ମହାକାଳପଡ଼ା, ୩୧ ା ୩ (ପ୍ରତାପ ଚନ୍ଦ୍ର ସ୍ବାଇଁ ):କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ଥାନା ଅନ୍ତର୍ଗତ ବାହାରସୋବଳା ମୌଜାର ଅକ୍ଷୟ ରାଉତଙ୍କ ସ୍ତ୍ରୀ ମଥୁରୀ ରାଉତ ଶୁକ୍ରବାର ଅପରାହ୍ନରେ ବାଡ଼ିପଛ ଗୋବରୀ ନଦୀକୁ ଶୌଚ ହେବାକୁ ଯାଇ ନିଖୋଜ ହୋଇଯାଇଥିଲେ। ତାଙ୍କୁ କୁମ୍ଭୀର ଟାଣି ନେଉଥିବା ଅଭିଯୋଗ ହୋଇଥିଲା। ପରେ ରବିବାର ଅପରାହ୍ନରେ ଏକଲପୁର ଫେରି ଘାଟଠାରେ ମହିଳାଙ୍କ ମୃତଦେହ ଭାସି ଯାଉଥିବା ବେଳେ କେତେକ ଯୁବକ ଦେଖି ତାଙ୍କ ପରିବାର ଲୋକେଙ୍କୁ ଖବର ଦେଇଥିଲେ। ପରିବାର ଲୋକେ ମହିଳାଙ୍କ ମୃତଦେହ ଏକ ଡ଼ଙ୍ଗା ସାହାଯ୍ୟରେ ଉଦ୍ଧାର କରିଥିଲେ। ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ବ୍ୟବଚ୍ଛେଦ ପାଇଁ କେନ୍ଦ୍ରାପଡ଼ା ଜିଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରିଥିଲା। ଅପର ପକ୍ଷରେ ମାର୍ଶାଘାଇ ଥାନା ଅଧୀନ ବାଲଣା ମୌଜାର ମୃତ ମହିଳାଙ୍କ ବାପ ଘର ପରିବାର ପକ୍ଷରୁ ହତ୍ୟା କରାଯାଇଥିବା ମହାକାଳପଡ଼ା ଥାନାରେ ଅଭିଯୋଗ କରିଛନ୍ତି । ତେବେ ମୃତଦେହ ବ୍ୟବଚ୍ଛେଦ ଆମ୍ବୁଲାନ୍ସ ଗାଡ଼ିକୁ ଅଟକ ମହାକାଳପଡ଼ା ଥାନା ଗେଟ ନିକଟରେ ରଖି ହତ୍ୟାକାରୀଙ୍କ ବିରୁଦ୍ଧରେ ହୋ ହଲ୍ଲା କରିବା ସହ ନ୍ୟାୟ ଆଶାରେ ଥାନା ଅଧିକାରୀ ମାନସ କୁମାର ମଲିକଙ୍କ ସହିତ ଆଲେଚନା କରିଥିଲେ। ବ୍ୟବଚ୍ଛେଦ ରିପୋର୍ଟ ମିଳିବା ପରେ ଆଇନ ଅନୁସାରେ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଥାନା ଅଧିକାରୀ ମଲିକ କହିଛନ୍ତି। ଏ ନେଇ ଏକ ଅପମୃତ୍ୟୁ ମାମଲା ନମ୍ବର ୭/୨୬ ରୁଜୁ କରାଯାଉଛି।