ଇସଲାମାବାଦ,୧୧ା୧୧: ମଙ୍ଗଳବାର ଅପରାହ୍ନରେ ପାକିସ୍ତାନର ରାଜଧାନୀ ଇସଲାମାବାଦର ଜିଲା କୋର୍ଟ ନିକଟରେ ଏକ ବଡ଼ ଧରଣର ବିସ୍ଫୋରଣ ହୋଇଛି। ଯେଉଁଥିରେ ଅତି କମ୍ରେ ୧୨ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ଅନେକ ଆହତ ହୋଇଛନ୍ତି।
ପ୍ରାରମ୍ଭିକ ସୂଚନାନୁଯାୟୀ, କୋର୍ଟ କମ୍ପ୍ଲେକ୍ସର ପାର୍କିଂ ଲଟ୍ରେ ପାର୍କିଂ ହୋଇଥିବା ଏକ କାର୍ରେ ଗ୍ୟାସ ସିଲିଣ୍ଡର ବିସ୍ଫୋରଣ ଯୋଗୁ ଏପରି ଘଟିଛି। ବିସ୍ଫୋରଣ ଏତେ ଶକ୍ତିଶାଳୀ ଥିଲା ଯେ, ଏହା ପୋଲିସ ଲାଇନ୍ସ ମୁଖ୍ୟାଳୟ ପର୍ଯ୍ୟନ୍ତ ଶୁଣାଯାଇଥିଲା। ଯାହା ଫଳରେ ଆଖପାଖ ଅଞ୍ଚଳରେ ଆତଙ୍କ ଖେଳିଯାଇଥିଲା। ଉଦ୍ଧାର ଏବଂ ରିଲିଫ ଦଳ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲେ। ପ୍ରାଥମିକ ତଦନ୍ତ ପାଇଁ ବୋମା ନିଷ୍କ୍ରିୟକାରୀ ଦଳ ଏବଂ ଫୋରେନସିକ୍ ବିଶେଷଜ୍ଞଙ୍କୁ ମଧ୍ୟ ଡକାଯାଇଛି।
ବିସ୍ଫୋରଣ ଅନେକ ଗାଡ଼ିକୁ କ୍ଷତିଗ୍ରସ୍ତ କରିଥିଲା ଏବଂ ସେଠାରେ ଉପସ୍ଥିତ ଲୋକଙ୍କ ମଧ୍ୟରେ ଦଳାଚକଟା ହୋଇଥିଲା। ସମସ୍ତ ଆହତଙ୍କୁ ତୁରନ୍ତ ପାକିସ୍ତାନ ଇନଷ୍ଟିଚ୍ୟୁଟ୍ ଅଫ ମେଡିକାଲ ସାଇନ୍ସେସ (ପିମ୍ସ) ହସ୍ପିଟାଲରେ ଭର୍ତ୍ତି କରାଯାଇ ଚିକିତ୍ସା ଚାଲିଛି।