁକ୍ତଙ୍କୁ ପୋଲିସ ଜୁଭେନାଇଲ ଜଷ୍ଟିସ ବୋର୍ଡକୁ ପଠଇଥିଲେ ।
ଗତ ୨୩ ତାରିଖ ଗଣମାଧ୍ୟମ ପ୍ରତିନିଧି ବିଜୟ କୁମାର ପ୍ରଧାନ କୁଲଥିପାଲି ଗାଁରେ ଚାଲିଥିବା ଏକ ରାସ୍ତା ଗାର୍ଡୱାଲ କାମର ଖବର ସଂଗ୍ରହ କରିବାକୁ ଯାଇଥିଲେ । ପୂର୍ବରୁ ସେ ଉକ୍ତ ରାସ୍ତାକାମରେ ଦୁର୍ନୀତି ହୋଇଥିବା ଖବର ପ୍ରସାରଣ କରିଥିଲେ। ଶୁକ୍ରବାର ଫଲୋ ଅଫ ଖବର ପାଇଁ ଗାଁକୁ ଯାଇ ରାସ୍ତାକାମର ଭିଡିଓ ଉତ୍ତୋଳନ କରି ଲୋକଙ୍କ ପ୍ରତିକ୍ରିୟା ନେବାକୁ ଯାଉଥିବା ବେଳେ ସେଠାରେ ଥିବା ଠିକାଦାରଙ୍କ କିଛି ଗୁଣ୍ଡା ବିଜୟଙ୍କୁ ଅତର୍କିତ ଆକ୍ରମଣ କରିଥିଲେ । ବିଜୟଙ୍କ ହାତବାନ୍ଧି ଦେଇ ତାଙ୍କୁ ନିସ୍ତୁକ ମାଡ ମାରିବା ସହ ଘୋଷାଡି ଘୋଷାଡି ଗାଁ ମଝିକୁ ନେଇ ମନ୍ଦିରରେ ଖବର ପରିବେଷଣ ନ କରିବା ପାଇଁ ଶପଥ କରିବାକୁ ବାଧ୍ୟ କରିଥିଲେ । ବିଜୟଙ୍କ ହାତବାନ୍ଧି ତାଙ୍କ ମୁହଁରେ ଲାତ ମାରିବାର ଭିଡିଓ ଓ ଫଟୋ ଭାଇରାଲ କରିଥିଲେ। ଏହି ଘଟଣା ଜାତୀୟ ସ୍ତରରେ ଚର୍ଚ୍ଚାର ବିଷୟ ହୋଇଥିଲା। ଏହି ଘଟଣାକୁ ନେଇ ଜାତୀୟ ମାନବିକ ଅଧିକାର କମିଶନ (ଏନଏଚଆରସି) ନିଜ ଆଡୁ ଓଡ଼ିଶା ପୋଲିସ ମହାନିର୍ଦ୍ଦେଶକ (ଡିଜିପି)ଙ୍କୁ ନୋଟିସ କରି ଦୁଇ ସପ୍ତାହ ମଧ୍ୟରେ ରିପୋର୍ଟ ଦାଖଲ କରିବାକୁ ଚିଠି କରିଥିଲେ।