ରାଓ୍ବଲପିଣ୍ଡି,୨୫ା୨: ଅଷ୍ଟ୍ରେଲିଆ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ମଙ୍ଗଳବାର ଖେଳାଯିବାକୁ ଥିବା ଆଇସିସି ଚାମ୍ପିୟନ୍ସ ଟ୍ରଫିର ସପ୍ତମ ମ୍ୟାଚ ବର୍ଷାରେ ଧୋଇ ଯାଇଛି। ଲଗାଣ ବର୍ଷା କାରଣରୁ ମ୍ୟାଚରେ ଟସ୍ ମଧ୍ୟ ପଡ଼ିପାରି ନ ଥିଲା।
ପରିସ୍ଥିତି ଅଧିକ ଖରାପ ହେବାରୁ ମ୍ୟାଚ ରେଫରୀ ମ୍ୟାଚକୁ ବାତିଲ କରିବାକୁ ନିଷ୍ପତ୍ତି ନେଇଥିଲେ। ଚାମ୍ପିୟନ୍ସ ଟ୍ରଫି ଟୁର୍ନାମେଣ୍ଟ ଇତିହାସରେ ଚତୁର୍ଥ ଥର ପାଇଁ ଅଷ୍ଟ୍ରେଲିଆର ମ୍ୟାଚ ବର୍ଷା ଯୋଗୁ ବାତିଲ ହୋଇଛି। ଏଥିଯୋଗୁ ଉଭୟ ଦଳକୁ ୧ ପଏଣ୍ଟ ଲେଖାଏ ପ୍ରଦାନ କରାଯାଇଛି। ଉଭୟ ଦକ୍ଷିଣ ଆଫ୍ରିକା ଓ ଅଷ୍ଟ୍ରେଲିଆ ୨ ମ୍ୟାଚରୁ ୩ ଲେଖାଏ ପଏଣ୍ଟ ସହ ଗ୍ରୁପ-ବି’ରେ ଯଥାକ୍ରମେ ପ୍ରଥମ ଓ ଦ୍ୱିତୀୟ ସ୍ଥାନରେ ରହିଛନ୍ତି।
ଏହି ମ୍ୟାଚର ଏଭଳି ଫଳାଫଳ ଯୋଗୁ ବୁଧବାର ଇଂଲଣ୍ଡ ଓ ଆଫଗାନିସ୍ତାନ ମଧ୍ୟରେ ହେବାକୁ ଥିବା ଲିଗ ମ୍ୟାଚର ଗୁରୁତ୍ୱ ବୃଦ୍ଧି ପାଇଛି। ଲାହୋରରେ ହେବାକୁ ଥିବା ଏହି ମ୍ୟାଚରେ ପରାଜିତ ହେବାକୁ ଥିବା ଦଳ ସେମିଫାଇନାଲ ଦୌଡ଼ରୁ ବାଦ ପଡ଼ିବା ନିଶ୍ଚିତ ହୋଇଛି।