ଭଲ ପାଇ କରିଥିଲେ ବିବାହ: ବାପାଙ୍କ ସହ ମିଶି ସ୍ବାମୀଙ୍କୁ ଛୁରି ଭୁସି ହତ୍ୟା କଲେ ସ୍ତ୍ରୀ

କବିସୂର୍ଯ୍ୟନଗର, ୩ା୬(କୃପାସିନ୍ଧୁ ସ୍ବାଇଁ): ଗୋବିନ୍ଦପୁର ଗ୍ରାମର କାଳିଆ ସେଠୀ ଗତ ୧୩ ବର୍ଷ ତଳେ ପୋଲସରା ଥାନା ଡିମ୍ବିରିଆ ଗ୍ରାମର ମୋଚିରାମ ସେଠୀଙ୍କ ଝିଅ ପୂଜା ସେଠୀଙ୍କୁ ଭଲ ପାଇ ବିବାହ କରିଥିଲେ l କିଛି ଦିନ ଭଲରେ ଚଳିବା ପରେ ଉଭୟଙ୍କ ମଧ୍ୟରେ ଅଶାନ୍ତି ଆରମ୍ଭ ହୋଇଥିଲା। ସ୍ବାମୀ କାମ କରିବାକୁ ଯିବା ପରେ ପୂଜା ଅନ୍ୟ କାହା ସହ ଫୋନରେ ଦୀର୍ଘ ସମୟ ଧରି କଥା ହେଉଥିବା ଜାଣି କାଳିଆ ବାରଣ କରିଥିଲେ। ଏହାକୁ ନେଇ ସ୍ତ୍ରୀସ୍ବାମୀଙ୍କ ମଧ୍ୟରେ ବିଭିନ୍ନ ସମୟରେ ଝଗଡ଼ା ହୋଇଥିଲା। ଏପରି କି ଦୁଇଥର ବାଲିଛାଇ ଫାଣ୍ଡିରେ ଘଟଣା ପହଞ୍ଚତ୍ ସମାଧାନ ମଧ୍ୟ ହୋଇଥିଲା। ତଥାପି କଥା ସେତିକିରେ ସରି ନ ଥିଲା। ସ୍ବାମୀଙ୍କୁ ଜୀବନରୁ ମାରିଦେବାକୁ ଚିନ୍ତା କରିଥିଲେ ସ୍ତ୍ରୀ ଏବଂ ଶ୍ୱଶୁର। ଶେଷରେ କାଳିଆଙ୍କ ସ୍ତ୍ରୀ ପୂଜା ଓ ଶ୍ୱଶୁର ମୋଚିରାମ ପୁଅକୁ ହତ୍ୟା କରିଥିବା ବାପା ଅଭିମନ୍ୟୁ ସେଠୀ କହିଛନ୍ତି।

ଅଭିମନ୍ୟୁଙ୍କ ଅଭିଯୋଗ ଅନୁସାରେ, ଗତ ଫେବୃଆରୀ ମାସରେ ପୂଜା ବାପଘରକୁ ଯାଇ ଆଉ ଶାଶୁଘରକୁ ଫେରି ନ ଥିଲେ। ସେ ବାରମ୍ବାର ଫୋନରେ କାଳିଆଙ୍କୁ ଧମକଚମକ ଦେଉଥିଲେ। ଗତ ରବିବାର ରାତିରେ କାଳିଆ ଘରେ ଶୋଇଥିଲେ। ଘରର କବାଟ ଆଉଜା ହୋଇଥିଲା। ଏହାର ସୁଯୋଗ ନେଇ ବିଳମ୍ବିତ ରାତିରେ ପୂଜା ଓ ତାଙ୍କ ବାପା ଆସି ଛୁରିରେ କାଳିଆଙ୍କ ଛାତି ଏବଂ ହାତକୁ ଭୁସି ଫେରାର ହୋଇଯାଇଥିଲେ। ଖବର ପାଇ କବିସୂର୍ଯ୍ୟନଗର ପୋଲିସ ପହଞ୍ଚତ୍ ମୃତଦେହ ଜବତ କରିଛି। ଅଭିମନ୍ୟୁଙ୍କ ଅଭିଯୋଗ ଆଧାରରେ ପୋଲିସ ବିଏନ୍‌ଏସ୍‌ ଦଫା ୧୦୩(ହତ୍ୟା) ର ଏକ ମାମଲା(ନଂ. ୩୯୫/୨୫) ରୁଜୁ କରି ତଦନ୍ତ ଆରମ୍ଭ କରିଛି। ପୁରୁଷୋତ୍ତମପୁର ଏସ୍‌ଡିପିଓ ଘଟଣାସ୍ଥଳରେ ପହଞ୍ଚତ୍ ସ୍ଥିତି ଅନୁଧ୍ୟାନ କରି ଫେରିଛନ୍ତି। ବାପା ନିଜ ଝିଅର ସିନ୍ଦୂର ପୋଛିଦେବା ପରି ସ୍ପର୍ଶକାତର ଘଟଣା ଅଞ୍ଚଳରେ ଆଲୋଡ଼ନ ଖେଳାଇ ଦେଇଛି। ମୃତ କାଳିଆଙ୍କ ୧୦ ବର୍ଷର ଏକ ପୁଅ ରହିଛି।