ପ୍ରଧାନମନ୍ତ୍ରୀ ହୋଇପାରିବି, ରାଷ୍ଟ୍ରପତି ନୁହେଁ: ମାୟାବତୀ

ଲକ୍ଷ୍ନୌ,୨୮।୪: ବର୍ତ୍ତମାନ ଦେଶରେ ରାଷ୍ଟ୍ରପତି ନିର୍ବାଚନକୁ ନେଇ ରାଜନୀତି ସରଗରମ ରହିଛି। ଇତିମଧ୍ୟରେ ବିଏସ୍‌ପି ମୁଖ୍ୟ ତଥା ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ମାୟାବତୀଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଛି। ସେ କହିଛନ୍ତି, ରାଜ୍ୟର ମୁଖ୍ୟମନ୍ତ୍ରୀ କିମ୍ବା ଦେଶର ପ୍ରଧାନମନ୍ତ୍ରୀ ହୋଇପାରିବି କିନ୍ତୁ ରାଷ୍ଟ୍ରପତି ନୁହେଁ। ସୂଚନା ମୁତାବକ, ଏସ୍‌ପି ମୁଖ୍ୟ ଅଖିଳେଶ ଯାଦବଙ୍କ ବୟାନର ଏଭଳି ଉତ୍ତର ଦେଇଛନ୍ତି ମାୟାବତୀ । କାରଣ ମାୟାବତୀ ରାଷ୍ଟ୍ରପତି ହେବାକୁ ଚାହୁଁଛନ୍ତି, ତେଣୁ ତାଙ୍କ ଭୋଟ ଭାଜପାକୁ ଯାଇଛି ବୋଲି ପୂର୍ବରୁ ଅଖିଳେଶ ଯାଦବ ବୟାନ ଦେଇଥିଲେ। ତେବେ ଏହାର ପ୍ରତିଉତ୍ତରରେ ମାୟାବତୀ ଗୁରୁବାର ନିଜର ପ୍ରତିକ୍ରିୟା ରଖିଛନ୍ତି। ୟୁପିରେ ମୁସଲମାନଙ୍କ ପ୍ରତି ହେଉଥିବା ଅତ୍ୟାଚାର ପାଇଁ କେବଳ ଏସ୍‌ପି ଦାୟୀ ବୋଲି ମାୟାବତୀ ଅଭିଯୋଗ କରିଛନ୍ତି। ଏତଦ୍‌ ବ୍ୟତୀତ ସେ କହିଛନ୍ତି, ଏସ୍‌ପି ଦଳ ମୋତେ ରାଷ୍ଟ୍ରପତିି କରିବାକୁ ସ୍ବପ୍ନ ଦେଖୁଛି। ଯାହାଫଳରେ ଅଖିଳେଶଙ୍କ ମୁଖ୍ୟମନ୍ତ୍ରୀ ହେବା ରାସ୍ତା ସଫା ହୋଇଯିବ। କିନ୍ତୁ ଏହା ସମ୍ଭବ ନୁହେଁ। ରାଜ୍ୟର ମୁଖ୍ୟମନ୍ତ୍ରୀ କିମ୍ବା ଦେଶର ପ୍ରଧାନମନ୍ତ୍ରୀ ହୋଇପାରିବି କିନ୍ତୁ ରାଷ୍ଟ୍ରପତି ହେବାକୁ ଚିନ୍ତା ବି କରିପାରିବିନି ବୋଲି ବିଏସ୍‌ପି ସୁପ୍ରିମୋ କହିଛନ୍ତି।