ନୂଆଦିଲ୍ଲୀ,୧୩।୧୨: କ୍ରିକେଟ ଜଗତ ପୁଣିଥରେ ଏକ ମ୍ୟାଚ ଫିକ୍ସିଂ ଘଟଣା ସାମ୍ନାକୁ ଆସିଛି। ଏଥର ଏହା ଭାରତୀୟ ଘରୋଇ କ୍ରିକେଟରେ ସାମ୍ନାକୁ ଆସିଛି। ଚଳିତ ସୟଦ ମୁସ୍ତାକ ଅଲୀ ଟ୍ରଫି ଟି୨୦ ଟୁର୍ନାମେଣ୍ଟ ବେଳେ ଦୁର୍ନୀତିରେ ଲିପ୍ତ ରହିବା ପାଇଁ ଆସାମ କ୍ରିକେଟ ଆସୋସିଏଶନ (ଏସିଏ) ପକ୍ଷରୁ ଶୁକ୍ରବାର ଅମିତ ସିହ୍ନା, ଇଶାନ ଅହମଦ, ଅମନ ତ୍ରିପାଠୀ, ଅଭିଷେକ ଠାକୁର ଆଦି ୪ ଖେଳାଳିଙ୍କୁ ଶୁକ୍ରବାର ସସ୍ପେଣ୍ଡ କରାଯାଇଛି। ଏସିଏ ରାଜ୍ୟ ପୋଲିସର କ୍ରାଇମ ବ୍ରାଞ୍ଚରେ ୪ ଖେଳାଳିଙ୍କ ବିରୋଧରେ ମାମଲା ରୁଜୁ କରିଛି। ସେମାନଙ୍କ ବିରୋଧରେ ସୟଦ ମୁସ୍ତାକ ଅଲୀ ଟ୍ରଫି ବେଳେ କିଛି ଖେଳାଳିଙ୍କୁ ପ୍ରବର୍ତ୍ତାଇବାକୁ ଉଦ୍ୟମ କରୁଥିବା ଅଭିଯୋଗ ହୋଇଛି।
ସାମ୍ନାକୁ ଆସିବା ପରେ ବିସିସିଆଇର ଆଣ୍ଟି-କରପ୍ଶନ ଓ ସିକ୍ୟୁରିଟି ୟୁନିଟ୍ ପକ୍ଷରୁ ତଦନ୍ତ କରାଯାଇଥିବା ବେଳେ ଏସିଏ ମଧ୍ୟ ଆପରାଧିକ ପ୍ରକ୍ରିୟା ଆରମ୍ଭ କରିଛି। ପ୍ରାଥମିକ ତଦନ୍ତରୁ ସେମାନେ ଦୁର୍ନୀତି ଓ କ୍ରୀଡ଼ାର ଅଖଣ୍ଡତାକୁ ପ୍ରଭାବିତ କରିବାରେ ସମ୍ପୃକ୍ତ ଥିବା ଜଣାପଡ଼ିଛି ବୋଲି ଏସିଏ ସମ୍ପାଦକ ସନାତନ ଦାସ କହିଛନ୍ତି।