ଇରାନ ଉପରେ ହୋଇପାରେ ଅତର୍କିତ ଆକ୍ରମଣ: ଆମେରିକା ଓ ଇସ୍ରାଏଲର ଯୁଦ୍ଧ ପ୍ରସ୍ତୁତି

ନୂଆଦିଲ୍ଲୀ,୨୩।୧: ମଧ୍ୟପ୍ରାଚ୍ୟରେ ଯୁଦ୍ଧର କଳାବାଦଲ ଘେରିବାରେ ଲାଗିଛି। ଇରାନରେ ଚାଲିଥିବା ଆଭ୍ୟନ୍ତରୀଣ ଅଶାନ୍ତି ଏବଂ ବିକ୍ଷୋଭକାରୀଙ୍କ ଉପରେ ସରକାରୀ ଦମନଲୀଳାକୁ ନେଇ ଆମେରିକା କଡ଼ା ଆଭିମୁଖ୍ୟ ଗ୍ରହଣ କରିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଶୁକ୍ରବାର ସ୍ପଷ୍ଟ କରିଛନ୍ତି ଯେ, ଏକ ବିଶାଳ ସୈନ୍ୟବାହିନୀ ଇରାନ ଅଭିମୁଖେ ଯାତ୍ରା କରୁଛି। ଯଦିଓ ୱାଶିଂଟନ୍ ସାମରିକ କାର୍ଯ୍ୟାନୁଷ୍ଠାନକୁ ଏଡ଼ାଇବାକୁ ଚାହୁଁଛି, ତଥାପି ପରିସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖାଯାଇଛି।

ଟ୍ରମ୍ପଙ୍କ ସୂଚନା ଅନୁଯାୟୀ, ଆମେରିକା ପକ୍ଷରୁ ଏକ ବିଶାଳ ଯୁଦ୍ଧ ଜାହାଜ ବାହିନୀ ମୁତୟନ କରାଯାଇଛି। ପେଣ୍ଟାଗନ୍ ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ, ପରମାଣୁ ଶକ୍ତି ଚାଳିତ ବିମାନବାହୀ ଜାହାଜ USS Abraham Lincoln ସହ ଅନେକ ଡେଷ୍ଟ୍ରୟର୍ ଏବଂ ଯୁଦ୍ଧ ବିମାନ ଏସିଆ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରୁ ମଧ୍ୟପ୍ରାଚ୍ୟ ଆଡ଼କୁ ଅଗ୍ରସର ହେଉଛନ୍ତି। ଏହା ସହ ଅତିରିକ୍ତ ବାୟୁ ପ୍ରତିରକ୍ଷା ପ୍ରଣାଳୀ ମଧ୍ୟ ମୁତୟନ କରାଯାଉଛି।

ଟ୍ରମ୍ପ ଏକ ଚାଞ୍ଚଲ୍ୟକର ଦାବି କରିଛନ୍ତି ଯେ, ଆମେରିକାର ଚାପ ଫଳରେ ଇରାନ ସରକାର ୮୩୭ ଜଣ ବିକ୍ଷୋଭକାରୀଙ୍କ ଫାଶୀ ନିର୍ଦ୍ଦେଶକୁ ଶେଷ ମୁହୂର୍ତ୍ତରେ ରଦ୍ଦ କରିଛନ୍ତି। ସେ କହିଛନ୍ତି, “ମୁଁ ଗୁରୁବାର ୮୩୭ ଜଣଙ୍କ ଫାଶୀ ବନ୍ଦ କରିଛି। ସେମାନେ ମୃତ୍ୟୁମୁଖରେ ପଡ଼ିଥାନ୍ତେ, କିନ୍ତୁ ଆମେ ସେମାନଙ୍କୁ ଚେତାବନୀ ଦେଇଥିଲୁ ଯେ ଯଦି ଏପରି ହୁଏ, ତେବେ ଇରାନ ଉପରେ ଏପରି ଆକ୍ରମଣ ହେବ ଯାହା ପରମାଣୁ କାର୍ଯ୍ୟକ୍ରମ ଉପରେ ହୋଇଥିବା ଆକ୍ରମଣଠାରୁ ମଧ୍ୟ ଭୟଙ୍କର ହେବ।”

ଇରାନ ଓ ଆମେରିକା ମଧ୍ୟରେ ବଢୁଥିବା ଉତ୍ତେଜନାକୁ ଦେଖି ଇସ୍ରାଏଲ ନିଜର ସୈନ୍ୟବାହିନୀକୁ ହାଇ-ଆଲର୍ଟରେ ରଖିଛି। ଇସ୍ରାଏଲ ସେନା ମୁଖ୍ୟ ଲେଫ୍ଟନାଣ୍ଟ ଜେନେରାଲ ଏୟାଲ ଜାମିର କହିଛନ୍ତି ଯେ, ଆଇଡିଏଫ୍ (IDF) ଯେକୌଣସି ପରିସ୍ଥିତିର ମୁକାବିଲା କରିବାକୁ ଏବଂ ଆତର୍କିତ ଯୁଦ୍ଧ ପାଇଁ ପ୍ରସ୍ତୁତ ରହିଛି। ଇସ୍ରାଏଲର ଆଇରନ୍ ଡୋମ ଏବଂ ଅନ୍ୟାନ୍ୟ ବାୟୁ ପ୍ରତିରକ୍ଷା ପ୍ରଣାଳୀକୁ ଅଧିକ ସକ୍ରିୟ କରାଯାଇଛି।

ଗତ ଡିସେମ୍ବରରୁ ଇରାନରେ ଆର୍ଥିକ ସଂକଟକୁ ନେଇ ଚାଲିଥିବା ଆନ୍ଦୋଳନରେ ଏପର୍ଯ୍ୟନ୍ତ ପ୍ରାୟ ୫୦୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି।

ଇରାନ ପୁଣିଥରେ ପରମାଣୁ କାର୍ଯ୍ୟକ୍ରମ ଆରମ୍ଭ କଲେ ଆମେରିକା କଠୋର ପଦକ୍ଷେପ ନେବ ବୋଲି ଟ୍ରମ୍ପ ଚେତାବନୀ ଦେଇଛନ୍ତି। ଗତ ୭ ମାସ ହେବ IAEA ଇରାନର ପରମାଣୁ ସ୍ଥଳ ପରିଦର୍ଶନ କରିପାରି ନାହିଁ।

ସାମ୍ପ୍ରତିକ ସ୍ଥିତିରେ ସମଗ୍ର ବିଶ୍ୱର ନଜର ମଧ୍ୟପ୍ରାଚ୍ୟ ଉପରେ ରହିଛି, କାରଣ ସାମାନ୍ୟ ଭୁଲ ଏକ ବଡ଼ ଧରଣର ଆଞ୍ଚଳିକ ଯୁଦ୍ଧର ରୂପ ନେଇପାରେ।