ସମ୍ବଲପୁର,୨ା୯(ପ୍ରମୋଦ ବହିଦାର):ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉପଦେଷ୍ଟା ତରୁଣ କପୁର ସମ୍ବଲପୁର ଗସ୍ତରେ ଆସି ଜିଲାର ବିଭିନ୍ନ ପ୍ରମୁଖ ଉନ୍ନୟନମୂଳକ ପ୍ରକଳ୍ପର ପ୍ରଗତି ସମ୍ପର୍କରେ ସୋମବାର ସମୀକ୍ଷା କରିଛନ୍ତି। ସେ ହୀରାକୁଦ ଜଳଭଣ୍ଡାର ପରିଦର୍ଶନ ସମୟରେ ଏଠାରେ ସ୍ବତନ୍ତ୍ର ପୁଞ୍ଜିନିବେଶ ସହାୟତା ଯୋଜନା ଅଧୀନରେ ଜାରି ରହିଥିବା ନିର୍ମାଣ କାର୍ଯ୍ୟଗୁଡ଼ିକର ଅଗ୍ରଗତି ଦେଖିଥିଲେ। ଏହି ଅବସରରେ ବିଭାଗୀୟ ଅଧିକାରୀଙ୍କ ପକ୍ଷରୁ ତାଙ୍କୁ ହୀରାକୁଦ ପର୍ଯ୍ୟଟନ ଉନ୍ନୟନ ପ୍ରୟାସ ଅଧୀନରେ ପ୍ରସ୍ତାବିତ ବିଭିନ୍ନ କାର୍ଯ୍ୟର ଟେଣ୍ଡର ପ୍ରକ୍ରିୟା ଶେଷ ହୋଇଥିବା ସମ୍ପର୍କରେ ସୂଚନା ଦିଆଯାଇଥିଲା।
ପ୍ରଧାନମନ୍ତ୍ରୀଙ୍କ ଉପଦେଷ୍ଟା କପୁର ରବିବାର ଡେବ୍ରିଗଡ଼ ଅଭୟାରଣ୍ୟ ପରିଦର୍ଶନ କରିଥିଲେ। ଏହି ଅବସରରେ ସେ କହିଥିଲେ, ଏହି ଅଭୟାରଣ୍ୟର ପରିବେଶ ବେଶ୍ ଚମକୃତ କରିଛି। ଏହାକୁ ଭାରତର ଶ୍ରେଷ୍ଠ ଅଭୟାରଣ୍ୟରେ ପରିଣତ କରିବା ପାଇଁ ଏକ ମାଷ୍ଟର ପ୍ଲାନ ପ୍ରସ୍ତୁତି ଉପରେ ସେ ଗୁରୁତ୍ୱାରୋପ କରିଥିଲେ।