Diego Maurico Machado De Brito of Odisha FC takes a shot to score a goal during match 10 of the 7th season of the Hero Indian Super League between Jamshedpur FC and Odisha FC held at the Tilak Maidan Stadium, Goa, India on the 29th November 2020 Photo by Faheem Hussain / Sportzpics for ISL
ଭାସ୍କୋ, ୩୦।୧୧- ଡିଏଗୋ ମୌରିସିଓଙ୍କ ଡବଲ ଗୋଲ ଚଳିତ ଇଣ୍ଡିଆନ ସୁପରଲିଗ୍(ଆଇଏସଏଲ)ର ରବିବାର ମ୍ୟାଚରେ ଓଡ଼ିଶା ଏଫସିର ସମ୍ମାନ ରଖିଛି। ପ୍ରଥମାର୍ଦ୍ଧରେ ୦-୨ ଗୋଲରେ ପଛୁଆ ରହିବାସତ୍ତ୍ୱେ ଜାମସେଦପୁର ଏଫସି ବିପକ୍ଷ ମ୍ୟାଚକୁ ଓଡ଼ିଶା ଏଫସି ୨-୨ରେ ଡ୍ର ରଖିବାରେ ସକ୍ଷମ ହୋଇଛି। ଫଳରେ ନିଜର ପ୍ରଥମ ମ୍ୟାଚରେ ହାଇଦ୍ରାବାଦ ଏଫସି ନିକଟରୁ ୦-୧ରେ ପରାଜିତ ହୋଇଥିବା ଭୁବନେଶ୍ୱର ଭିତ୍ତିକ ଓଡ଼ିଶା ଦଳ ଏହି ମ୍ୟାଚରୁ ପଏଣ୍ଟର ଶୁଭାରମ୍ଭ କରିଛି। ଉଭୟ ଦଳକୁ ୧ ପଏଣ୍ଟ ଲେଖାଏ ମିଳିଛି।
ମ୍ୟାଚର ପ୍ରଥମାର୍ଦ୍ଧରେ ଜାମସେଦପୁର ପ୍ରାଧାନ୍ୟ ବିସ୍ତାର କରି ଖେଳିଥିଲା। ୧୨ତମ ମିନିଟରେ ନେରିଜୁସ ଭାଲ୍ସକିସ୍ ଗୋଲ ଦେଇ ଜାମସେଦପୁର ଦଳକୁ ଅଗ୍ରଣୀ କରାଇଥିଲେ। ନେରିଜୁସ ଧୈର୍ଯ୍ୟର ସହ ପୋଷ୍ଟର ବାମ କର୍ନରରେ ବଲ୍ ନେଟ୍କୁ ସ୍ପର୍ଶ କରାଇଥିବାବେଳେ ପ୍ରତିପକ୍ଷ ଗୋଲକିପର ବିପରୀତ ଦିଗକୁ ଡାଇଭ୍ ମାରିଥିଲେ। ଓଡ଼ିଶା ଦଳର ଡିଫେନ୍ସିଭ୍ ବିଫଳତାର ସୁଯୋଗ ନେଇ ୨୭ତମ ମିନିଟରେ ସେ ତାହାକୁ ଡବଲରେ ପରିଣତ କରିଥିଲେ। ମାତ୍ର ଦ୍ୱିତୀୟାର୍ଦ୍ଧରେ ଭିନ୍ନ ଖେଳ ଦେଖିବାକୁ ମିଳିଥିଲା। ଓଡ଼ିଶା ଏଫ୍ସି ଗୋଲ ପରିଶୋଧ କରିବାକୁ ଉଦ୍ୟମକୁ ଜୋରଦାର କରିଥିବାବେଳେ ଜାମସେଦପୁର କଡ଼ା ଟକ୍କର ଦେଇଥିଲା। ୭୪ତମ ମିନିଟରେ ରେହେନେଶ ଥୁମ୍ବିରିମ୍ବୁ ପରମ୍ବା ରେଡ୍କାର୍ଡ ପାଇବାରୁ ଜାମସେଦପୁର ୧୦ ଜଣିଆ ହୋଇ ଯାଇଥିଲା। ୭୭ତମ ମିନିଟରେ ଓଡ଼ିଶା ଏଫସିର ବ୍ରାଜିଲିଆନ ଷ୍ଟ୍ରାଇକର ମୌରିସିଓ ଏକ ଗୋଲ ଦେଇ ଗୋଲ ବ୍ୟବଧାନକୁ ହ୍ରାସ କରିଥିଲେ। ୯୦ ମିନିଟ ପର୍ଯ୍ୟନ୍ତ ଜାମସେଦପୁର ଅଗ୍ରଣୀ ରହିଥିଲା। ୬ ମିନିଟର ଇଞ୍ଜୁରି ଟାଇମ୍ ଓଡ଼ିଶା ଦଳପାଇଁ ଶୁଭ ହୋଇଥିଲା। ୯୦+୩ ମିନିଟରେ ମୌରିସିଓ ବ୍ୟକ୍ତିଗତ ଦ୍ୱିତୀୟ ଗୋଲ ଦେଇ ଜାମସେଦପୁର ଏଫସି ବିଜୟ ଆଶାରେ ପାଣି ଭରି ଦେଇଥିଲେ। ଜାମସେଦପୁର ଏଫସିର ଆଲେକଜାଣ୍ଡାର ମଣ୍ଟେଇରୋ ଡି ଲାମା ପାସ୍ ଅଫ୍ ଦି ମ୍ୟାଚ ଏବଂ ଓଡ଼ିଶା ଏଫସିର ଡିଏଗୋ ମୌରିସିଓ ଡି ବ୍ରିଟୋ ହିରୋ ଅଫ୍ ଦି ମ୍ୟାଚ ପୁରସ୍କାର ପାଇଥିଲେ। ରବିବାର ଚେନ୍ନାଇନ୍ ଏଫସି ଓ କେରଳ ବ୍ଲାଷ୍ଟର୍ସ ଏଫସି ମଧ୍ୟରେ ଅନୁଷ୍ଠିତ ଅନ୍ୟ ଏକ ମ୍ୟାଚ ଗୋଲଶୂନ୍ୟ ଡ୍ର ରହିଛି। ୭୪ତମ ମିନିଟରେ ଚେନ୍ନାଇନ୍ ଏକ ପେନାଲ୍ଟି ସୁଯୋଗ ପାଇଥିଲେ ହେଁ ତା’ର ସଦୁପଯୋଗ କରିପାରି ନ ଥିଲା।