କେନ୍ଦୁଝର,୩୧ା୭(ନରେଶ ପଟ୍ଟନାୟକ): ଝୁମ୍ପୁରା ଥାନା ଅନ୍ତର୍ଗତ ଏକ ହୃଦୟ ବିଦାରକ ଘଟଣାରେ ଏମଡି ମନାନ (୪୫) ନାମକ ଜଣେ ବ୍ୟକ୍ତିଙ୍କୁ ତାଙ୍କ ସ୍ତ୍ରୀ ଶକୁନ୍ତଳା ଦାସ (୩୫)ଙ୍କୁ ପିଟି ହତ୍ୟା ଅଭିଯୋଗରେ ପୋଲିସ ଗିରଫ କରିଛି। ଶକୁନ୍ତଳାଙ୍କ ବାପଘର ଅର୍ଶଳା ଗ୍ରାମରେ ବୋଲି ଜଣାପଡ଼ିଛି।
ପୋଲିସ ସୂତ୍ରରୁ ଜଣାଯାଇଛି, ଶକୁନ୍ତଳା ଓ ମନାନଙ୍କର ସାତ ମାସ ପୂର୍ବେ ପ୍ରେମ ବିବାହ ହୋଇଥିଲା। ଉଭୟଙ୍କର ଦୁଇ ପିଲା ଅଛନ୍ତି। ମାତ୍ର, ମନାନ ଦ୍ୱିତୀୟ ବିବାହ କରିଥିବା ନେଇ ଉଭୟଙ୍କ ମଧ୍ୟରେ ବାରମ୍ବାର ଝଗଡ଼ା ଓ ମାରପିଟ ହେଉଥିଲା। ମଦ୍ୟପାନ କରି ଉଭୟେ ମାରପିଟ କରୁଥିବା ଜଣାପଡ଼ିଛି। ଏହା ପୂର୍ବରୁ ଥାନାରେ ଅଭିଯୋଗ ହୋଇ ସମାଧାନ ମଧ୍ୟ ହୋଇଥିଲା।
ଦୁଇ ସପ୍ତାହ ପୂର୍ବେ ଶକୁନ୍ତଳା ବାପଘରକୁ ଚାଲିଯାଇଥିବା ବେଳେ ଦୁଇ ଦିନ ତଳେ ଫେରିଥିଲେ। ଗତକାଲି ସନ୍ଧ୍ୟାରେ ଫୋନ୍ ନଉଠାଇବା ନେଇ ପୁଣି ଝଗଡ଼ା ହୋଇଥିଲା। ଏହି ମାରପିଟରେ ଶକୁନ୍ତଳାଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ମନାନ ପୋଲିସକୁ ଶକୁନ୍ତଳା ମଦ ପିଇ ମରିଥିବା କହିଥିଲେ, କିନ୍ତୁ ଶକୁନ୍ତଳାଙ୍କ ଶରୀରରେ କ୍ଷତଚିହ୍ନ ଓ ହାତ ଭାଙ୍ଗିଥିବା ଦେଖି ପରିବାର ଲୋକେ ହତ୍ୟା ଅଭିଯୋଗ ଆଣିଛନ୍ତି।
ଶକୁନ୍ତଳାଙ୍କ ଭାଇ ମକରଧର ଦାସଙ୍କ ଅଭିଯୋଗ କ୍ରମେ ଝୁମ୍ପୁରା ପୋଲିସ କେସ ନମ୍ବର ୧୦୧/୨୦୨୫ରେ ହତ୍ୟା ମାମଲା ରୁଜୁ କରି ମନାନଙ୍କୁ ଗିରଫ କରିଛି। ଝୁମ୍ପୁରା ଥାନା ଅଧିକାରୀ ସମ୍ଭାରୀ ହାଁସଦା କହିଛନ୍ତି, ଘଟଣାର ତଦନ୍ତ ଜାରି ରହିଛି।
ମନାନ ମୁସଲମାନ ଓ ଶକୁନ୍ତଳା ବୈଷ୍ଣବ ସଂପ୍ରଦାୟର ହୋଇଥିଲେ ମଧ୍ୟ, ଏହା ସହମତିରେ ହୋଇଥିବା ପ୍ରେମ ବିବାହ ଥିଲା। ପୋଲିସ କହିଛି, ଏହା ସାଂପ୍ରଦାୟିକ ପ୍ରସଙ୍ଗ ନୁହେଁ, ତଥାପି ସତର୍କତା ଅବଲମ୍ବନ କରାଯାଇଛି।