୫ ବର୍ଷ ତଳେ ପ୍ରେମ ବିବାହ, ହଠାତ ଶ୍ୱଶୁର ଘର ଲୋକେ ମହିଳାଙ୍କ ମୃତ୍ୟୁ ହେବା ଜଣାଇଲେ; ଥାନାରେ ବାପା ପହଞ୍ଚି…

କୋକସରା,୧୯।୭(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ):କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଆମପାଣି ଥାନା ବଡ଼ପୋଡ଼ାଗୁଡ଼ା ଗ୍ରାମର ରିକିରାମ ପ୍ରଧାନୀଙ୍କ ସ୍ତ୍ରୀ ଉର୍ମିଳା ପ୍ରଧାନୀଙ୍କ ଶନିବାର ହଠାତ ମୃତ୍ୟୁ ହୋଇ ଯାଇଥିବା ବେଳେ ତାଙ୍କ ବାପଘର ଲୋକେ ହତ୍ୟା ସନ୍ଦେହ କରି ଥାନାରେ ଅଭିଯୋଗ କରିଛନ୍ତି। ଅନ୍ୟପଟେ ଆମପାଣି ଥାନା ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।
ସୂଚନା ଅନୁସାରେ, ଗତ ୫ବର୍ଷ ତଳେ ରିକିରାମ ସହିତ ତାରାପୁର ପଞ୍ଚାୟତ ଇଚ୍ଛାପୁର (ଗଞ୍ଜିଆଗୁଡା) ଗ୍ରାମର ରଥେ ପୁଝାରୀଙ୍କ ଝିଅ ଉର୍ମିଳାଙ୍କ ପ୍ରେମ ବିବାହ ହୋଇଥିଲା। ସ୍ବାମୀସ୍ତ୍ରୀ ମଧ୍ୟରେ ଉତ୍ତମ ସମ୍ପର୍କ ରହିଥିଲା। ପୁଅଙ୍କ ପରିବାର ଲୋକଙ୍କ କହିବା ଅନୁସାରେ ଶନିବାର ସକାଳୁ ଉର୍ମିଳା ଗାଧୋଇ ସାରି ଘରକୁ ଆସିବା ପରେ ହଠାତ ତଳେ ପଡ଼ିଯାଇଥିଲେ। ଶ୍ବଶୁର ଘର ଲୋକଙ୍କୁ ଜ୍ବାଇଁ ରିକି ଖବର ଦେବା ସହ ଉର୍ମିଳାଙ୍କୁ ଆମ୍ବୁଲାନ୍ସ ଯୋଗେ କୋକସରା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ। ସେଠାରେ ଉର୍ମିଳାଙ୍କ ମୃତ୍ୟୁ ହୋଇଥିବା ଡାକ୍ତର ଘୋଷଣା କରିଥିଲେ। ଅନ୍ୟପଟେ ଝିଅର ବାପା ତାଙ୍କ ଝିଅର ସ୍ବାସ୍ଥ୍ୟ ଠିକ ଥିବା ଓ କୌଣସି ରୋଗରେ ମଧ୍ୟ ପୀଡିତ ନଥିବାବେଳେ ହଠାତ ଝିଅଙ୍କ ମୃତ୍ୟୁ କଥାକୁ ସହଜେ ଗ୍ରହଣ କରିପାରୁନାହାନ୍ତି।  ଜ୍ବାଇଁ ଓ ତାଙ୍କ ଶ୍ବଶୁର ଘର ଲୋକେ ହତ୍ୟା କରି ଭିନ୍ନରୂପ ଦେଉଥିବା ଝିଅର ବାପା ରଥେ ପୁଝାରୀ ସନ୍ଦେହ କରି ଆମପାଣି ଥାନାରେ ଲିଖିତ ଅଭିଯୋଗ କରିଥିବା ଜଣାପଡିଛି। ଆମପାଣି ଥାନା ପୋଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିବା ସହ କୋକସରା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ମୃତଦେହ ଜବତ କରି ବ୍ୟବଚ୍ଛେଦ କରାଇଥିଲେ। ମାଜିଷ୍ଟ୍ରେଟ ଦାୟିତ୍ୱରେ କୋକସରା ଅତିରିକ୍ତ ତହସିଲଦାର ମୋହନ ଚରଣ ଜେନାଙ୍କ ଉପସ୍ଥିତରେ ପରିବାରଲୋକଙ୍କୁ ମୃତଦେହ ହସ୍ତାନ୍ତର କରାଯାଇଥିବା ସୂଚନା ମିଳିଛି।

Share
Tags: odisha