Categories: Home Leftଖେଳ

କ୍ରିକେଟରେ ମଙ୍କଡ ଆଉଟ୍‌ ଅନୁଚିତ ନୁହେଁ

ଲଣ୍ଡନ,୯।୩: କ୍ରିକେଟରେ ମଙ୍କଡ୍‌ ଆଉଟ୍‌ ଆଉ ଅନୁଚିତ ନୁହେଁ। ଅର୍ଥାତ ବୋଲର ବଲ ପକାଇବା ପୂର୍ବରୁ ଯଦି ନନ୍‌ ଷ୍ଟ୍ରାଇକର ଏଣ୍ଡ୍‌ରେ ଥିବା ବ୍ୟାଟର କ୍ରିଜ ଛାଡ଼ି ଆଗକୁ ଯାଆନ୍ତି, ତେବେ ବୋଲର ତାଙ୍କୁ ମଙ୍କଡ୍‌ ଆଉଟ୍‌ କରିପାରିବେ। ଏ ନେଇ ଏକ ନିୟମ ଆଣିଛି କ୍ରିକେଟରେ ନିୟମର ତଦାରଖ କରୁଥିବା ମାରିଲେବୋନ କ୍ରିକେଟ କ୍ଲବ (ଏମ୍‌ସିସି)। ଏଥିସହିତ ବଲକୁ ଚମକାଇବା ପାଇଁ ଛେପର ବ୍ୟବହାର ଉପରେ ସମ୍ପୂର୍ଣ୍ଣ ପ୍ରତିବନ୍ଧକ ଲଗାଯାଇଛି। ଏହି ଦୁଇ ନିୟମ ଚଳିତ ବର୍ଷ ଅକ୍ଟୋବରରୁ କାର୍ଯ୍ୟକାରୀ ହେବ ବୋଲି ଏମ୍‌ସିସି ପକ୍ଷରୁ କୁହାଯାଇଛି।

ମଙ୍କଡ୍‌ ଆଉଟ୍‌କୁ ଅନେକ କ୍ରିକେଟର ଅନୁଚିତ ଏବଂ ଖେଳୁଆଡ଼ ମନୋଭାବ ବିରୋଧରେ ଗଣୁଥିବା ବେଳେ କିଛି ଖେଳାଳି ଏହାକୁ ଉଚିତ ବୋଲି ଦର୍ଶାଇଛନ୍ତି। ଏମାନଙ୍କ ମଧ୍ୟରେ ରହିଛନ୍ତି ଭାରତୀୟ ଦଳର ଅଗ୍ରଣୀ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନ।

“ଆଇନ ୪୧.୧୬ ଅନୁଯାୟୀ, ନନ୍‌ ଷ୍ଟ୍ରାଇକରଙ୍କୁ ରନ୍‌ ଆଉଟ୍‌କୁ ୪୧ ନିୟମ (ଅନୁଚିତ ଖେଳ)ରୁ ୩୮ ନିୟମ (ରନ୍‌ଆଉଟ୍‌)କୁ ସ୍ଥାନାନ୍ତରିତ କରାଯାଇଛି। ନିୟମର ଶବ୍ଦରେ କୌଣସି ପରିବର୍ତ୍ତନ କରାଯିବ ନାହିଁ” ବୋଲି ଏମ୍‌ସିସି ପକ୍ଷରୁ ମଙ୍ଗଳବାର କୁହାଯାଇଛି।