ମୁନିଗୁଡା,୭।୧୦(ନନ୍ଦ କିଶୋର ପଟ୍ଟନାୟକ):ରାୟଗଡା ଜିଲା ମୁନିଗୁଡାର ପାଇକସାହି ଛକ ବଜାରସ୍ଥିତ ପ୍ରିୟଙ୍କା ଜୁଏଲାରୀ ନାମକ ଏକ ସୁନା ଦୋକାନରେ ବିଳମ୍ବିତ ରାତିରେ ନିଆଁ ଲାଗିଯିବା ଫଳରେ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡ଼ି ନଷ୍ଟ ହୋଇଯାଇଥିବା ଜଣାପଡିଛି। ଦୋକାନରେ ନିଆଁ ଲାଗିଥିବା ନେଇ ଆଖପାଖ ଲୋକ ଦେଖିବା ପରେ ତୁରନ୍ତ ଦୋକାନ ମାଲିକକୁ ଡାକିଥିଲେ l ମାଲିକ ତୁରନ୍ତ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ। ଖବରପାଇ ଅଗ୍ନିଶମ ବାହିନୀ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ।
ସୂଚନା ଯେ, ଦୀର୍ଘ ବର୍ଷ ଧରି ଏହି ସୁନା ଦୋକାନ ରହିଥିବାବେଳେ ଏହି କେତେ ଦିନ ହେବ ମାଲିକ ଦୋକାନକୁ ମଡିଫିକେଶନ ପାଇଁ ନୂତନ ଭାବେ ସମସ୍ତ ସୋକେଶ ସହ ଇଣ୍ଡିରିୟର କାମ ସାରିଥିଲେ। ଆଗାମୀ ଦିନରେ ଧନନ୍ତରେସ ଥିବାରୁ ଗତକାଲି ସକାଳେ ପୂଜାର୍ଚ୍ଚନା ମଧ୍ୟ କରିଥିଲେ l ତେଣୁ ଦୋକାନରେ କିଛି ସୁନା ଓ ରୁପା ସାମଗ୍ରୀ ରଖି ନ ଥିଲେ। ଯାହା ଫଳରେ ସୌଭାଗ୍ୟବଶତଃ କୌଣସି ଗହଣା ନଷ୍ଟ ହୋଇନଥିବା ଜଣାପଡିଛି l କିନ୍ତୁ ନିଆଁ ଲାଗିଯିବା ଫଳରେ ନୂଆ ତିଆରି ହୋଇଥିବା ଦୋକାନର ସମସ୍ତ ସୋକେସ, ପ୍ରିଣ୍ଟର,ଓଜନ ମେସିନ ଭଳି ଅନେକ ଜିନିଷ ପୋଡ଼ି ନଷ୍ଟ ହୋଇଯାଇଥିବା ଜଣାପଡିଛି l ତେବେ ବିଳମ୍ବିତ ରାତିରେ କେଉଁ କାରଣରୁ ଏଭଳି ଅଗ୍ନିକାଣ୍ଡ ଘଟିଛି। ତାହାର କାରଣ ସ୍ପଷ୍ଟ ହୋଇପାରିନାହିଁ।