ୟୁକ୍ରେନ ଛାଡ଼ିଲେଣି ୧୮ହଜାର ଭାରତୀୟ

ନୂଆଦିଲ୍ଲୀ,୩।୩: ରୁଷିଆ ଓ ୟୁକ୍ରେନରେ ଜାରି ରହିଥିବା ଯୁଦ୍ଧ ଅଷ୍ଟମ ଦିନରେ ପହଞ୍ଚିଛି। ଦିନକୁ ଦିନ ୟୁକ୍ରେନରେ ସ୍ଥିତି ବିଗିଡ଼ିବାରେ ଲାଗିଛି। ଇତିମଧ୍ୟରେ ଫସି ରହିଥିବା ଭାରତୀୟଙ୍କୁ ଉଦ୍ଧାର କରିବା ଲାଗି କେନ୍ଦ୍ର ସରକାର ତତ୍ପରତା ଦେଖାଇଛନ୍ତି। ଅପରେଶନ୍‌ ଗଙ୍ଗା ଅଭିଯାନକୁ ତ୍ୱରାନ୍ବିତ କରାଯାଇଥିବା ବେଳେ ବର୍ତ୍ତମାନ ସୁଦ୍ଧା ୧୮ହଜାର ଭାରତୀୟ ୟୁକ୍ରେନ ଛାଡ଼ିଛନ୍ତି। ଏନେଇ ଗୁରୁବାର ବର୍ହିବ୍ୟାପାର ମନ୍ତ୍ରଣାଳୟର ମୁଖପାତ୍ର ଅରିନ୍ଦମ ବାଗଚି ସୂଚନା ଦେଇଛନ୍ତି। ସେ କହିଛନ୍ତି, ଅପରେଶନ ଗଙ୍ଗା ମାଧ୍ୟମରେ ଗୋଟିଏ ଦିନରେ ୧୫ଟି ବିମାନ ମାଧ୍ୟମରେ ୩ହଜାର ଭାରତୀୟଙ୍କୁ ସ୍ବଦେଶ ଅଣାଯାଇଛି। ଗତ ୨୪ ଘଣ୍ଟାରେ ୩୦ଟି ବିମାନରୁ ୬୪୦୦ ଭାରତୀୟଙ୍କୁ ଫେରାଇ ଅଣାଯାଇଛି। ସଙ୍କଟ ସମୟରେ ସହାୟତା ପାଇଁ ୟୁକ୍ରେନ ଏବଂ ଏହାର ପଡ଼ୋଶୀ ଦେଶମାନଙ୍କୁ ଅରିନ୍ଦମ ବାଗଚି ଧନ୍ୟବାଦ ଜଣାଇଛନ୍ତି। ଆସନ୍ତାକାଲି ୧୫ଟି ଓ ଆଗାମୀ ୨୪ଘଣ୍ଟାରେ ୧୮ଟି ବିମାନ ଉଡାଣ ପାଇଁ ସ୍ଥିର ହୋଇଛି। ତେବେ ରୋମାନିଆର ଏକ ନୂତନ ସ୍ଥାନ ସୁଚିଆଭାକୁ ଚିହ୍ନଟ କରାଯାଇଛି, ଯେଉଁଠାରୁ ବିମାନରେ ଭାରତୀୟଙ୍କୁ ଫେରାଇ ଆଣିବା ପାଇଁ ପ୍ରୟାସ କରାଯିବ ବୋଲି ବର୍ହିବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ଏତଦ୍‌ ବ୍ୟତୀତ ଭାରତୀୟଙ୍କ ପାଇଁ ଖାଦ୍ୟ ଏବଂ ରହଣି ବ୍ୟବସ୍ଥା ମଧ୍ୟ କରାଯାଉଛି। ଆସନ୍ତା ୨-୩ ଦିନ ମଧ୍ୟରେ ଅଧିକ ଲୋକଙ୍କୁ ଫେରାଇ ଅଣାଯିବ ବୋଲି ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ଅନ୍ୟପଟେ ଦୁର୍ଭାଗ୍ୟବଶତଃ ଯେଉଁମାନେ ୟୁକ୍ରେନର ଖାର୍କିଭରେ ରହିଯାଇଛନ୍ତି ସେମାନଙ୍କୁ ଟ୍ରେନ ଯୋଗେ ସେଠାରୁ ବାହାରିବାକୁ ନିବେଦନ କରାଯାଇଛି ବୋଲି ମୁଖପାତ୍ର ଅରିନ୍ଦମ ବାଗଚି କହିଛନ୍ତି।