ଲକ୍ଷ୍ନୌ,୧୩।୧: ଉତ୍ତର ପ୍ରଦେଶର ମଥୁରାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଜଣେ ବ୍ୟକ୍ତିଙ୍କୁ ଏକ ନାଗ ସାପ କାମୁଡ଼ି ଦେଇଥିଲା ଏବଂ ସେ ଜୀବନ୍ତ ନାଗସାପକୁ ଧରି ଡାକ୍ତରଖାନାକୁ ଯାଇଥିଲେ । ଡାକ୍ତର କ’ଣ ହୋଇଛି ବୋଲି ପଚାରିବାରୁ, ବ୍ୟକ୍ତି ଜଣକ ତାଙ୍କ ପକେଟରୁ ଜୀବନ୍ତ ନାଗସାପ ବାହାର କରି ଡାକ୍ତରଙ୍କୁ କହିଲେ ଯେ ଏହି ସାପ କାମୁଡ଼ି ଦେଇଛି । ସାପଟି ଦେଖିବା ପରେ ଡାକ୍ତରଖାନାରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଥିଲା।
ମଥୁରାର ନାଗଲା ଶିବାଜୀର ଜଣେ ଇ-ରିକ୍ସା ଚାଳକ ଦୀପକ କୁମାର ରାଜପୁତଙ୍କୁ ତାଙ୍କ ଘର ପାଖରେ ଏକ ବିଷାକ୍ତ ନାଗ କାମୁଡ଼ିଥିଲା। ଦୀପକ ନାଗକୁ ଧରି ନିଜ ପକେଟରେ ରଖିଦେଲେ। ତା’ପରେ ଦୀପକ ତାଙ୍କର ଇ-ରିକ୍ସା ନେଇ ଚିକିତ୍ସା ପାଇଁ ମଥୁରା ଜିଲ୍ଲା ହସ୍ପିଟାଲକୁ ଗଲେ । ଡାକ୍ତରଖାନାରେ, ଦୀପକ ସାପଟିକୁ ଡାକ୍ତରଙ୍କୁ ଦେଖାଇ କହିଲେ, ଏହି ସାପ ମୋତେ କାମୁଡ଼ିଛି। ସାପକୁ ଦେଖି ହଇଚଇ ସୃଷ୍ଟି ହେଲା। ଡାକ୍ତର କହିଲେ ଯେ ସେ ଏହାକୁ ଛାଡିଦେଲେ ହିଁ ତାଙ୍କର ଚିକିତ୍ସା କରିବେ। ଦୀପକ କ୍ରୋଧିତ ହୋଇଗଲେ ଏବଂ ହାତରେ ସାପକୁ ଧରି ହଇଚଇ ସୃଷ୍ଟି କରିବାକୁ ଲାଗିଲେ ।
ସାପର ଭୟରେ ଡାକ୍ତରଖାନାରେ କୋଳାହଳ ପରିସ୍ଥିତି ସୃଷ୍ଟି ହେଲା। ଦୀପକଙ୍କ ହାତରେ ସାପ ଦେଖି ପୋଲିସ କର୍ମଚାରୀମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଗଲେ। ଦୀପକ ସାପକୁ ଛାଡିବା ପରେ ଡାକ୍ତରମାନେ ଚିକିତ୍ସା କରିଥିବା ଜଣାପଡ଼ିଛି । ତେବେ ଦୀପକଙ୍କ କହିବା ଅନୁସାରେ, ତାଙ୍କୁ ପୂର୍ବରୁ ଅନେକ ଥର ସାପ ଏବଂ ବିଛା କାମୁଡ଼ିଛି, କିନ୍ତୁ ବିଷ ତାଙ୍କ ଉପରେ ପ୍ରଭାବ ପକାଏ ନାହିଁ ।