ଭୁବନେଶ୍ୱର,୨୩ା୧୦(ସତ୍ୟଜିତ ରାଉତ): ଭୁବନଶ୍ୱର ୟୁନିଟ-୧ ପରିବା ମାର୍କେଟରେ ବୁଧବାର ଭୟାବହ ଅଗ୍ନିକାଣ୍ଡ ଘଟିଛି। ନିଆଁରେ ୨୬ ଦୋକାନ ଓ ପ୍ରାୟ ୫ଟି ପରିବା ଗୋଦାମ ଜଳିଯାଇଛି। ଆଉ କିଛି ଦୋକାନ ଆଂଶିକ କ୍ଷତିଗ୍ରସ୍ତ ହୋଇଛି। ଏଥିରେ କ୍ଷୟକ୍ଷତି ଆକଳନ କରାଯାଇ ନ ଥିଲେ ମଧ୍ୟ ବହୁ କୋଟି ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଥିବା ଅନୁମାନ କରାଯାଉଛି। ପ୍ରାଥମିକ ଅନୁସନ୍ଧାନରୁ ଶର୍ଟସର୍କିଟ୍ରୁ ନିଅଁା ଲାଗିଥିବା ଅଗ୍ନିଶମ ବିଭାଗ ପକ୍ଷରୁ ସୁଚନା ଦିଆଯାଇଛି। ତେବେ ସୌଭାଗ୍ୟବଶତଃ ଏହି ଅଘଟଣରେ କୌଣସି ଦୋକାନୀ କିମ୍ବା ଗ୍ରାହକ ଆହତ ହୋଇନାହାନ୍ତି। ଏହି ଭୟଙ୍କର ଅଗ୍ନିକାଣ୍ଡର ଶିକାର ହୋଇଥିବା ହୋଲସେଲ୍ ଓ ରିଟେଲର୍ ବ୍ୟବସାୟୀମାନେ ବହୁ କ୍ଷତି ସହିଛନ୍ତି। ସ୍ଥାନୀୟ ଲୋକଙ୍କ କହିବାନୁସାରେ, ହାଟରେ ଥିବା ଏକ ହୋଟେଲରେ ପ୍ରଥମେ ନିଆଁ ଲାଗିଥିଲା। ଦିନ ପ୍ରାୟ ୨ଟା ୫ରେ କୌଣସି କାରଣରୁ ହଠାତ୍ ହୋଲେଟର ଏକ ପାର୍ଶ୍ୱରୁ ନିଆଁ ଲାଗିଥିବା ଦେଖିବାକୁ ମିଳିଥିଲା। ହୁତୁହୁତୁ ହୋଇ ନିଆଁ ଜଳିଉଠିବା ସହ ହୋଟେଲର ଛପର ସହ ଅନ୍ୟ ଦୋକାନ ଓ ପରିବାର ମାର୍କେଟକୁ ବ୍ୟାପିଯାଇଥିଲା। ଦୋକାନୀମାନେ ପାଣି ପକାଇ ନିଅଁା ଆୟତ୍ତ କରିବାକୁ ଲାଗିପଡ଼ିଥିଲେ। ହେଲେ ନିଆଁ ଆୟତ୍ତ ନ ହେବାରୁ ଅଗ୍ନିଶମ ବିଭାଗକୁ ଖବର ଦିଆଯାଇଥିଲା। ବିଭିନ୍ନ ଦମକଳ କେନ୍ଦ୍ରରୁ ଅଗ୍ନିଶମ ବାହିନୀ ପହଞ୍ଚତ୍ ଦିନ ପ୍ରାୟ ୨ଟା ୪୦ରୁ ନିଅଁା ଲିଭାରେ ଲାଗି ପଡିଥିଲେ। ଅଗ୍ନିଶମ ବିଭାଗର ୧୬ ଦମକଳ ଗାଡି ଓ ପ୍ରାୟ ୧୪୦ କର୍ମଚାରୀ ନିୟୋଜିତ ହୋଇଥିଲେ। ୩ଟା ୪୫ ପର୍ଯ୍ୟନ୍ତ ଅଗ୍ନିଶମ ଟିମ୍ଗୁଡିକର ଅକ୍ଳାନ୍ତ ପରିଶ୍ରମ ପରେ ନିଆଁକୁ ଆୟତ୍ତ କରାଯାଇଥିଲା। ହେଲେ ସେତେବେଳକୁ ଦୋକାନ ଓ ଗୋଦାମରେ ଥିବା ବିଭିନ୍ନ ତେଜରାତି ସାମଗ୍ରୀ ଓ ପରିବା ନଷ୍ଟ ହୋଇଯାଇଥିଲା।
ବଡ଼ କଥା ହେଉଛି, ନିଅଁା ଲିଭା ସମୟରେ ହାଟ ଆସୋସିଏଶନର ଦୁଇ ଗୋଷ୍ଠୀ ହାତାହାତି ହୋଇଥିଲେ। ଅଗ୍ନିକାଣ୍ଡକୁ ନେଇ ଆରୋପ ପ୍ରତ୍ୟାରୋପରୁ ଉଭୟ ଗୋଷ୍ଠୀ ଘଟଣାସ୍ଥଳରେ ଚେୟାର ଫିଙ୍ଗାଫୋପଡ଼ା ହୋଇଥିଲା। ପୋଲିସ ଉପସ୍ଥିତିରେ ହିଁ ଏଭଳି ଅପ୍ରୀତିକର ଘଟଣା ଘଟିଥିଲା। ସ୍ଥିତିକୁ ଦେଖି କ୍ୟାପିଟାଲ ଥାନା ପକ୍ଷରୁ ପ୍ରଥମେ ଗୋଟିଏ ସେକ୍ସନ ଫୋର୍ସ ମୁତୟନ କରାଯାଇଥିଲା। ପରେ ଉତ୍ତେଜନା ପରିସ୍ଥିତିକୁ ଦେଖି ଅନ୍ୟ ଏକ ପ୍ଲାଟୁନ୍ ଫୋର୍ସ ମୁତୟନ କରାଯାଇଥିାଲା। ପୋଲିସ ଟିମ୍ର ଉଦ୍ୟମ ପରେ ପରିସ୍ଥିତି ଶାନ୍ତ ପଡ଼ିଥିଲା। ଆଇନ ଶୃଙ୍ଖଳା ସ୍ଥିତିକୁ ଦେଖି ଭୁବନେଶ୍ୱର ଡିସିପି ଜଗମୋହନ ମୀନା ଘଟଣାସ୍ଥଳକୁ ଯାଇ ତଦାରଖ କରିଥିଲେ। ମେୟର ସୁଲୋଚନା ଦାସ ଓ ବହୁ ରାଜନୈତିକ ବ୍ୟକ୍ତିବିଶେଷ ଘଟଣାସ୍ଥଳରେ ପହଞ୍ଚତ୍ କ୍ଷତିଗ୍ରସ୍ତ ଦୋକାନୀମାନକୁ ସାନ୍ତ୍ୱନା ଦେଇଥିଲେ। ତେବେ ଭୁଲ ବୁଝାବଣାରୁ ଛୋଟ ଧରଣର ଝଗଡା ହୋଇଥିବା ବେଳେ ଆପୋସ ସମାଧାନ ହୋଇଥିବା ନେଇ ଡିସିପି କହିଛନ୍ତି। ଖବର ପ୍ରସ୍ତୁତ ହେବା ଯାଏ ଏନେଇ ଥାନାରେ ମାମଲା ହୋଇ ନ ଥିବା ଜଣାପଡିଛି।